ଆଉ ୩୨ ଦିନ, ଖେଳାଳିଙ୍କୁ ଲାଖବାକ୍ସ ଉପହାର

ଭୁବନେଶ୍ବର: ଭୁବନେଶ୍ବର ହକି ବିଶ୍ବକପ୍ ବେଳେ ଓଡ଼ିଶାର ବିଭିନ୍ନ ପ୍ରାନ୍ତର ପ୍ରସିଦ୍ଧ ହସ୍ତଶିଳ୍ପର ପ୍ରଚାର ଲାଗି ରାଜ୍ୟ ସରକାର ଯୋଜନା ରଖିଛନ୍ତି। ସେଥିପାଇଁ ବିଶ୍ବକପ୍‌ ଦେଖିବାକୁ ଆସୁଥିବା ଅତିଥି ଏବଂ ଖେଳାଳିମାନଙ୍କୁ ନବରଙ୍ଗପୁରର ଲାଖ ବାକ୍ସ ଉପହାର ଆକାରରେ ଦେବାକୁ ସରକାରୀ ନିଷ୍ପତ୍ତିି ହୋଇଛି। ଲାଖରେ ନିର୍ମିତ ସାମଗ୍ରୀ ପାଇଁ ନବରଙ୍ଗପୁର ଜିଲ୍ଲା ସାରା ବିଶ୍ବରେ ପ୍ରସିଦ୍ଧ। ସେଥିପାଇଁ ବିଶ୍ବକପ୍ ବେଳେ ଏହାକୁ ଅତିଥିଙ୍କୁ ଉପହାର ଆକାରରେ ଦେଇ ସେମାନଙ୍କ ମନ ଜିଣିବାର ଅଭିନବ ଯୋଜନାକୁ ଚାରିଆଡ଼ୁ ସମର୍ଥନ ମିଳୁଛି। କାରିଗରମା‌ନେ ଏହି ଲାଖ ବାକ୍ସର ନିର୍ମାଣ ଆରମ୍ଭ କରି ସାରିଥିବା ଜଣାପଡ଼ିଛି। ସରକାରଙ୍କ ପକ୍ଷରୁ ୭୦୦ ଲାଖ ବାକ୍ସ ତିଆରି କରିବାକୁ କୁହାଯାଇଥିବା ଜଣେ କାରିଗର ସୂଚନା ଦେଇଛନ୍ତି।

ପର୍ଯ୍ୟଟକଙ୍କ ପାଇଁ ୪ ସ୍ବତନ୍ତ୍ର ପ୍ୟାକେଜ୍
‘ସକାଳେ ଓଡ଼ିଶା, ସଂଧ୍ୟାରେ ହକି’ ଅଭିଯାନ ଅନ୍ତର୍ଗତ ଓଡ଼ିଶା ପର୍ଯ୍ୟଟନ ପକ୍ଷରୁ ହକି ବିଶ୍ବକପ୍ ଅବସରରେ ପର୍ଯ୍ୟଟକଙ୍କ ପାଇଁ ଚାରିଟି ସ୍ବତନ୍ତ୍ର ପ୍ୟାକେଜ୍ ଘୋଷଣା କରାଯାଇଛି। କ୍ରୀଡ଼ା ପର୍ଯ୍ୟଟନର ବିକାଶ ଏହାର ମୁଖ୍ୟ ଲକ୍ଷ୍ୟ ରଖାଯାଇଛି। ଏହି ପ୍ୟାକେଜରେ ଭୁବନେଶ୍ବର ଆଖପାଖରେ ସାରା ଦିନ ଏବଂ ମଧ୍ୟାହ୍ନ ପର୍ଯ୍ୟନ୍ତ ବୁଲିବାର ବ୍ୟବସ୍ଥା ରହିଛି। ତଦନୁଯାୟୀ ପର୍ଯ୍ୟଟକମାନେ ଖଣ୍ଡଗିରି, ଉଦୟଗିରି, ରାଜ୍ୟ ସଂଗ୍ରହାଳୟ, ରାଜାରାଣୀ ମନ୍ଦିର, ମୁକ୍ତେଶ୍ବର ମନ୍ଦିର, ଲିଙ୍ଗରାଜ ମନ୍ଦିର ଓ ଧଉଳି ଶାନ୍ତିସ୍ତୁପ ବୁଲିପାରିବେ। ଯାତ୍ରାର ଆରମ୍ଭ କଳିଙ୍ଗ ଷ୍ଟାଡିୟମରୁ ହେବ। ଏଥିଲାଗି ଘ‌େରାଇ ପର୍ଯ୍ୟଟକଙ୍କୁ ୧୨୪୫ ଏବଂ ବିଦେଶୀ ପର୍ଯ୍ୟଟକଙ୍କୁ ୧୮୮୦ ଟଙ୍କା ଦେବାକୁ ପଡ଼ିବ। ଅନ୍ୟ ଦୁଇ ପ୍ୟାକେଜରେ ରଘୁନାଥପୁର-ପୁରୀ-କୋଣାର୍କ-ପିପିଲି ଏବଂ ଚିଲିକା ହ୍ରଦ ସହ ଲଳିତଗିରି, ଉଦୟଗିରି ଏବଂ ରତ୍ନଗିରି ବୁଲିବାର ବ୍ୟବସ୍ଥା ରହିବ। ଏଥିଲାଗି ଘରୋଇ ପର୍ଯ୍ୟଟକଙ୍କୁ ୧୩୩୫ରୁ ୧୭୨୦ ଏବଂ ବିଦେଶୀ ପର୍ଯ୍ୟଟକଙ୍କୁ ୧୯୮୦ରୁ ୨୩୫୫ ଟଙ୍କା ଦେବାକୁ ହେବ। ଏଥିରେ ଯାତାୟତ, ଖାଇବା, ପ୍ରବେଶିକା ଦେୟ ସହ ଗାଇଡ୍ ପାଉଣା ଅର୍ନ୍ତଭୁକ୍ତ ରହିବ।

ସମ୍ବନ୍ଧିତ ଖବର