ଧୋନିଙ୍କ ୩୫୦ତମ ଦିନିକିଆ

ମାଞ୍ଚେଷ୍ଟର: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ମଙ୍ଗଳବାର ଆଉ ଏକ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ମାଷ୍ଟର ବ୍ଲା‌ଷ୍ଟର ସଚିନ ତେନ୍ଦୁଲକରଙ୍କ ପରେ ଦ୍ବିତୀୟ ଭାରତୀୟ ଖେଳାଳି ଭାବେ ସେ ଆଜି ୩୫୦ତମ ଦିନିକିଆ ମ୍ୟାଚ୍ ଖେଳିଥିଲେ। ସେଥିମଧ୍ୟରୁ ଧୋନି ଭାରତ ପାଇଁ ୩୪୭ ଦିନିକିଆ ଖେଳିଥିଲା ବେଳେ ଏସିଆ ଏକାଦଶ ପାଇଁ ୩ ମ୍ୟାଚ୍ ଖେଳିଛନ୍ତି। ଏହି ମାଇଲଖୁଣ୍ଟ ଛୁଇଁବାରେ ସେ କିନ୍ତୁ ବିଶ୍ବର ଦଶମ ଖେଳାଳି ହୋଇଛନ୍ତି। ଧୋନିଙ୍କ ପୂର୍ବରୁ ସଚିନ ସର୍ବାଧିକ ୪୬୩ ମ୍ୟାଚ୍ ଖେଳିଛନ୍ତି। ସେହିଭଳି ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ମାହେଲା ଜୟବର୍ଧନେ ୪୪୮, ସନଥ ଜୟସୂରିୟା ୪୪୫, କୁମାର ସାଙ୍ଗାକାରା ୪୦୪, ପାକିସ୍ତାନର ସାହିଦ ଆଫ୍ରିଦି ୩୯୮, ଇଞ୍ଜମାମ-ଉଲ୍-ହକ୍ ୩୭୮, ଅଷ୍ଟ୍ରେଲିଆର ରିକି ପଣ୍ଟିଂ ୩୭୫, ପାକିସ୍ତାନର ୱାସିମ ଆକ୍ରମ ୩୫୬, ଶ୍ରୀଲଙ୍କାର ମୁଥିୟା ମୁରଲୀଧରନ୍ ୩୫୦ ଦିନିକିଆ ଖେଳିଛନ୍ତି। ତେବେ ଜଣେ ବିଶେଷଜ୍ଞ ୱିକେଟ୍ ରକ୍ଷକ ଭାବେ ଲଗାତାର ୩୫୦ ଏକଦିବସୀୟ ମ୍ୟାଚ୍ ଖେଳିବାରେ ଧୋନି ବିଶ୍ବର ପ୍ରଥମ ଖେଳାଳି ହୋଇଛନ୍ତି। ସାଙ୍ଗାକାରା ୱିକେଟ୍ ରକ୍ଷକ ଭାବେ ୩୬୦ ମ୍ୟାଚ୍ ଖେଳିଛନ୍ତି। ହେଲେ ଏହି ମ୍ୟାଚ୍ ସେ ଲଗାତାର ଭାବେ ଖେଳି ନାହାନ୍ତି। ସେ ୪୪ ଦିନିକିଆ ବିଶେଷଜ୍ଞ ବ୍ୟାଟ୍ସମ୍ୟାନ ଭାବେ ଖେଳିଛନ୍ତି। ଦୁଇ ଦିନ ତଳେ ନିଜ ୩୮ତମ ଜନ୍ମ ଦିବସ ପାଳନ କରିଥିବା ଧୋନି ଅବତୀର୍ଣ୍ଣ ହୋଇଥିବା ୩୫୦ ଦିନିକିଆ ମଧ୍ୟରୁ ୨୦୦ ଦିନିକିଆରେ ଅଧିନାୟକ ଦାୟିତ୍ବ ତୁଲାଇଛନ୍ତି। ଏଭଳି କରିବାରେ ସେ ବିଶ୍ବର ତୃତୀୟ ଏବଂ ଭାରତର ଏକମାତ୍ର କ୍ରିକେଟର।

ସମ୍ବନ୍ଧିତ ଖବର