ଭାରତୀୟ ମହିଳା ଦଳରେ ୩ ଓଡ଼ିଆ

ଭୁବନେଶ୍ବର: ଜାପାନର ହିରୋସିମାରେ ଜୁନ୍‌ ୧୫ରୁ ୨୨ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ମହିଳା ଏଫ୍‌ଆଇଏଚ୍‌ ସିରିଜ୍‌ ଫାଇନାଲ୍‌ସ ଲାଗି ବୁଧବାର ଭାରତୀୟ ଦଳ ଘୋଷିତ କରିଛି। ହକି ଇଣ୍ଡିଆ ଦ୍ବାରା ଘୋଷିତ ୧୮ ଜଣିଆ ଦଳରେ ରାଣୀଙ୍କୁ ନେତୃତ୍ବ ଭାର ମିଳିଥିଲା ବେଳେ ସବିତା ଉପଅଧିନାୟିକା ରହିଛନ୍ତି। ‌ଏହି ଦଳରେ ୩ ଓଡ଼ିଆ ଦୀପଗ୍ରେସ ଏକ୍କା, ସୁନିତା ଲାକ୍ରା ଏବଂ ଲିଲିମା ମିଞ୍ଜଙ୍କୁ ସ୍ଥାନ ମିଳିଛି। ଏହି ପ୍ରତିଯୋଗିତାରେ ଭାରତ ଗ୍ରୁପ୍‌ ଏ’ରେ ପୋଲାଣ୍ଡ, ଉରୁଗୁଏ ଓ ଫିଜି ସହ ରହିଛି। ଗ୍ରୁପ୍‌ ବି’ରେ ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ଜାପାନ, ଚିଲି, ରୁ‌ଷିଆ ଏବଂ ମେକ୍ସିକୋ ରହିଛନ୍ତି। ଭାରତ ୧୫ ତାରିଖରେ ଉରୁଗୁଏ ସହ ଖେଳି ଅଭିଯାନ ଆରମ୍ଭ କରିବ। ଆମ ଦଳ ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ନେଇ ସନ୍ତୁଳିତ ରହିଛି। ଆହତ ମଧ୍ୟଭାଗ ଖେଳାଳି ରୀନା ଖୋକାରଙ୍କ ସ୍ଥାନରେ ନିଶାଙ୍କୁ ଦଳରେ ସ୍ଥାନ ମିଳିଛି। ସେ ଅନ୍ତର୍ଜାତୀୟ ପଦାର୍ପଣ କରିବାକୁ ଯାଉଥିବାରୁ ଭଲ କରିବାର ଆଶା ରହିଛି ‌ବୋଲି ମୁଖ୍ୟ ପ୍ରଶିକ୍ଷକ ଜୋଏର୍ଡ ମାରିନ୍‌ କହିଛନ୍ତି। ଏହି ପ୍ରତିଯୋଗିତା ପୂର୍ବରୁ ସ୍ପେନ୍‌, ମାଲେସିଆ ଓ କୋରିଆ ଗସ୍ତ କରି ଭଲ ଭାବେ ପ୍ରସ୍ତୁତି ହୋଇଛୁ। ଉରୁଗୁଏ ବିପକ୍ଷ ପ୍ରଥମ ମ୍ୟାଚ୍‌ରୁ ‌ହିଁ ଭଲ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛୁ ‌ବୋଲି ମାରିନ କହିଛନ୍ତି।
ଭାରତୀୟ ଦଳ‌: ସବିତା (ଉପଅଧିନାୟିକା), ରଜନୀ ଇଟିମାର୍ପୁ (ଗୋଲ୍‌ରକ୍ଷିକା), ଦୀପ୍‌ଗ୍ରେସ ଏକ୍କା, ନିଶା, ଗୁରଜିତ କୌର, ସାଲିମା ଟେଟେ, ସୁନିତା ଲାକ୍ରା (ରକ୍ଷଣଭାଗ), ମୋନିକା, ନିକ୍କି ପ୍ରଧାନ, ଲିଲିମା ମିଞ୍ଜ, ନେହା‌ ଗୋଏଲ, ସୁଶିଳା ଚାନୁ ପୁଖ୍ରାମ୍‌ବାମ୍‌ (ମଧ୍ୟଭାଗ), ରାଣୀ (ଅଧିନାୟିକା), ବନ୍ଦନା କଟାରିୟା, ନଭଜୋତ କୌର, ଲାଲରେମସିଆମି, ଜ୍ୟୋତି (ପୂରୋଭାଗ)।

ସମ୍ବନ୍ଧିତ ଖବର