ଭାରତ-ଇଂଲଣ୍ଡ ଦିନିକିଆ: ୩ୟ ମୁକାବିଲାରେ ଇଂଲଣ୍ଡକୁ ୩୩୦ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଟିମ୍‌ ଇଣ୍ଡିଆ

ପୁଣେ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଜାରି ଥିବା ୩ୟ ତଥା ଶେଷ ଦିନିକିଆରେ ଟିମ୍‌ ଇଣ୍ଡିଆ ଅତିଥି ଟିମ୍‌କୁ ୩୩୦ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି। ପୁଣେସ୍ଥିତ ମହାରାଷ୍ଟ କ୍ରିକେଟ୍‌ ଆସୋସିଏସନ୍‌ ଷ୍ଟାଡିୟମ୍‌ରେ ଇଂଲଣ୍ଡ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରିଥିଲା। ଭାରତ ୪୮.୨ ଓଭରରେ ସମସ୍ତ ୱିକେଟ୍‌ ହରାଇ ୩୨୯ ରନ୍‌ ସଂଗ୍ରହ କରିଛି।

ବିରାଟ କୋହଲିଙ୍କ ନେତୃତ୍ବରେ ଭାରତର ଇନିଂସ ଆରମ୍ଭ କରିଥିଲେ ରୋହିତ ଶର୍ମା ଓ ଶିଖର ଧୱନ୍‌। ରୋହିତ୍‌ ୩୭ଟି ବଲ ଖେଳି ୬ଟି ଚୌକା ସହ ୩୭ରନ୍‌ ସଂଗ୍ରହ କରିଥିବା ବେଳେ ଧୱନ୍‌ ୫୬ଟି ବଲ୍‌ ଖେଳି ୬୭ ରନ୍‌ ସଂଗ୍ରହ କରିଥିଲେ। ଧୱନ୍‌ ୧୦ଟି ଚୌକା ମାରିଥିଲେ। ଉଭୟ ରୋହିତ ଓ ଧୱନଙ୍କୁ ଆଦିଲ ରସିଦ୍‌ ଆଉଟ୍‌ କରିଥିଲେ।  ଅଧିନାୟକ ବିରାଟ କୋହଲି ୧୦ଟି ବଲ୍‌ ଖେଳି ଶସ୍ତାରେ ଆଉଟ୍‌ ହୋଇଥିଲେ। ‌ସେ ମାତ୍ର ୭ ରନ୍‌ ସଂଗ୍ରହ କରି ପାଭଲିଅନ୍‌କୁ ଫେରି ଯାଇଥିଲେ। କୋହଲିଙ୍କ ଭଳି ଯୁବ ବ୍ୟାଟ୍‌ସମ୍ୟାନ୍‌ କେ ଏଲ୍‌ ରାହୁଲ ମଧ୍ୟ ଅଧିକ ସମୟ ତିଷ୍ଠି ପାରି ନ ଥିଲେ। ରାହୁଲ ୧୮ଟି ବଲ୍‌ ଖେଳି ୭ ରନ୍‌ କରିଥିଲେ।

କୋହଲି ଆଉଟ୍‌ ହୋଇଯିବା ପରେ ଟିମ୍‌ ଇଣ୍ଡିଆର ଯୁବ ବ୍ୟାଟ୍‌ସମ୍ୟାନ୍‌ ଋଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା ଇନିଂସ ସମ୍ଭାଳି ଥିଲେ। ପନ୍ତ ୬୨ଟି ବଲ୍‌ ଖେଳି ୭୮ ରନ୍‌ ଯୋଡ଼ିଥିଲେ। ଏଥିରେ ୫ଟି ଚୌକା ଓ ୪ଟି ଛକା ସାମିଲ ଥିଲା। ଜୋସ୍‌ ବଟଲରଙ୍କ ବଲ୍‌ ସାମ୍‌ କରନଙ୍କୁ କ୍ୟାଚ୍‌ ଦେଇ ପନ୍ତ ଆଉଟ୍‌ ହୋଇଥିଲେ। ସେହିପରି ପାଣ୍ଡ୍ୟାଙ୍କ ବ୍ୟାଟ୍‌ରୁ ୬୪ ରନ୍‌ ମିଳିଥିଲା। ‌ସେ ୪୪ଟି ବଲ ଖେଳି ୫ଟି ଚୌକା ଓ ୪ଟି ଛକା ମାରିଥିଲେ। ବେନ୍‌ ଷ୍ଟୋକ୍ସଙ୍କ ବଲରେ ପାଣ୍ଡ୍ୟା ଆଉଟ୍‌ ହୋଇଥିଲେ।

କ୍ରୁଣାଳ ପାଣ୍ଡ୍ୟା ୨୫ ରନ୍‌, ଶାର୍ଦ୍ଦୁଲ ଠାକୁର ୩୦ ରନ୍‌, ଭୁବନେଶ୍ବର କୁମାର ୩ ରନ୍‌ କରିଥିଲେ। ଇଂଲଣ୍ଡର ମାର୍କ ଉଡ୍‌ ୩ଟି ୱିକେଟ ନେଇଥିବା ବେଳେ ଆଦିଲ ରସିଦ୍‌ଙ୍କୁ ୨ଟି ୱିକେଟ ମିଳିଥିଲା। ସେହିପରି ସାମ୍‌ କରନ୍‌, ରିସି ଟୋପଲାଏ ଓ ବେନ୍‌ ଷ୍ଟୋକ୍ସ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

ସମ୍ବନ୍ଧିତ ଖବର