୩୪ ବର୍ଷରେ ୭ ଏସିଆ କପ୍

ଦୁବାଇ: ଚତୁର୍ଦଶ ଏସିଆ କପ୍‌ରେ ବିଜେତା ହେବା ପୂର୍ବରୁ ଭାରତ ୬ ଥର ଏହି ମହାଦେଶୀୟ ପ୍ରତିଯୋଗିତାରେ ଟ୍ରଫି ହାସଲ କରିଥିଲା। ଯାହା ଏବେ ୭କୁ ବଢ଼ିଛି। ଅର୍ଥାତ୍ ୧୯୮୪ରୁ ୨୦୧୮ର ୩୪ ବର୍ଷ ମଧ୍ୟରେ ଭାରତ ୭ ଏସିଆ କପ୍ ଟ୍ରଫି ଜିତିଛି। ଏସିଆ କପ୍‌ରେ ସର୍ବାଧିକ ସଫଳତା ମଧ୍ୟ ଭାରତ ନାଁରେ ଲିପିବଦ୍ଧ ହୋଇଛି। ସେହିଭଳି ଭାରତ ଦ୍ବିତୀୟ ଥର ଲାଗି ଲଗାତାର ଟ୍ରଫି ଜିତିବାର ଅନନ୍ୟ ସଫଳତା ହାସଲ କରିଛି। ଭାରତର ୭ ଏସିଆ କପ୍ ଟ୍ରଫି ବିଜୟ ଉପରେ ଆସନ୍ତୁ ନଜର ପକାଇବା।
୧) ୟୁଏଇରେ ଆ‌େୟାଜିତ ୧୯୮୪ ପ୍ରଥମ ସ˚ସ୍କରଣରେ ଫାଇନାଲ୍‌ ମ୍ୟାଚ୍‌ ନଥିଲା। ସେଥର ମାତ୍ର ୩ ଦଳକୁ ନେଇ ପ୍ରତିଯୋଗିତା ଆୟୋଜନ ହୋଇଥିଲା ବେଳେ ଭାରତ ସର୍ବାଧିକ ବିଜୟ ସହ ପ୍ରଥମ ସ୍ଥାନରେ ରହି ବିଜେତା ହୋଇଥିଲା। ପ୍ରଥମେ ଶ୍ରୀଲଙ୍କାକୁ ୧୦ ୱିକେଟ୍‌ ଏବଂ ପରେ ପାକିସ୍ତାନକୁ ୫୪ ରନ୍‌ରେ ପରାସ୍ତ କରିବା ଭାରତକୁ ବିଗଜତା ହେବା ପାଇଁ ଯଥେଷ୍ଟ ଥିଲା। ଅନ୍ୟପକ୍ଷରେ ପାକିସ୍ତାନକୁ ପରାସ୍ତ କରିଥିବାରୁ ଶ୍ରୀଲଙ୍କା ଦ୍ବିତୀୟ ସ୍ଥାନ ପାଇଥିଲା।
୨) ବାଂଲାଦେଶରେ ଆୟୋଜିତ ୧୯୮୮ ସଂସ୍କରଣରେ ଢାକା ଫାଇନାଲ୍‌ରେ ଶ୍ରୀଲଙ୍କାକୁ ୬ ୱିକେଟ୍‌ରେ ପରାସ୍ତ କରି ଭାରତ ଦ୍ବିତୀୟ ଥର ଟ୍ରଫି ହାତେଇଥିଲା। ଶ୍ରୀଲଙ୍କାର ୧୭୬ ରନ୍‌ ଆହ୍ବାନକୁ ଭାରତ ୩୧ତମ ଓଭରରେ ଟପି ଯାଇଥିଲା। ଆଉ ପ୍ରଥମ ଥର ଲାଗି ୪ ଦଳକୁ ନେଇ ଏସିଆ କପ୍‌ ଖେଳାଯାଇଥିଲା। ଭାରତ, ପାକିସ୍ତାନ, ଶ୍ରୀଲଙ୍କା ସାଙ୍ଗକୁ ନୂଆ କରି ଆ‌େୟାଜକ ବାଂଲାଦେଶ ସାମିଲ ହୋଇଥିଲା।
