୩ୟ ଟେଷ୍ଟ: ଦ୍ୱିତୀୟ ଦିନରେ ଭାରତର ସ୍ଥିତି ମଜବୁତ୍‌, ଇଂଲଣ୍ଡ ବିପକ୍ଷରେ ୨୯୨ ରନ୍‌ରେ ଅଗ୍ରଣୀ

ନଟିଂହାମ୍‌: ପ୍ରଥମ ଇନିଂସରେ ସଫଳତା ପାଇବା ପରେ ଭାରତ ୨ୟ ଇନିଂସରେ ମଧ୍ୟ ଭଲ ଖେଳ ଜାରି ରଖିଛି। ଦ୍ୱିତୀୟ ଦିନ ରବିବାର ଖେଳ ଶେଷ ହେବା ବେଳକୁ ୩୧ ଓଭରରେ ୨ ଓ୍ଵିକେଟ୍‌ ହରାଇ ୧୨୪ ରନ୍‌ ସଂଗ୍ରହ କରିଛି। ଫଳରେ ଭାରତ ୨୯୨ରନ୍‌ରେ ଅଗ୍ରଣୀ ଲାଭ କରିଛି। ଭାରତ ୬୦ ରନ୍‌ରେ ଲୋକେଶ ରାହୁଲ ଓ ୧୧୧ ରନ୍‌ରେ ଶିଖର ଧାଓ୍ଵନଙ୍କୁ ହରାଇଥିଲା। ଧାଓ୍ଵନ ୬୩ଟି ବଲ ସମ୍ମୁଖୀନ ହୋଇ ୪୪ ରନ୍‌ ଯୋଡ଼ିଥିବା ବେଳେ ଲୋକେଶ ୩୩ଟି ବଲ ଖେଳି ୩୬ ରନ୍‌ ସଂଗ୍ରହ କରିଥିଲେ। ଦ୍ୱିତୀୟ ଦିନର ଖେଳ ଶେଷ ହେବା ବେଳକୁ ଚେତେଶ୍ୱର ପୂଜାରା ଅପରାଜିତ ୩୩ ରନ୍‌ ଓ ଅଧିନାୟକ ବିରାଟ କୋହଲି ଅପରାଜିତ ୮ ରନ୍‌ ସଂଗ୍ରହ କରି କ୍ରିଜ୍‌ରୁ ଫେରିଥିଲେ।

ଇଂଲଣ୍ଡର ପ୍ରଥମ ଇନିଂସରେ ଭାରତୀୟ ବୋଲର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୫ଟି ଓ୍ଵିକେଟ୍‌ ମିିଳିଥିଲା। ଇଂଲଣ୍ଡ ସମସ୍ତ ଓ୍ଵିକେଟ୍‌ ହରାଇ ୧୬୧ ରନ୍‌ ସଂଗ୍ରହ କରିଥିଲା। ଫଳରେ ଭାରତଠାରୁ ୧୬୮ ରନ୍‌ ପଛରେ ରହିଥିଲା। ୫ ମ୍ୟାଚ ଟେଷ୍ଟ ଶୃଙ୍ଖଳାର ୩ୟ ମୁକାବିଲାରେ ଇଂଲଣ୍ଡ ପକ୍ଷରୁ ଜୋସ୍‌ ବଟଲର ସର୍ବାଧିକ ୩୯ ରନ୍‌ ଯୋଡ଼ିଥିଲେ। ସେ ୩୨ଟି ବଲ ଖେଳି ଯସପ୍ରୀତ ବୁମରାଙ୍କ ବଲରେ ଆଉଟ୍‌ ହୋଇଥିଲେ। ଓପନ୍‌ର ଆଲିଷ୍ଟର କୁକ(୨୯)ଙ୍କୁ ଈଶାନ୍ତ ଶର୍ମା ପନ୍ଥଙ୍କୁ କ୍ୟାଚ କରାଇଥିଲେ। କେଟନ ଜେନିଙ୍ଗସ୍‌ (୨୦)ଙ୍କୁ ବୁମରା ଆଉଟ୍‌ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲରେ ଅଧିନାୟକ ଜୋଏ ରୁଟ୍‌(୧୬) ପାଭଲିଅନ୍‌ ଫେରିଥିଲେ। ଈଶାନ୍ତ ଶର୍ମାଙ୍କ ଓଲି ପୋପ(୧୦) ଋଷଭ ପନ୍ଥଙ୍କୁ କ୍ୟାଚ ଦେଇ ପାଭଲିଅନ ଫେରିଥିବା ବେଳେ ଜନି ବେୟାରଷ୍ଟୋ(୧୫) ହାର୍ଦ୍ଦିକଙ୍କ ବଲ ଖେଳି ଲୋକେଶ ରାହୁଲଙ୍କୁ କ୍ୟାଚ ଦେଇଥିଲେ। ସେହିପରି ପାଣ୍ଡ୍ୟାଙ୍କ ପ୍ରଭାବି ବୋଲିଂ ଯୋଗୁଁ କ୍ରିସ ଓ୍ଵକସ୍‌(୮), ଆଦିଲ ରସିଦ(୫) ଓ ଷ୍ଟୁଆର୍ଟ ବ୍ରୋଡ(୦) ଆଉଟ୍‌ ହୋଇଥିଲେ। ଋଷଭ ପନ୍ଥ ୫ଟି କ୍ୟାଚ ନେଇ ରେକର୍ଡ ସୃଷ୍ଟି କରିଛନ୍ତି।

ଭାରତ ପୂର୍ବରୁ ପ୍ରଥମ ଇନିଂସରେ ସମସ୍ତ ଓ୍ଵିକେଟ୍‌ ହରାଇ ୩୨୯ ରନ୍‌ ସଂଗ୍ରହ କରିଥିଲା। ଇଂଲଣ୍ଡ ପକ୍ଷରୁ ଜେମସ୍‌ ଆଣ୍ଡରସନ୍‌ଙ୍କୁ ୩ଟି ଓ୍ଵିକେଟ୍‌, ଷ୍ଟୁଆର୍ଟ ବ୍ରୋଡଙ୍କୁ ୩ଟି ଓ୍ଵିକେଟ୍‌, କ୍ରିସ ଓ୍ଵକସ୍‌ଙ୍କୁ ୩ଟି ଓ୍ଵିକେଟ୍‌ ମିଳିଥିବା ବେଳେ ଆଦିଲ ରସିଦଙ୍କୁ ଗୋଟିଏ ଓ୍ଵିକେଟ୍‌ ମିିଳଥିଲା।

ସମ୍ବନ୍ଧିତ ଖବର