କାମକୁ ଆସିଲାନି କୋହଲିଙ୍କ ଶତକ, ଭାରତ ବିପକ୍ଷରେ ୪୩ ରନ୍‌ରେ ୱେଷ୍ଟଇଣ୍ଡିଜ ବିଜୟୀ

ପୁନେ: ଅଧିନାୟକ ବିରାଟ କୋହଲିଙ୍କ ଶତକ (୧୦୭ ରନ୍‌) କାମକୁ ଆସିନାହିଁ। ୱେଷ୍ଟଇଣ୍ଡିଜ ୩ୟ ଦିନିକିଆରେ ଭାରତକୁ ୪୩ ରନ୍‌ରେ ପରାସ୍ତ କରି ଶୃଙ୍ଖଳାକୁ ୧-୧ରେ ପହଞ୍ଚାଇଛି। ୨୮୪ ରନ୍‌ ବିଜୟ ଲକ୍ଷ୍ୟ ନେଇ ଭାରତ ୪୭.୩ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୨୪୦ ରନ୍‌ ସଂଗ୍ରହ କରିଛି। ଓପନର ରୋହିତ ଶର୍ମା ୮ ରନ୍‌ ସଂଗ୍ରହ କରିଥିବା ବେଳେ ଶିଖର ଧାଓ୍ଵନ ୩୫ ରନ୍‌ ଦଳ ପାଇଁ ଯୋଡ଼ିଥିଲେ। ସେହିପରି ଅମ୍ବାତି ରାୟଡୁ ୨୨ ରନ୍‌ ସଂଗ୍ରହ କରିଥିବା ବେଳେ ଋଷଭ ପନ୍ତ ୨୪ ରନ୍‌ ସଂଗ୍ରହ କରିଥିଲେ।
ପ୍ରଥମ ଇନିଂସରେ ୱେଷ୍ଟଇଣ୍ଡିଜ ଓପନର କିରଣ ପାେଓ୍ଵଲ (୨୧) ଏବଂ ଚନ୍ଦ୍ରପଲ ହେମରାଜ (୧୫)ଙ୍କୁ ଆଉଟ୍‌ କରିବା ପରେ ଭାରତର ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କ ପ୍ରଭାବଶାଳୀ ବୋଲିଂ ଯୋଗୁଁ ସାଇ ହୋପ (୯୫) ଶତକରୁ ବଞ୍ଚିତ ହୋଇଥିଳେ। ବୁମରାଙ୍କ ୪ର୍ଥ ଶିକାର ହୋଇଥିଲେ ଆସଲେ ନର୍ସ। ପୁନେ ଠାରେ ଶନିବାର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ୍‌ ଷ୍ଟାଡିୟମରେ ଭାରତ ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ୱେଷ୍ଟଇଣ୍ଡିଜ ବ୍ୟାଟିଂ କରିଥିଲା। ଦଳ ନିର୍ଦ୍ଧାରିତ ୫୦ ଓଭରରେ ୯ଟି ଓ୍ଵିକେଟ ହରାଇ ୨୮୩ ରନ୍‌ ସଂଗ୍ରହ କରିବା ପରେ ଭାରତକୁ ୫ ଦିନିକିଆ ମ୍ୟାଚ ଶୃଙ୍ଖଳାର ୩ୟ ମ୍ୟାଚରେ ୨୮୪ରନ୍‌ ବିଜୟ ଲକ୍ଷ୍ୟ ମିଳିଥିଲା।

ୱେଷ୍ଟଇଣ୍ଡିଜ ୩୦ ଓଭରରେ ୧୪୨/୫ ରନ୍‌ ସଂଗ୍ରହ କରିଥିଲା। ୧୨୧ ରନ୍‌ରେ ରୋଭମ୍ୟାନ୍‌ ପାେଓ୍ଵଲ(୪)କୁ କୁଲଦୀପ ଯାଦବ, ରୋହିତ ଶର୍ମାଙ୍କ ହାତରେ କ୍ୟାଚ ଧରାଇଥିଲେ। ୧୧୧ ରନ୍‌ରେ ଇଣ୍ଡିଜ ୪ର୍ଥ ଓ୍ଵିକେଟ୍‌ ଭାବରେ ସିମରୋନ୍‌ ହେଟମେୟରଙ୍କୁ କୁଲଦୀପ ଯାଦବଙ୍କ ବଲ ଓ୍ଵିକେଟକିପର ମହେନ୍ଦ୍ର ସିଂହ ଧୋନୀ ଷ୍ଟମ୍ପିଙ୍ଗ କରିଥିଲେ। ୫୫ ରନ୍‌ରେ ଭାରତର ୩ୟ ଶିକାର ହୋଇଥିଲେ ମାର୍ଲୋନ ସାମୁଏଲ (୯)। ସେ ଖଲିଲ ଅହମଦଙ୍କ ବଲକୁ ମୁକାବିଲା କରିପାରି ନଥିଲେ। ବ୍ୟାଟରେ ସଂଯୋଗ ହୋଇ ବଲ ଯାଇ ଧୋନିଙ୍କ ହାତରେ ଅଟକିଥିଲା।

ସ୍କୋର ୩୮ ରନ୍‌ ଥିବା ବେଳେ ଇଣ୍ଡିଜ ୨ୟ ଓ୍ଵିକେଟ ଭାବରେ କିରଣ ପାେଓ୍ଵଲ(୨୧)ଙ୍କୁ ହରାଇଥିଲା। ଜସପ୍ରୀତ ବୁମରାଙ୍କ ବଲ ରୋହିତ କ୍ୟାଚ ଧରିଥିଲେ। ଏହା ପୂର୍ବରୁ ବୁମରା କିରଣଙ୍କୁ ପାଭଲିଅନ ଫେରାଇ ଦେଇଥିଲେ। ଧୋନି ଏକ ପ୍ରଶଂସନୀୟ କ୍ୟାଚ ଧରିଥିଲେ।

ସ୍କୋର ୧୯୭ ରନ୍‌ରେ ୱେଷ୍ଟଇଣ୍ଡିଜ ଜସନ ହୋଲଡର, ୨୧୭ ରନ୍‌ରେ ଫାବିଆନ ଆଲେନ, ୨୨୭ ସାଇ ହୋପ ଏବଂ ୨୮୩ ରନ୍‌ରେ ଆସଲେ ନର୍ସ ଆଉଟ ହୋଇଥିଲେ। ଭାରତ ପକ୍ଷରୁ ବୁମରାଙ୍କୁ ୪ଟି ଓ୍ଵିକେଟ, କୁଲଦୀପ ଯାଦବଙ୍କୁ ୨ଟି ଓ୍ଵକେଟ ମିଳିଥିବା ବେଳେ ଭୁବନେଶ୍ୱର କୁମାର, ଖଲିଲ ଅହମଦ ଓ ୟୁଜବେନ୍ଦ୍ର ଚହଲଙ୍କୁ ୧-୧ ଓ୍ଵିକେଟ ମିଳିଥିଲା।

ସମ୍ବନ୍ଧିତ ଖବର