ଡେରାଡୁନ୍‌: ବଛା ବଛା କଳାକାରଙ୍କ ଦ୍ବାରା ଶିବ ତାଣ୍ଡବର ମନ୍ତ୍ରମୁଗ୍ଧକର ପରିବେଷଣ, ଆଖି ଝଲସେଇ ଦେଲାଭଳି ଲେଜର ସୋ’, ଇନ୍ଦ୍ରଧନୁର ଭ୍ରମ ସୃଷ୍ଟି କରୁଥିବା ସତରଙ୍ଗୀ ଆଲୋକମାଳା ଏବଂ ବଡ଼ ପରଦାରେ ବିଶ୍ବର ସର୍ବୋଚ୍ଚ ଗିରିଶୃଙ୍ଗକୁ ଗର୍ବରେ ଧାରଣ କରିଥିବା ହିମାଳୟ ପର୍ବତମାଳାର ଅମୂଲ୍ୟ ଜୈବ ବିବିଧତାକୁ ବର୍ଣ୍ଣନା କରୁଥିବା ବୃତ୍ତଚିତ୍ରର ମନୋରମ ପ୍ରଦର୍ଶନ ସହ ଉତ୍ତରାଖଣ୍ଡର ପାରମ୍ପରିକ ଲୋକନୃତ୍ୟ ଆଧାରରେ ୧୨୦୦ ସ୍କୁଲ୍ ଛାତ୍ରଙ୍କ ଦ୍ବାରା ଆୟୋଜିତ ସ୍ବତନ୍ତ୍ର ନୃତ୍ୟ ଭିତ୍ତିକ କାର୍ଯ୍ୟକ୍ରମର ରଙ୍ଗାରଙ୍ଗ ପରିବେଶ ଭିତରେ ୩୮ତମ ଜାତୀୟ କ୍ରୀଡ଼ା ଉତ୍ତରାଖଣ୍ଡର ଡେରାଡୁନରେ ମଙ୍ଗଳବାର ଉଦ୍‌ଘାଟିତ ହୋଇଛି। କୋହଲା ପାଗ ସତ୍ତ୍ବେ ହଜାର ହଜାର କ୍ରୀଡ଼ାପ୍ରେମୀଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫେବ୍ରୁଆରି ୧୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କ୍ରୀଡ଼ା ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ପରିବେଶ ସୁରକ୍ଷାର ବାର୍ତ୍ତା ଏବଂ ସବୁଜ ଖେଳର ଥିମ୍ ଏଥର ଜାତୀୟ କ୍ରୀଡ଼ାକୁ ସ୍ବତନ୍ତ୍ର ଓ ସ୍ମରଣୀୟ କରିଛି। ସେହିଭଳି ପ୍ରଥମ ଥର ଲାଗି ଯୋଗ ଓ ମାଲଖମ୍ବ ସାମିଲ ହେବା ସ୍ବଦେଶୀ ଖେଳକୁ ପ୍ରୋତ୍ସାହନ ଦେବାର ପ୍ରତିଶ୍ରୁତି ବହନ କରୁଛି। 

Advertisment

୩୨ ଖେଳରେ ଭାଗ ନେଉଛନ୍ତି ୧୦,୦୦୦ରୁ ଅଧିକ ଖେଳାଳି, ସବୁଜ କ୍ରୀଡ଼ା ଥିମ୍ ଓ ସୌର ଶକ୍ତିର ଉପଯୋଗକୁ ଗୁରୁତ୍ବ

୨୦୩୬ ଅଲିମ୍ପିକ୍ସ ଆୟୋଜନ ଅଧିକାର ପାଇବା ଲାଗି ସବୁ ଶକ୍ତି ଖଟାଇ ଦେବୁ: ମୋଦୀ

ମଙ୍ଗଳବାର ସଂଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦୀ ସ୍ଥାନୀୟ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ ଭିତରେ ପ୍ରବେଶ କରିବା ସହ ଉପସ୍ଥିତ ଦର୍ଶକ ତାଙ୍କୁ ଜୟ ଶ୍ରୀରାମ ସ୍ଲୋଗାନ୍‌ରେ ସ୍ବାଗତ କରିଥିଲେ। ‌ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ପର୍ବ ପରେ ଆୟୋଜକ ରାଜ୍ୟ ଖେଳମନ୍ତ୍ରୀ ରେଖା ଆର୍ଯ୍ୟ ସ୍ବାଗତ ଭାଷଣ ଦେଇଥିଲେ। ଭାରତୀୟ ଅଲିମ୍ପିକ୍ସ ସଂଘ ସଭାପତି ତଥା ଦୌଡ଼ରାଣୀ ପିଟି ଉଷା ଉତ୍ତରାଖଣ୍ଡ ପାଇଁ ଏହା ଐତିହାସିକ ଦିନ ବୋଲି ନିଜ ଅଭିଭାଷଣରେ କହିଥିଲେ। ମୋଦୀ ଏହା ପରେ ୧୧ଜଣ ବିଶିଷ୍ଟ ଖେଳାଳିଙ୍କୁ ମଞ୍ଚ ଉପରେ ଭେଟିଥିଲେ। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ତାଙ୍କୁ ରାଜ୍ୟପାଳ ଗୁରମିତ ସିଂହଙ୍କ ଉପସ୍ଥିତିରେ ସମ୍ବର୍ଦ୍ଧିତ କରିଥିଲେ। ମୁଖ୍ୟମନ୍ତ୍ରୀ ଧାମି ଏଥରର ଜାତୀୟ କ୍ରୀଡ଼ା ଆୟୋଜନରେ ସୌର ଶକ୍ତିର ଉପଯୋଗକୁ ଗୁରୁତ୍ବ ଦିଆଯାଇଥିବା ଏବଂ ଏଥିରେ ୩୨ ଖେଳରେ ୧୦,୦୦୦ରୁ ଅଧିକ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିବେ ବୋଲି କହିଥିଲେ। ଖେଳାଳିମାନଙ୍କୁ ବିଶ୍ବସ୍ତରୀୟ ସୁବିଧା ସୁଯୋଗ ପ୍ରଦାନ କରିବା ସହ ସବୁଜ ଖେଳର ଥିମ୍‌କୁ ନେଇ ଆଗେଇ ନେବାକୁ ଉତ୍ତରାଖଣ୍ଡ ପ୍ରତିଶ୍ରୁତିବଦ୍ଧ ବୋଲି ମତ ପ୍ରକାଶ କରିଥିଲେ। ଏହା ପରେ ଦଳୀୟ ବ୍ୟାଣ୍ଡ ସହ ଖେଳାଳିଙ୍କ ପରେଡ୍ ଆରମ୍ଭ ହୋଇଥିଲା।

ପ୍ରଥମେ ଆଣ୍ଡାମାନ ଓ ନିକୋବର ଏବଂ ଏହା ପରେ ଆସାମ, ବିହାର, ଚଣ୍ଡିଗଡ଼, ଦିଲ୍ଲୀ, ଗୋଆ, ଗୁଜରାଟ, ହରିୟାଣା, ହିମାଚଳ, ଜମ୍ମୁ କଶ୍ମୀର, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଓଡ଼ିଶା ଆଦି ରାଜ୍ୟର ଖେଳାଳିମାନେ ଷ୍ଟାଡିୟମ୍‌ରେ ପ୍ରବେଶ କରିଥିଲେ। ପ୍ରଧାନମନ୍ତ୍ରୀ ହାତ ହଲାଇ ସେମାନଙ୍କ ଅଭିବାଦନ ଗ୍ରହଣ କରିଥିଲେ। ମୋଦୀ ଏହି ଅବସରରେ କହିଥିଲେ, ୨୦୩୬ ଅଲିମ୍ପିକ୍ସ ଆୟୋଜନ ଅଧିକାର ପାଇବା ଲାଗି ଆମେ ସବୁ ଶକ୍ତି ଖଟାଇ ଦେଇଛୁ। ଏହି କ୍ରୀଡ଼ା ମହାକୁମ୍ଭ ଆୟୋଜନ ଭାରତୀୟ କ୍ରୀଡ଼ାକୁ ନୁଆ ସ୍ତରକୁ ନେବ ବୋଲି ମୋର ଦୃଢ଼ ଆଶା ଓ ବିଶ୍ବାସ ରହିଛି। କାରଣ ଯେଉଁଠାରେ ବି ଅଲିମ୍ପିକ୍ସ ଆୟୋଜନ ହୋଇଥାଏ, ସେଠାକାର କ୍ରୀଡ଼ା ଭିତ୍ତିଭୂମି‌ ବଢ଼ିଥାଏ। ଖେଳାଳିମାନେ ମଧ୍ୟ ଉନ୍ନତ ସୁବିଧା ସୁଯୋଗ ପାଇଥା’ନ୍ତି। ‘ଏକ୍‌ ଭାରତ, ଶ୍ରେଷ୍ଠ ଭାରତ’ ସ୍ଲୋଗାନର ପ୍ରତିଛବି ଉଦ୍‌ଘାଟନୀ ଉତ୍ସବରେ ଦେଖିବାକୁ ମିଳିଥିବାରୁ ଉତ୍ତରାଖଣ୍ଡ ସରକାରଙ୍କୁ ପ୍ରଶଂସା କରିଥିଲେ ସେ। 