୩) ୧୯୯୦-୯୧ ସଂସ୍କରଣକୁ ଭାରତ ଆୟୋଜନ କରିଥିଲା। ଭାରତ ସହ କୁଟନୈତିକ ସଂପର୍କ ଖରାପ ଯୋଗୁଁ ପାକିସ୍ତାନ ପ୍ରତିଯୋଗିତାରୁ ଓହରି ଯାଇଥିଲା। ତେବେ ପୁଣି ଥରେ ଭାରତ-ଶ୍ରୀଲଙ୍କା ଫାଇନାଲ୍‌ ମୁକାବିଲା ହୋଇଥିଲା ଏବଂ ଭାରତ ପୁନର୍ବାର ବାଜି ମାରିଥିଲା। କୋଲ୍‌କାତାର ଐତିହାସିକ ଇ‌େଡନ୍‌ ଗାର୍ଡେନ୍‌ରେ ଖେଳାଯାଇଥିବା ଫାଇନାଲ୍‌ରେ ୨୦୪ ରନ୍‌ର ପିଛା କରିଥିବା ଭାରତ ୭ ୱିକେଟ୍‌ରେ ବିଜୟୀ ହୋଇଥିଲା।
୪) ୧୯୯୫ରେ ଭାରତ ଓ ଶ୍ରୀଲଙ୍କା କ୍ରମାଗତ ଚତୁର୍ଥ ଥର ପାଇଁ ଟ୍ରଫି ମୁକାବିଲାରେ ଅବତୀର୍ଣ୍ଣ ହୋଇଥିଲେ। ସେଥର ୟୁଏଇ ଏସିଆ କପ୍‌ ଆୟୋଜନ କରିଥିଲା ବେଳେ ଶ୍ରୀଲଙ୍କାର ୨୩୦/୭ ଜବାବରେ ଭାରତ ୪୨ତମ ଓଭରରେ ମ୍ୟାଚ୍‌ ଜିତି ଚତୁର୍ଥ ଥର ଟ୍ରଫି ହାତେଇଥିଲା।
୫) ୧୯୯୫ ପରଠୁ ଭାରତ ପରବର୍ତୀ ୪ ସଂସ୍କରଣ ଧରି ବିଜେତା ହେବାରୁ ବଞ୍ଚିତ ହୋଇଥିଲା। ଏହି ୪ ସଂସ୍କରଣ ମଧ୍ୟରେ ମୋଟ ୩ ଏବଂ ଲଗାତର ୨ ଥର (୧୯୯୭, ୨୦୦୪ ଓ ୨୦୦୮) ଶ୍ରୀଲଙ୍କା ନିକଟରୁ ଫାଇନାଲ୍‌ରେ ପରାସ୍ତ ହୋଇଥିଲା। ତେବେ ୨୦୧୦ରେ ବିଜୟଧାରାକୁ ଫେରିଥିଲା। ସେହି ଶ୍ରୀଲଙ୍କାଠୁ ମଧୁର ପ୍ରତିଶୋଧ ନେଇ ନିଜର ପଞ୍ଚମ ଟ୍ରଫି କରାୟତ କରିଥିଲା ଭାରତ। ସେଥର ଫାଇନାଲ୍‌ରେ ଶ୍ରୀଲଙ୍କାକକୁ ୮୧ ରନ୍‌ରେ ପରାସ୍ତ କରିଦେଇଥିଲା।
୬) ୨୦୧୬ରେ ବିଶ୍ବକପ୍‌ ଦୃଷ୍ଟିରୁ ଟ୍ବେଣ୍ଟି-୨୦ ଫର୍ମାଟ୍‌ରେ ଖେଳାଯାଇଥିଲା ଏସିଆ କପ୍‌। ସମସ୍ତ ରାଉଣ୍ଡ୍‌ ରବିନ୍‌ ମ୍ୟାଚ୍‌ ଜିତି ନେଇଥିବା ଭାରତ ଢାକା ଫାଇନାଲ୍‌ରେ ଆୟୋଜକ ବାଂଲାଦେଶକୁ ୮ ୱିକେଟ୍‌ରେ ପରାସ୍ତ କରି ୬ ବର୍ଷ ପରେ ପ୍ରଥମ ତଥା ମୋଟ ଷଷ୍ଠ ଥର ଏସିଆ ବିଜେତା ହୋଇଥିଲା।
