ପୁଣେ : ଭାରତ ଓ ଇଂଲଣ୍ଡ ମଧ୍ୟରେ ମାର୍ଚ୍ଚ ୨୮ ତାରିଖରେ ଖେଳାଯିବାକୁ ଥିବା ତୃତୀୟ ତଥା ଶେଷ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ସ୍ଥାନାନ୍ତର ହୋଇପାରେ। ଏହି ମ୍ୟାଚ୍ ପୁଣେରେ ଖେଳାଯିବାକୁ ସୂଚୀ ରହିଛି। ହେଲେ ଭ୍ରମଣକାରୀ ଦଳର ସୁସ୍ଥ ଭ୍ରମଣକୁ ଦୃଷ୍ଟିରେ ରଖି ଏହି ମ୍ୟାଚ୍କୁ ମୁମ୍ବାଇକୁ ସ୍ଥାନାନ୍ତର କରାଯିବାକୁ ବିସିସିଆଇ ସହ ଆଲୋଚନା ଜାରି ରହିଛି। ବିଶେଷକରି ଭ୍ରମଣକାରୀ ଦଳ ସୁରୁଖୁରୁରେ ଯେପରି ଲଣ୍ଡନ ଫେରିପାରିବ ସେଥିପାଇଁ ମ୍ୟାଚ୍ ମୁମ୍ବାଇକୁ ସ୍ଥାନାନ୍ତର ପାଇଁ ଯୋଜନା କରାଯାଉଛି। ଏନେଇ ବିସିସିଆଇର ଚୂଡାନ୍ତ ନିଷ୍ପତ୍ତିକୁ ଅପେକ୍ଷା କରିଛୁ ବୋଲି ମହାରାଷ୍ଟ୍ର କ୍ରିକେଟ୍ ସଂଘ (ଏମ୍ସିଏ) ପକ୍ଷରୁ ଏକ ଇସ୍ତାହାରରେ କୁହାଯାଇଛି। ଏମ୍ସିଏ ମଧ୍ୟ ଭାରତ-ଇଂଲଣ୍ଡ ତିନିଟିଯାକ ଦିନିକିଆ ଆନ୍ତର୍ଜାତିକକୁ ମାର୍ଚ୍ଚରେ ଆୟୋଜନ କରିବା ପାଇଁ ପ୍ରସ୍ତୁତ ବୋଲି ସଂକେତ ଦେଇଛନ୍ତି ସଂଘର ସଭାପତି ବିକାଶ କାକାଟକର। ତିନିଟିଯାକ ଦିବାରାତ୍ର ଦିନିକିଆ ମ୍ୟାଚ୍ ମାର୍ଚ୍ଚ ୨୩ (ମଙ୍ଗଳବାର), ୨୬ (ଶୁକ୍ରବାର) ଓ ୨୮ (ରବିବାର) ତାରିଖ ଦିନ ଗାହୁଞ୍ଜେସ୍ଥିତ ଷ୍ଟାଡିୟମ୍ରେ ଖେଳାଯିବ। ପିମ୍ପ୍ରି ଚିଞ୍ଚ୍ୱାଦ ପୁଲିସ କମିଶନର କୃଷ୍ଣ ପ୍ରକାଶ ଏବଂ ବିସିସିଆଇ ଏସିୟୁ ଅଧିକାରୀମାନେ ଷ୍ଟାଡିୟମ୍ ପରିଦର୍ଶନ କରିଛନ୍ତି। ଏହିସବୁ ମ୍ୟାଚ୍ ପାଇଁ କେତେ ପ୍ରତିଶତ ଦର୍ଶକଙ୍କୁ ଅନୁମତି ମିଳିବ ସେନେଇ ପରେ ନିଷ୍ପତ୍ତି ନିଆଯିବ ବୋଲି ଏମ୍ସିଏ ପକ୍ଷରୁ କୁହାଯାଇଛି।
ସାମ୍ କରନ୍ ଟେଷ୍ଟ୍ ଶୃଙ୍ଖଳାରୁ ବାଦ୍
ଅହମ୍ମଦାବାଦ୍ : ଇଂଲଣ୍ଡ ଅଲ୍ରାଉଣ୍ଡର ସାମ୍ କରନ୍ ଭାରତ ବିପକ୍ଷ ଅବଶିଷ୍ଟ ଟେଷ୍ଟ୍ ଶୃଙ୍ଖଳାରୁ ବାଦ୍ ପଡ଼ିଛନ୍ତି। କରୋନା ମହାମାରୀ ଜନିତ ଭ୍ରମଣ କଟକଣା ଯୋଗୁଁ କରନ୍ ଦଳର ଚୟନ ପ୍ରକ୍ରିୟା ପାଇଁ ଉପଲବ୍ଧ ହୋଇପାରିବେନି। ଫଳରେ ସେ ଅବଶିଷ୍ଟ ୨ଟି ଟେଷ୍ଟ୍ରୁ ବାଦ୍ ପଡ଼ିଲେ ବୋଲି ଘୋଷଣା କରାଯାଇଛି। ଏହି ୨୨ ବର୍ଷ ବୟସ୍କ ଅଲ୍ରାଉଣ୍ଡର ଇଂଲଣ୍ଡ ସୀମିତ ଓଭର ଦଳ ସହ ଫେବ୍ରୁଆରି ୨୬ ତାରିଖରେ ଭାରତରେ ପହଞ୍ଚିବେ। କରନ୍ ଅହମ୍ମଦାବାଦ ଯାଇ ତୃତୀୟ ଟେଷ୍ଟ୍ ପୂର୍ବରୁ ଦଳରେ ଯୋଗଦେବାର ଯୋଜନା ରହିଥିଲା। ସେ ଚତୁର୍ଥ ଟେଷ୍ଟ୍ ଖେଳିବା ପାଇଁ ଉପଲବ୍ଧ ହେବେ ବୋଲି ଦଳ ପକ୍ଷରୁ କୁହାଯାଇଥିଲା। ହେଲେ ଏବେ କରୋନା ମହାମାରୀ ଜନିତ ଭ୍ରମଣ କଟକଣା ତାଙ୍କୁ ଟେଷ୍ଟ୍ ଶୃଙ୍ଖଳାରୁ ବଞ୍ଚିତ ରଖିବ। କରନ୍ ଗତ ମାସରେ ଶ୍ରୀଲଙ୍କା ବିପକ୍ଷ ଦୁଇଟିଯାକ ଟେଷ୍ଟ୍ ଖେଳିଥିଲେ। ସେଥିରେ ସେ ୩୮.୦୦ ହାରରେ ୩ ୱିକେଟ୍ ପାଇଥିଲେ। କିନ୍ତୁ ଭାରତ ବିପକ୍ଷ ଚେନ୍ନାଇ ଟେଷ୍ଟ୍ ଖେଳିବା ପାଇଁ ଦଳ ସହ ଆସିବା ପୂର୍ବରୁ ବିଶ୍ରାମ ପାଇ ଜନି ବେୟାରଷ୍ଟୋ ଓ ମାର୍କ ଉଡ୍ଙ୍କ ସହିତ ଇଂଲଣ୍ଡ ଫେରିଯାଇଥିଲେ। ତେବେ ବେୟାରଷ୍ଟୋ ଓ ଉଡ୍ ଭାରତ ପ୍ରତ୍ୟାବର୍ତ୍ତନ କରିଥିଲା ବେଳେ ଏବେ ଲଣ୍ଡନରୁ ଭାରତକୁ ସିଧାସଳଖ ବିମାନ ସୁବିଧା ଉପଲବ୍ଧ ନଥିବାରୁ କରନ୍ଙ୍କ ଫେରିବା ସମ୍ଭବ ହେଉନାହିଁ। ପୁଣି ସଂଗରୋଧ ଅବଧି ତାଙ୍କୁ ଟେଷ୍ଟ୍ ଶୃଙ୍ଖଳା ପାଇଁ ଉପଲବ୍ଧ ହେବାରେ ବାଧକ ସାଜିବାରୁ ଦଳରୁ ବାଦ୍ ପଡ଼ିଛନ୍ତି। ଅହମ୍ମଦାବାଦରେ ପରବର୍ତୀ ଦୁଇଟିଯାକ ଟେଷ୍ଟ୍ ଖେଳାଯିବାକୁ ଥିଲା ବେଳେ ମାର୍ଚ୍ଚ ୪ ତାରିଖରୁ ଚତୁର୍ଥ ତଥା ଶେଷ ଟେଷ୍ଟ୍ ଆରମ୍ଭ ହେବ। ଏହା ପୂର୍ବରୁ ଫେବ୍ରୁଆରି ୨୪ରୁ ତୃତୀୟ ଟେଷ୍ଟ୍ ଆରମ୍ଭ ହେବ। ତେବେ ଭାରତ ବିପକ୍ଷ ସୀମିତ ଓଭର ଶୃଙ୍ଖଳା ଟି-୨୦ରୁ ଆରମ୍ଭ ହେବ। ମାର୍ଚ୍ଚ ୧୨ ତାରିଖରୁ ଏହି ଶୃଙ୍ଖଳା ଆରମ୍ଭ ହେବ।