ଓଡ଼ିଶାରୁ  ୩୦୨, କିଟ୍‌-କିସ୍‌ର ୬୧
ମଙ୍ଗଳବାର ଉଦ୍‌ଘାଟିତ ହୋଇଥିବା ୩୮ତମ ଜାତୀୟ କ୍ରୀଡ଼ାରେ ଓଡ଼ିଶାର ୩୦୨ଜଣ ଖେଳାଳି ୨୬ ଖେଳରେ ଅଂଶଗ୍ରହଣ କରିବେ। ସେଥିମଧ୍ୟରୁ କିଟ୍ ଓ କିସ୍‌ର ୬୧ଜଣ ଖେଳାଳି ରହିଛନ୍ତି। ଓଡ଼ିଶାର ଏହି ବିଶାଳ ଦଳରେ ୧୬୫ଜଣ ପୁରୁଷ ଓ  ୧୩୭ଜଣ ମହିଳା ଖେଳାଳି ଥିଲା ବେଳେ ୭୩ଜଣ ହେଉଛନ୍ତି ପ୍ରଶିକ୍ଷକ, ପ୍ରବନ୍ଧକ ଓ ଫିଜିଓଙ୍କ ଭଳି ସପୋର୍ଟ ଷ୍ଟାଫ୍। ଓଡ଼ିଶା ଅଲିମ୍ପିକ୍ସ ସଂଘର ଯୁଗ୍ମ ସଂପାଦକ ଅଶୋକ କୁମାର ସାହୁ ରାଜ୍ୟ ଦଳର ସେଫ୍-ଡି’ ମିସନ୍ ରହିଛନ୍ତି। ଓଡ଼ିଶାର ସର୍ବାଧିକ ୩୬ଜଣ ଖେଳାଳି ହକିରେ ଏବଂ ଦ୍ବିତୀୟ ସର୍ବାଧିକ ୩୦ଜଣ ଖୋ ଖୋରେ ଅଂଶଗ୍ରହଣ କରିବେ। ସେହିଭଳି ଫୁଟବଲ୍‌ରେ ୨୨ଜଣ, ସନ୍ତରଣରେ ୨୫ଜଣ ଏବଂ ନୌଚାଳନା ଓ ରଗ୍‌ବିରେ ୨୪ଜଣ ଖେଳାଳି ରାଜ୍ୟର ପ୍ରତିନିଧିତ୍ବ କରିବେ। ଓଡ଼ିଶା ଖେଳାଳିଙ୍କୁ ଓଡ଼ିଶା ଅଲିମ୍ପିକ୍ସ ସଂଘର ସାଧାରଣ ସଂପାଦକ ଅଭିଜିତ ପାଲ୍, ସଭାପତି ଜଗମୋହନ ପଟ୍ଟନାୟକ ଓ ଅନ୍ୟ ସଦସ୍ୟମାନେ ଶୁଭକାମନା ଜଣାଇଛନ୍ତି। ସେପଟେ କିଟ୍ ଓ କିସ୍‌ର ୨୦ଜଣ ପୁରୁଷ ଓ ୪୧ଜଣ ମହିଳା ଖେଳାଳି ଜାତୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିବା ରାଜ୍ୟକ୍ରୀଡ଼ା ପାଇଁ ଆଉ ଏକ ଖୁସି ଖବର ହୋଇଛି। ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି ୱାଟର୍‌ପୋଲୋର ୧୫ଜଣ ଯାକ ଖେଳାଳି ହେଉଛନ୍ତି କିଟ୍ ଓ କିସ୍‌ର । କିଟ୍ ଓ କିସ୍‌ର ପ୍ରତିଷ୍ଠାତା ପ୍ରଫେସର ଅଚ୍ୟୁତ ସାମନ୍ତ ମଧ୍ୟ ଖେଳାଳିମାନଙ୍କୁ ଶୁଭକାମନା ଜଣାଇଥିଲା ବେଳେ ସ୍ବତନ୍ତ୍ର ବାର୍ତ୍ତା ପଠାଇ ସେମାନଙ୍କ ମନୋବଳ ବଢ଼ାଇଛନ୍ତି।