୭) ଚଳିତ ଥର ଭାରତ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ଏବଂ ହଂକଂ ସହ ଗ୍ରୁପ୍-ଏରେ ସ୍ଥାନ ପାଇଥିଲା। ଗ୍ରୁପ୍ ପର୍ଯ୍ୟାୟରେ ଅପରାଜେୟ ରହି ସୁପରଫୋରକୁ ଯିବା ପରେ ସେଠାରେ ମଧ୍ୟ ନିଜ ତିନିଟି ଯାକ ମୁକାବିଲାକୁ ଜିତିଥିଲା। ରୋମାଞ୍ଚକର ଫାଇନାଲରେ ବାଂଲାଦେଶକୁ ୩ ୱିକେଟ୍‌ରେ ପରାସ୍ତ କରି ସପ୍ତମ ଥର ପାଇଁ ଏସିଆ କପ୍ ଜିତିବାର ସୌଭାଗ୍ୟ ଲାଭ କରିଥିଲା।

ରୋହିତଙ୍କୁ ଶାସ୍ତ୍ରୀଙ୍କ ପ୍ରଶଂସା
ଦୁବାଇ: ଏସିଆ କପ୍ ଅଭିଯାନରେ ରୋହିତ ଶର୍ମାଙ୍କ ନେତୃତ୍ବରେ ତାଙ୍କ ଶାନ୍ତ ସ୍ବଭାବର ଚରିତ୍ର ପ୍ରତିଫଳିତ ହୋଇଛି ବୋଲି କହିଛନ୍ତି ଭାରତୀୟ ଦଳ ପ୍ରଶିକ୍ଷକ ରବି ଶାସ୍ତ୍ରୀ। ବାଂଲାଦେଶ ଯେଭଳି ଆରମ୍ଭ କରିଥିଲା ସେଥିରେ ରୋହିତ ବିଚଳିତ ନ ହୋଇ ଶାନ୍ତ ରହିଥିଲେ। ନେତୃତ୍ବରେ ତାଙ୍କ ଶାନ୍ତ ଚରିତ୍ର ପ୍ରତିଫଳିତ ହେବାରୁ ଭାରତ ସପ୍ତମ ଥର ଏସିଆ କପ୍ ଜିତିପାରିଲା। ଶେଷ ୩୦ ଓଭରରେ ଭାରତ ୧୦୦ ରନ୍ ଦେବା ମୁଁ ଭାବୁଛି ଚମତ୍କାର କଥା। ଏସିଆ କପରେ ଭାରତର ସବୁଠୁ ବଡ଼ ଫାଇଦା ହୋଇଛି ଦଳ ଉଲ୍ଲେଖନୀୟ କ୍ଷେତ୍ରରକ୍ଷଣ କରିଥିଲା। ପ୍ରତିଯୋଗିତା ସାରା ଖେଳାଳି ମାନେ ଏହା ଦେଖାଇଥିଲେ। କ୍ଷେତ୍ରରକ୍ଷଣ ଜରିଆରେ ଭାରତ ୩୦/୩୫ ରନ୍ ବଞ୍ଚାଇ ପାରିଥିଲା। ପାଳିର ମଧ୍ୟଭାଗରେ ମଧ୍ୟ ନିୟମିତ ଭାବେ ୱିକେଟ୍ ନେବା ବଡ଼ କଥା ଥିଲା। କଠୋର ପରିସ୍ଥିତିରେ ନୂଆ ବଲ୍‌ରେ ବୋଲିଂ କରିବା ପରେ ସ୍ପିନରମାନେ ସେମାନଙ୍କ କାମ କରିଥିଲେ। ଅଲଗା ଫର୍ମାଟ୍ ଥିଲେ ବି ଇଂଲଣ୍ଡ ଗସ୍ତରେ ମଧ୍ୟ ଭାରତ ଭଲ ଖେଳିଥିଲା। ସ୍କୋରଲାଇନ୍ ଏହାର ପ୍ରତିଫଳନ କରିନଥିଲେ ବି ଖେଳାଳିମାନେ ଭଲ ପ୍ରଦର୍ଶନ କରିଥିଲେ ବୋଲି ଶାସ୍ତ୍ରୀ କହିଥିଲେ।

ସମ୍ବନ୍ଧିତ ଖବର