ଆଡିଲେଡ୍: ବିଶ୍ବକପ୍ ପ୍ରସ୍ତୁତି ନିମନ୍ତେ ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ହକି ଦଳ କ୍ରମାଗତ ୨ ପରାଜୟ ପରେ ବୁଧବାର ବିଜୟ ସ୍ବାଦ ଚାଖିଛି। ପ୍ରଥମ ମ୍ୟାଚ୍କୁ ୪-୫ ଏବଂ ଦ୍ବିତୀୟକୁ ୪-୭ରେ ହାରିଥିବା ଭାରତ ବୁଧବାର ଚମତ୍କାର ଢଙ୍ଗରେ ପ୍ରତ୍ୟାବର୍ତ୍ତନ କରି ବିଶ୍ବ ବିଜେତା ଅଷ୍ଟ୍ରେଲିଆକୁ ୪-୩ ଗୋଲ୍ରେ ମାତ୍ ଦେଇଛି। ପ୍ରଥମ ବିଜୟ ସହ ଭାରତ ମଧ୍ୟ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାକୁ ଉଜ୍ଜୀବିତ ରଖିଛି। ସଂପ୍ରତି ଏହି ଶୃଙ୍ଖଳାରେ ଭାରତ ୧-୨ରେ ପଛୁଆ ରହିଛି। ଶନିବାର ଚତୁର୍ଥ ଏବଂ ରବିବାର ଶେଷ ମ୍ୟାଚ୍ ଖେଳି ଭାରତ ଏହି ଗସ୍ତ ଶେଷ କରିବ।
ବୁଧବାର ମ୍ୟାଚ୍ର ଦ୍ବାଦଶ ମିନିଟ୍ରେ ଭାରତକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଅଧିନାୟକ ହର୍ମନପ୍ରୀତ ସିଂହ ଗୋଲ୍ରେ ପରିଣତ କରି ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। ୨୫ତମ ମିନିଟ୍ରେ ଜାକ୍ ଓେଚ୍ଙ୍କ ଗୋଲ୍ରେ ଅଷ୍ଟ୍ରେଲିଆ ସ୍ଥିତି ସମାନ କରିଥିଲା। ପ୍ରଥମାର୍ଦ୍ଧ ୧-୧ରେ ଶେଷ ହେବାପରେ ଦ୍ବିତୀୟାର୍ଦ୍ଧ ଆରମ୍ଭରୁ ଅଧିନାୟକ ଅରାନ ଜାଲେୱସ୍କି (୩୨ ମିନିଟ୍)ଙ୍କ ଗୋଲ୍ ବଳରେ ଅଷ୍ଟ୍ରେଲିଆ ଅଗ୍ରଣୀ ନେଇଥିଲା। ତେବେ ଶେଷ କ୍ବାର୍ଟରରେ ଭାରତ ଚମତ୍କାର ଖେଳିବା ସହ ପ୍ରତ୍ୟାବର୍ତ୍ତନ କରିଥିଲା। ୪୭ତମ ମିନିଟ୍ରେ ଅଭିଷେକଙ୍କ ଗୋଲ୍ରେ ଭାରତ ମ୍ୟାଚ୍ ବରାବର କରିଥିଲା। ୫୭ତମ ମିନିଟ୍ରେ ସାମଶେର ସିଂହ ଗୋଲ୍ ଦେଇ ଦଳକୁ ୩-୨ରେ ଆଗୁଆ କରିଥିଲେ। ଏହାର ଦୁଇ ମିନିଟ୍ ପରେ ନରଥନ ଇଫ୍ରରଉମ୍ସ (୫୯ ମିନିଟ୍) ଗୋଲ୍ ଶୁଝି ଦେଇଥିଲେ। ତେବେ ମ୍ୟାଚ୍ ଶେଷ ହେବାକୁ ମାତ୍ର ୫୪ ସେକେଣ୍ଡ ଥିଲା ବେଳେ ଆକାଶଦୀପ ସିଂହ (୬୦ ମିନିଟ୍) ଗୋଲ୍ ଦେଇ ଭାରତକୁ ବିଜୟ ଭେଟି ଦେଇଥିଲେ।