‘୩୬ ଅଲ୍‌ଆଉଟ୍‌’ ଟ୍ବିଟ୍‌କୁ ନେଇ ଝଡ଼

ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟ୍ରଫି ଆରମ୍ଭ ହେବାକୁ ଆଉ ଅଳ୍ପ ଦିନ ବାକି ଥିଲା ବେଳେ କ୍ରିକେଟ୍‌ ଅଷ୍ଟ୍ରେଲିଆର ‘୩୬ ଅଲ୍ଆଉଟ୍‌’ ଟ୍ବିଟ୍‌କୁ ନେଇ ସୋସିଆଲ୍‌ ମିଡିଆରେ ଝଡ଼ ଦେଖାଦେଇଛି। ଭାରତର ୨୦୨୦-୨୧ ଅଷ୍ଟ୍ରେଲିଆ ଗସ୍ତ ବେଳେ ପ୍ରଥମ ମ୍ୟାଚ୍‌ରେ ଲଜ୍ଜାଜନକ ପରାଜୟ ଏବେ ପୁଣି ଥରେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚିତ ପ୍ରସଙ୍ଗ ପାଲଟିଲାଣି। କ୍ରିକେଟ୍‌ ଅଷ୍ଟ୍ରେଲିଆ ତାହାର ଟ୍ବିଟର ପେଜ୍‌ରେ ଆଡିଲେଡ୍‌ରେ ଭାରତର ୩୬ ରନ୍‌ରେ ସମସ୍ତ ୱିକେଟ୍‌ ହରାଇବା ଘଟଣାର ଭିଡିଓକୁ ପୋଷ୍ଟ କରିବା ପରେ ଅନେକ ଭାରତୀୟ ପ୍ରଶଂସକ, ଏପରିକି ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା ପ୍ରତିକ୍ରିୟାଶୀଳ ହୋଇପଡ଼ିଥିଲେ।

ଏହି ପୋଷ୍ଟିଂ ପରେ ପ୍ରଶଂସକମାନେ ଉକ୍ତ ଶୃଙ୍ଖଳାର ଫଳାଫଳକୁ ମନେପକାଇ ଦେଇଥିଲେ। ଶୃଙ୍ଖଳାରେ ଭାରତ ୨-୧ରେ ବିଜୟୀ ହୋଇଥିଲା। ଆଜିଙ୍ଖ୍ୟ ରାହାଣେଙ୍କ ନେତୃତ୍ବରେ ଯାଇଥିବା ଭାରତୀୟ ଦଳ ପ୍ରଥମ ମ୍ୟାଚ୍‌ରେ ଝୁଣ୍ଟିଥିଲେ ବି ପରବର୍ତ୍ତୀ ମ୍ୟାଚ୍‌ଗୁଡ଼ିକରେ ଘରୋଇ ଦଳକୁ ବଡ଼ ଆଘାତ ଦେଇଥିଲେ। ପ୍ରଥମ ମ୍ୟାଚ୍‌ରେ ଭାରତ ୮ ୱିକେଟ୍‌ରେ ହାରିଥିଲା ବେଳେ ବକ୍ସିଂ ଡେ’ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୮ ୱିକେଟ୍‌ରେ ହରାଇ ଭାରତ ତାହାର ପ୍ରତିଶୋଧ ନେଇଥିଲା। ଶୃଙ୍ଖଳା ମଝିରେ ଭାରତର ଏକାଧିକ ଖେଳାଳି ଆହତ ହୋଇଥିଲେ, କିନ୍ତୁ ଋଷଭ ପନ୍ତ୍‌ଙ୍କ ଦମ୍‌ଦାର ବ୍ୟାଟିଂ ବଳରେ ସିଡ୍‌ନି ଟେଷ୍ଟ ଅମୀମାଂସିତ ରହିଥିଲା। ପରେ ଗାବାରେ ଖେଳାଯାଇଥିବା ଶେଷ ମ୍ୟାଚ୍‌ରେ ଭାରତ ୩ ୱିକେଟ୍‌ରେ ଐତିହାସିକ ବିଜୟ ପାଇଥିଲା। ୩୨ ବର୍ଷ ପରେ ଗାବାରେ ଅଷ୍ଟ୍ରେଲିଆ ପରାଜୟ ସ୍ବାଦ ଚାଖିଥିଲା। ତେବେ ଭାରତରେ ଏଥର ଖେଳାଯାଉଥିବା ଶୃଙ୍ଖଳାରେ ଅଷ୍ଟ୍ରେଲିଆ ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିବ।

ସମ୍ବନ୍ଧିତ ଖବର