ଭାରତ-ଇଣ୍ଡିଜ୍ ତୃତୀୟ ଏକଦିବସୀୟ : ଟସ୍ ଜିତି ଭାରତର ବୋଲିଂ ଜାରି, ଓପନିଂ ଯୋଡ଼ିଙ୍କୁ ପାଭଲିଅନ ଫେରାଇଲେ ବୁମରା

ପୁନେ : ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ପାଞ୍ଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ତୃତୀୟ ମୁକାବିଲା ଶନିବାର ପୁନେର ମହାରାଷ୍ଟ୍ର କ୍ରିକେଟ୍ ସଂଘ ଷ୍ଟାଡିୟମରେ ଆରମ୍ଭ ହୋଇଛି । ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଟସ୍ ଜିଣି ପ୍ରଥମେ ବୋଲିଂ କରିବା ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ଦଳରେ ତିନିଟି ପରିବର୍ତ୍ତନ କରାଯାଇଛି। ଭୁବନେଶ୍ବର କୁମାର, ଯଶପ୍ରୀତ ବୁମରାଙ୍କୁ  ଫେରାଇ ଆଣାଯିବା ସହ ଖଲିଲ୍ ଅହମ୍ମଦଙ୍କୁ ମଧ୍ୟ ସାମିଲ୍ କରାଯାଇଛି। ତେବେ ବୁମରାଙ୍କୁ ମିଳିଛି ପ୍ରାରମ୍ଭିକ ସଫଳତା ସେ ୱେଷ୍ଟଇଣ୍ଡିଜର ଓପନିଂ ଯୋଡ଼ି କିରେନ୍ ପାୱେଲ୍ ଓ ଚନ୍ଦ୍ରପଲ୍ ହେମରାଜଙ୍କୁ ପାଭଲିଅନକୁ ଫେରାଇବାରେ ସଫଳ ହୋଇଛନ୍ତି।

ୱେଷ୍ଟଇଣ୍ଡିଜର ଓପନିଂ ଯୋଡ଼ି କିରେନ୍ ପାୱେଲ୍ ଓ ଚନ୍ଦ୍ରପଲ୍ ହେମରାଜ୍ ଇନିଂସ୍ ଆରମ୍ଭ କରିଥିବା ବେଳେ ମାତ୍ର ୧୫ ରନ୍ କରି ଚନ୍ଦ୍ରପଲ୍ ପାଭଲିଅନକୁ ଫେରିଯାଇଛନ୍ତି। ସେ ଯଶପ୍ରୀତ ବୁମ୍ରାଙ୍କ ବଲରେ ଓ୍ବିକଟରକ୍ଷକ ଧୋନୀଙ୍କୁ କ୍ୟାଚ ଦେଇ ଆଉଟ୍ ହୋଇଛନ୍ତି। ତାଙ୍କ ସ୍ଥାନରେ ସାଇ ହୋପ୍ ବ୍ୟାଟିଂ କରିବାକୁ ଆସିଥିଲେ। ଏହାପରେ ବୁମ୍ରାଙ୍କ ବଲରେ ରୋହିତ ଶର୍ମାଙ୍କ ହାତରେ ଧରାପଡ଼ିଥିଲେ ପାୱେଲ୍ ।ବର୍ତ୍ତମାନ୍ ୱେଷ୍ଟଇଣ୍ଡିଜର ସ୍କୋର୍  ୧୦ ଓଭର.ରେ ୪୬/୨ ରହିଛି। 

ପ୍ରଥମ ମ୍ୟାଚ୍କୁ ଭାରତ ୮ ୱିକେଟ୍ରେ ସହଜରେ ଜିତି ନେଇଥିଲା। ହେଲେ ବିଶାଖାପାଟଣା ଦିନିକିଆରେ ଭାରତକୁ କଡ଼ା ଜବାବ ଦେଇଥିଲା ଇଣ୍ଡିଜ୍। ଭାରତ ୩୨୧ ରନ୍ର ବଡ଼ ବିଜୟ ଲକ୍ଷ୍ୟ ଦେଇଥିଲେ ମଧ୍ୟ ଇଣ୍ଡିଜ୍ ଟାଇ ରଖିବାକୁ ସକ୍ଷମ ହୋଇଥିଲା। ଏହି ଦୁଇ ମ୍ୟାଚ୍ରେ ଭାରତୀୟ ବୋଲରମାନେ ପ୍ରଭାବବିହୀନ ରହିଥିଲେ। ଯାହାର ଫାଇଦା ଉଠାଇ ଇଣ୍ଡିଜ୍ ଦଳ ଦୁଇଟି ଯାକ ମ୍ୟାଚ୍ରେ ୩୦୦ ରନ୍ ପାରି କରିଥିଲା। ଏଥି ଲାଗି ଭାରତ ଶେଷ ୩ ଦିନିକିଆରେ ମହମ୍ମଦ ସାମିଙ୍କୁ ବାଦ୍ ଦେଇ ଦୁଇ ଭରସାଯୋଗ୍ୟ ଦ୍ରୁତ ବୋଲର ଭୁବନେଶ୍ବର କୁମାର ଏବଂ ଯଶପ୍ରୀତ୍ ବୁମରାଙ୍କୁ ଦଳରେ ନେଇଛି। ଫଳରେ ବିଶାଖାପାଟଣା ଭୁଲ୍ ସୁଧାରି ୨-୦ର ଅଗ୍ରଣୀ ନେବା ଲକ୍ଷ୍ୟରେ ଭାରତ ରହିଛି। ଅନ୍ୟପକ୍ଷରେ ବିଶାଖାପାଟଣାରେ ବିଜୟରୁ ବଞ୍ଚିତ ହୋଇଥିବା ୱେଷ୍ଟଇଣ୍ଡିଜ୍ ପୁଣି ମୁହଁତୋଡ ଜବାବ ଦେଇ ସ୍ଥିତି ୧-୧ କରିବା ଯୋଜନାରେ ରହିଛି।

ସମ୍ବନ୍ଧିତ ଖବର