ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ କନିଷ୍ଠ ପୁରୁଷ ହକି ବିଶ୍ବକପ୍‌ରେ ମୋଟ ୩୨୭ ଗୋଲ୍ ଦେଖିବାକୁ ମିଳିଛି। ସେଥିମଧ୍ୟରେ ୧୭୨ ଫିଲ୍ଡ ଗୋଲ୍ ଥିଲା ବେଳେ ୧୩୯ଟି ହେଉଛି ପେନାଲ୍ଟି କର୍ଣ୍ଣର ଗୋଲ୍। ସେହିଭଳି ପ୍ରତିଯୋଗିତାର ୧୬ ଗୋଲ୍ ପେନାଲ୍ଟି ଷ୍ଟ୍ରୋକ୍‌ରୁ ଆସିଛି। ଦଳଗତ ଭାବେ ନେଦରଲାଣ୍ଡ୍ସ ସର୍ବାଧିକ ୪୫ ଗୋଲ୍ ଦେଇଛି।

Advertisment

ଆୟୋଜକ ଭାରତ ସବୁଠାରୁ ଆକ୍ରାମକ ସହ ସବୁଠାରୁ ରକ୍ଷଣାତ୍ମକ ଖେଳ ବି ଖେଳିଛି। ଭାରତୀୟ ଦଳ ପ୍ରତିଯୋଗିତାରେ ପ୍ରତିପକ୍ଷଙ୍କ ସର୍କଲକୁ ସର୍ବାଧିକ ୧୭୪ ଥର ପ୍ରବେଶ କରିଛି। ଅନ୍ୟପକ୍ଷରେ ସର୍ବାଧିକ ୨୨ ଗୋଲ୍‌ ବି ବଞ୍ଚାଇଛି। ଏହି ରେକର୍ଡଭରା ବିଶ୍ବକପ୍‌ରେ ଖେଳାଳିମାନେ ମୋଟ ୧୯୪ କାର୍ଡ ପାଇଛନ୍ତି। ସେଥିମଧ୍ୟରେ ରହିଛି ୧୪୩ ସବୁଜ ଏବଂ ୫୦ ହଳଦିଆ କାର୍ଡ।

କଳିଙ୍ଗ ଇତିହାସରେ ନୂଆ ଅଧ୍ୟାୟ

କନିଷ୍ଠ ବିଶ୍ବକପ୍‌ର ସୁଖଦ ପରିସମାପ୍ତି ସହ ଓଡ଼ିଶା କ୍ରୀଡ଼ା ଇତିହାସରେ ଯୋଡ଼ି ହୋଇଛି ନୂଆ ଅଧ୍ୟାୟ। ବରିଷ୍ଠ ପୁରୁଷ ହକି ବିଶ୍ବକପ୍ (୨୦୧୮) ସହ କନିଷ୍ଠ ହକି ବିଶ୍ବକପ୍‌କୁ ସଫଳତାର ସହ ଆୟୋଜନ କରିଛି ଓଡ଼ିଶା। କରୋନା କଟକଣା, ଓମିକ୍ରନ୍ ଆତଙ୍କ ଓ ଜୱାଦ ଭୟ ଭିତରେ ରବିବାର ଶେଷ ହୋଇଥିବା କନିଷ୍ଠ ବିଶ୍ବକପ୍‌ ସଫଳତାର ସହ ଶେଷ ହେବା ପରେ ଓଡ଼ିଶା ପୁଣି ଥରେ ସାଉଣ୍ଟିଛି ଅଜସ୍ର ପ୍ରଶଂସା। ତା’ ସହ ୨୦୨୩ ମସିହାରେ ଭୁବନେଶ୍ବର ଓ ରାଉରକେଲାରେ ଆୟୋଜିତ ହେବାକୁ ଥିବା ୨୦୨୩ ବରିଷ୍ଠ ପୁରୁଷ ହକି ବିଶ୍ବକପ୍ ଲାଗି କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି।