ଲିଡସ୍: ଭାରତ ବିପକ୍ଷରେ ୨୫୭ ରନ୍ ବିଜୟ ଲକ୍ଷ୍ୟ ନେଇ ୨ୟ ଇନିଂସରେ ଇଂଲଣ୍ଡ ୩୦ ଓଭର ପରିସମାପ୍ତି ପରେ୨ ଓ୍ଵିକେଟ୍ ହରାଇ ୧୮୧ ରନ୍ ସଂଗ୍ରହ କରିଛି। ରିପୋର୍ଟ ଲେଖା ଯିବା ବେଳକୁ ଜୋଏ ରୁଟ (୬୦) ଓ ଅଧିନାୟକ ଇଅନ ମୋର୍ଗାନ(୫୭) କ୍ରିଜରେ ଅଛନ୍ତି। ପୂର୍ବରୁ ଓପନର ଜେମସ୍ ଭେନ୍ ୨୭ ରନ୍ ଓ ଜନି ବେୟାରଷ୍ଟୋ ୩୦ ରନ୍ ସଂଗ୍ରହ କରି ଆଉଟ୍ ହୋଇଥିଲେ। ଶାର୍ଦ୍ଦୁଲ ଠାକୁରଙ୍କ ସୁରେଶ ରାଇନାଙ୍କୁ କ୍ୟାଚ ଦେଇ ବେୟାରଷ୍ଟୋ ଆଉଟ୍ ହୋଇଥିଲେ।
ପ୍ରଥମ ଇନିଂସରେ ଆଦିଲ ରସିଦ କମ୍ ସମୟ ମଧ୍ୟରେ ୩ଟି ଓ୍ଵିକେଟ୍ ନେବା ପରେ ଭାରତ ବିଶାଳ ସ୍କୋର କରିପାରି ନଥିଲା। ରସିଦ୍ଙ୍କ ପ୍ରଭାବିତ ବୋଲିଂ ଯୋଗୁଁ ଭାରତ ୩୩ ରନ୍ ମଧ୍ୟରେ ଦିନେଶ କାର୍ତ୍ତିକ, ବିରାଟ କୋହଲି ଓ ସୁରେଶ ରାଇନାଙ୍କୁ ହରାଇଥିଲା। ସ୍କୋର ୧୨୫ ରନ୍ରେ କାର୍ତ୍ତିକ, ୧୫୬ ରନ୍ରେ କୋହଲି ଓ ୧୫୮ ରନ୍ରେ ରାଇନା ପାଭଲିଅନ୍ ଫେରିଥିଲେ। ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ଟି ଓ୍ଵିକେଟ୍ ହରାଇ ୨୫୬ ରନ୍ ସଂଗ୍ରହ କରିବା ପରେ ଇଂଲଣ୍ଡକୁ ୨୫୭ ରନ୍ ଲକ୍ଷ ମିଳିଥିଲା।
ମହେନ୍ଦ୍ର ସିଂହ ଧୋନି ଅର୍ଦ୍ଧଶତକରୁ ବଂଚିତ ହୋଇଥିଲେ। ସେ ୬୬ ବଲ ଖେଳି ୪୨ ରନ୍ ଯୋଡ଼ିବା ପରେ ଡେଭିଡ଼ ଓ୍ଵିଲିଙ୍କ ବଲ ଜୋସ ବଟଲରଙ୍କୁ କ୍ୟାଚ ଦେଇ ୭ମ ଓ୍ଵିକେଟ୍ରେ ଆଉଟ ହୋଇଥିଲେ। ଭାରତ ୨୨୧ ରନ୍ରେ ଧୋନିଙ୍କୁ ହରାଇ ଥିଲା। ଇନିଂସର ଶେଷ ବଲରେ ଅଷ୍ଟମ ଓ୍ଵିକେଟର ଶିକାର ହୋଇଥିଲେ ଭୁବନେଶ୍ୱର କୁମାର(୨୧)। ସେ ଡେଭିଡ ଓ୍ଵିଲିଙ୍କ ବଲ ଜନି ବେୟାରଷ୍ଟୋଙ୍କୁ କ୍ୟାଚ ଦେଇଥିଲେ। ଶାର୍ଦ୍ଦୁଲ ଠାକୁର ଅପରାଜିତ ୨୨ ରନ୍ ଯୋଡ଼ିଥିଲେ।
୩ ମ୍ୟାଚର ଶୃଙ୍ଖଳାର ଅନ୍ତିମ ମୁକାବିଲା ଉଭୟ ଦଳ ପାଇଁ କର ବା ମର ପରିସ୍ଥିତି ଦେଖାଯାଇଥିବା ବେଳେ ଭାରତ ୮୪ ରନ୍ରେ ଶିଖର ଧାଓ୍ଵନ(୪୪)ଙ୍କୁ ହରାଇଥିଲା। ବେନ୍ ଷ୍ଟୋକ୍ଙ୍କ ଦ୍ୱାରା ରନ୍ ଆଉଟ ହୋଇ ଧାଓ୍ଵନ ପାଭଲିଅନ ଫେରିଥିଲେ। ଇଂଲଣ୍ଡର ୩ୟ ଶିକାର ହୋଇଥିଲେ ଦିନେଶ କାର୍ତ୍ତିକ(୨୧)। ସ୍କୋର ୧୨୫ ଥିବା ବେଳେ ସେ ଆଦିଲ ରସିଦଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଭାରତ ୧୫୬ ରନ୍ରେ ବିରାଟ କୋହଲିଙ୍କୁ ହରାଇଥିଲା। କୋହଲି(୭୧) ୭୨ଟି ବଲ ଖେଳି ୭ଟି ଚୌକା ମାରିଥିଲେ। ସେ ଆଦିଲ ରସିଦଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ସେହିପରି ରସିଦଙ୍କ ୩ୟ ଶିକାର ହୋଇଥିଲେ ସୁରେଶ ରାଇନା(୧)। ହାର୍ଦ୍ଦିକ ପାଣ୍ଡ୍ୟା ମାତ୍ର ୧ ରନ୍ କରି ମାର୍କ ଉଡ଼ଙ୍କ ବଲ ଜୋସ୍ ବଟଲର୍ଙ୍କୁ କ୍ୟାଚ ଦେଇ ପାଭଲିଅନ୍ ଫେରିଥିଲେ।
ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଦିନିକିଆ ଅନ୍ତର୍ଜାତୀୟରେ ମଙ୍ଗଳବାର ୪୮ତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ଭାରତ ୧୩ ରନ୍ରେ ଉପ-ଅଧିନାୟକ ରୋହିତ ଶର୍ମାଙ୍କୁ ହରାଇବା ପରେ କୋହଲି କ୍ରିଜକୁ ପ୍ରବେଶ କରିଥିଲେ। ସେ ୨ୟ ଓ୍ଵିକେଟ ପାଇଁ ଶିଖର ଧାଓ୍ଵନଙ୍କ ସହିତ ୭୧ ରନ୍ ଭାଗିଦାରୀ ହୋଇ ପାରିଥିଲେ। ସେହିଭଳି ସେ ଦିନେଶ କାର୍ତ୍ତିକଙ୍କ ସହିତ ୫୪ ରନ୍ର ଭାଗିଦାରୀ ହୋଇଥିଲେ। ଲିଡସ୍ ଷ୍ଟାଡିୟମରେ ଇଂଲଣ୍ଡ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରିଥିଲା।