ବିଶାଖାପାଟଣା: ସ୍ଥାନୀୟ ଡ. ଓ୍ଵାଇ.ଏସ୍. ରାଜଶେଖର ରେଡ୍ଡୀ କ୍ରିକେଟ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଦିନିକିଆରେ ଓପନର ରୋହିତ ଶର୍ମା (୧୫୯ ରନ୍, ୧୩୮ ବଲ, ୧୭ ଚୌକା, ୫ ଛକା) ଓ କେ.ଏଲ୍ ରାହୁଲ (୧୦୨ ରନ୍, ୧୦୪ ବଲ, ୮ ଚୌକା, ୩ ଛକା)ଙ୍କ ଶତକ ବଳରେ ଭାରତ ୱେଷ୍ଟଇଣ୍ଡିଜ୍କୁ ୩୮୮ ରନ୍ ବିଜୟ ଲକ୍ଷ୍ୟ ଦେଇଛି। ଟସ୍ ଜିଣି ୱେଷ୍ଟଇଣ୍ଡିଜ୍ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରିଥିଲା। ଟିମ୍ ନିର୍ଦ୍ଧାରିତ ୫୦ ଓଭରରେ ୫ଟି ଓ୍ଵିକେଟ୍ ହରାଇ ୩୮୭ ରନ୍ ସଂଗ୍ରହ କରିଛି।
ପ୍ରଥମ ଇନିଂସରେ ଆଜି ଭାରତ ପୂରା ଦମ୍ରେ ଖେଳିଥିଲା। ରୋହିତ ଓ ରାହୁଲଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦଳ ପ୍ରଥମ ଓ୍ଵିକେଟ୍ରେ ୨୨୭ ରନ୍ ସଂଗ୍ରହ କରିଥିଲା। ୱେଷ୍ଟଇଣ୍ଡିଜ୍ର ପ୍ରଥମ ଶିକାର ହୋଇଥିଲେ ଲୋକେଶ ରାହୁଲ। ୩୭ତମ ଓଭରର ଶେଷ ବଲରେ ଲୋକେଶ ପାଭଲିଅନ୍କୁ ଫେରିବା ପରେ ତାଙ୍କ ସ୍ଥାନ ନେଇଥିଲେ ଅଧିନାୟକ ବିରାଟ କୋହଲି। ଟିମ୍ର ସ୍କୋର ୨୩୨ ରନ୍ ଥିବା ବେଳେ କୋହଲି ମାତ୍ର ଗୋଟିଏ ବଲ୍ର ସମ୍ମୁଖୀନ ହୋଇ ସେଲ୍ଡନ କଟ୍ରେଲଙ୍କ ଦ୍ୱାରା ଆଉଟ୍ ହୋଇଥିଲେ।
/sambad/media/post_attachments/wp-content/uploads/2019/12/India-1.jpg)
ଏହାପରେ ଟିମ୍ ଇଣ୍ଡିଆ ତୃତୀୟ ଓ୍ଵିକେଟ୍ ଭାବେ ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କୁ ହରାଇଥିଲା। ସେ କଟ୍ରେଲଙ୍କ ଦ୍ୱାରା ଆଉଟ୍ ହେବା ବେଳକୁ ଭାରତର ସ୍କୋର ୨୯୨ ରନ୍ରେ ପହଞ୍ଚି ସାରିଥିଲା। ଭାରତ ୪ର୍ଥ ଓ୍ଵିକେଟ୍ ଭାବେ ଯୁବ ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କୁ ହରାଇଥିଲା। ପନ୍ତ ମାତ୍ର ୧୬ଟି ବଲ ଖେଳି (୧୬ ବଲ, ୩ ଚୌକା, ୪ ଛକା) ଦଳ ପାଇଁ ୩୯ ରନ୍ ଯୋଡ଼ିଥିଲେ। ସେ କିମୋ ପଲଙ୍କ ବଲ ନିକୋଲାସ ପୂରନଙ୍କୁ କ୍ୟାଚ୍ ଦେଇ ଆଉଟ୍ ହୋଇଥିଲେ। ପରେ ମଧ୍ୟକ୍ରମର ବ୍ୟାଟସ୍ମ୍ୟାନ୍ ଶ୍ରେୟସ ଆୟର ପଡ଼ିଆକୁ ଆସ ୫୩ ରନ୍ କରିଥିଲେ। ଆୟର ୩୨ଟି ବଲ ଖେଳି ୩ଟି ଚୌକା ଓ ୪ଟି ଛକା ମାରିଥିଲେ। କେଦାର ଯାଦବ ୧୦ଟି ବଲ ଖେଳି ଅପରାଜିତ ୧୬ ରନ୍ କରିଥିଲେ। ତେବେ ରୋହିତ ଶର୍ମା ଓ କେ.ଏଲ୍ ରାହୁଲଙ୍କ ଶତକ ଜରିଆରେ ବଡ଼ ସ୍କୋର ଛିଡ଼ା କରିବାରେ ସକ୍ଷମ ହୋଇଛି।