ସାଇନା ରାଜ୍ୟର ତୃତୀୟ ଡବ୍ଲ୍ୟୁଆଇଏମ୍: ଅପରାଜିତା, ଭବେଶ ଓ ସନ୍ତୋଷ ଅନ୍ତର୍ଜାତୀୟ ଆର୍ବିଟର

ଭୁବନେଶ୍ବର: ଓଡ଼ିଆ ଝିଅ ସାଇନା ସଲୋନିକା ରାଜ୍ୟର ତୃତୀୟ ଡବ୍ଲୁଆଇଏମ୍‌ ଟାଇଟଲ୍‌ ଗୌରବ ପାଇଛନ୍ତି। ଚେନ୍ନାଇର ମହାବଳିପୁରମଠାରେ ସଦ୍ୟ ସମାପ୍ତ ୪୪ତମ ଚେସ୍ ଅଲିମ୍ପିଆଡ୍ ଅବସରରେ ଅନୁଷ୍ଠିତ ଫିଡେ କଂଗ୍ରେସ୍‌ରେ ସାଇନାଙ୍କୁ ଏହି ଟାଇଟଲ ପ୍ରଦାନ କରାଯାଇଛି। ତାଙ୍କ ପୂର୍ବରୁ ୨୦୦୬ରେ କିରଣ ମନୀଷା ମହାନ୍ତି ଏବଂ ୨୦୦୭ରେ ପଦ୍ମିନୀ ରାଉତ ଏହି ମୁକୁଟ ପାଇଥିଲେ। ଅନ୍ୟପକ୍ଷରେ ଅପରାଜିତା ଗୋଛିକର, ଭବେଶ ମହାନ୍ତି ଓ ସନ୍ତୋଷ ମହାପାତ୍ରଙ୍କୁ ଅନ୍ତର୍ଜାତୀୟ ଅର୍ବିଟର (ଆଇଏ) ଟାଇଟଲ୍‌ ପ୍ରଦାନ କରାଯାଇଛି। ଫିଡେ କଂଗ୍ରେସରେ ଭାରତର ମୋଟ ୪୫ ଜଣଙ୍କୁ ଜିଏମ୍, ଆଇଏମ୍, ଡବ୍ଲ୍ୟୁଆଇଏମ୍, ଆଇଏ ଓ ଏଫ୍‌ଏ ଟାଇଟଲ ମିଳିଥିଲା। ସେଥିମଧ୍ୟ‌ରେ ଓଡ଼ିଶାର ଏହି ୪ ଜଣ ଥିଲେ। ଅନ୍ୟପକ୍ଷରେ ମହାନ ଭାରତୀୟ ଚେସ୍ ତାରକା ବିଶ୍ବନାଥନ ଆନନ୍ଦ ଫିଡେର ଉପସଭାପତି ନିର୍ବାଚିତ ହୋଇଥିଲେ। ଏହି ସଫଳତା ଲାଗି ନିଖିଳ ଓଡ଼ିଶା ଚେସ୍ ସଂଘ (ଏଓସିଏ)ର ସଭାପତି ଗୋବିନ୍ଦଚନ୍ଦ୍ର ମହାପାତ୍ର, ସଂପାଦକ ଦେବବ୍ରତ ଭଟ୍ଟ, ମୁଖ୍ୟ ମାର୍ଗଦର୍ଶକ ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଏବଂ ସର୍ବଭାରତୀୟ ଚେସ୍ ମହାସଂଘ (ଏଆଇସିଏଫ୍) ଯୁଗ୍ମ ସଂପାଦକ ରଂଜନ ମହାନ୍ତି ଏମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।

ଏଥି ସହ ସାଇନାଙ୍କ ଖେଳ ଜୀବନରେ ଆଉ ଏକ ନୂଆ ପର ଯୋଡ଼ି ହୋଇଯାଇଛି। ଡବଲ୍ୟୁଆଇଏମ୍‌ ଟାଇଟଲ୍ ପାଇଁ ୨୨୦୦ ରେଟିଂ ସ୍ପର୍ଶ କରିବା ସହ ତିନିଟି ନର୍ମର ଆବଶ୍ୟକତା ଥିବାବେଳେ ସାଇନା ୩ ବର୍ଷ ଭିତରେ ହାସଲ କରି ନେଇଛନ୍ତି। ୨୦୧୯ ଗୋଆ ଅନ୍ତର୍ଜାତୀୟ ଗ୍ରାଣ୍ଡମାଷ୍ଟର୍ସରେ ପ୍ରଥମ ନର୍ମ ପାଇଥିବା ସାଇନା ଦ୍ବିତୀୟଟିକୁ ‌ସର୍ବିୟା (ଅର୍ବିସ ଆଇଏମ୍‌ ରାଉଣ୍ ରବିନ୍, ଡିସେମ୍ବର ୨୦୧୯)ରେ ହାସଲ କରିଥିଲେ। କୋଭିଡ୍ ପାଇଁ ଅଫ୍‌ଲାଇନ୍ ପ୍ରତିଯୋଗିତା ସମ୍ଭବ ହେଉନଥିବା ବେଳେ ସାଇନାଙ୍କୁ ତୃତୀୟ ନର୍ମ ପାଇବା ବିଳମ୍ବ ହୋଇଥିଲା। ସେହି ସର୍ବିୟାର ନୋଭିସାଦ୍‌ଠାରେ ଚଳିତ ବର୍ଷ ମେ’ ମାସରେ ଅନୁଷ୍ଠିତ ଆଇଏମ୍ ମିକ୍ସ ଟୁର୍ଣ୍ଣାମେଣ୍ଟ୍, ୨୦୨୨ରେ ସେ ତୃତୀୟ ନର୍ମ ଅର୍ଜନ କରିଥିଲେ। ସାଇନାଙ୍କ ଏଲୋ ରେଟିଂ ଏବେ ୨୨୦୯ ରହିଛି। ଔପଚାରିକତା ପୂର୍ଣ୍ଣ କରିବା ପରେ ଫିଡେ ଗତ ମହାବଳୀପୁରମ ଚେସ୍‌ କଂଗ୍ରେସରେ ଏହାକୁ ଅନୁମୋଦନ ଦେଇଛି। କେନ୍ଦୁଝର ଜିଲା ହାଟଡିହୀ ବ୍ଲକ୍‌ ସୁଲଣ ଗାଁର ପ୍ରଶାସନିକ ଅଧିକାରୀ ଗଣେଶ୍ବର ଜେନା ଓ ବବିତା ଜେନାଙ୍କ ସାନ ଝିଅ ସାଇନା ଏପର୍ଯ୍ୟନ୍ତ ୧୪ ସ୍ବର୍ଣ୍ଣ ପଦକ ସହ ମୋଟ ୨୦ ଅନ୍ତର୍ଜାତୀୟ ପଦକ ଜିତି ସାରିଛନ୍ତି।

ସମ୍ବନ୍ଧିତ ଖବର