ପ୍ରତ୍ୟାବର୍ତନରେ ଚମତ୍କାର ବିଜୟ ପାଇଥିଲେ ମଧ୍ୟ ଏହି ଧାରାକୁ ଆଗକୁ ନେବା ଲାଗି ଚେନ୍ନାଇ ସୁପର୍ କିଙ୍ଗ୍ସ ପାଇଁ ସହଜ ହେବ ନାହିଁ। କାରଣ ପରବର୍ତୀ ମ୍ୟାଚ୍ରେ ସେମାନେ ଭେଟିବାକୁ ଯାଉଥିବା ଦଳ କୋଲ୍କାତା ନାଇଟ୍ ରାଇଡର୍ସ ମଧ୍ୟ ନିଜର ପ୍ରଥମ ମ୍ୟାଚ୍ରେ ବିଜୟୀ ହୋଇ ଆସିଛି। ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ କିନ୍ତୁ ଚେନ୍ନାଇ ସୁପର୍ କିଙ୍ଗ୍ସ ପ୍ରଶଂସକ ସେମାନଙ୍କ ପସନ୍ଦର ଦଳକୁ ୨ ବର୍ଷ ପରେ ଦେଖିବାର ମଜା ନେବେ। ପଡ଼ିଆ ନିଶ୍ଚିତ ହଳଦିଆ ରଙ୍ଗରେ ଭରିଯିବ। କୋଲ୍କାତାରେ ରବିବାର କେକେଆର୍ ଜର୍ସି ଛାଇଯାଇଥିଲା। ସେଠାରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ତୁଳନାରେ ବିରାଟ କୋହଲିଙ୍କ ପ୍ରଶଂସକ ଥିଲେ ଅଧିକ। ଏଠି ଭୁଲିଯିବାକୁ ହେବ ନାହିଁ ଯେ, ଆଇପିଏଲ୍କୁ ମାତ୍ର ୧୦ ବର୍ଷ ହୋଇଛି। ଅନ୍ତର୍ଜାତୀୟ ଫୁଟ୍ବଲ୍ ଲିଗ୍ ଭଳି ଏହାର ପ୍ରଶଂସକ ଗୋଷ୍ଠୀ ପ୍ରସ୍ତୁତ ହୋଇନାହାନ୍ତି। କେବଳ ଘରୋଇ ପଡିଆରେ ଆଇପିଏଲ୍ ଦଳର ପ୍ରଶଂସକ ଅଧିକ ନଜରକୁ ଆସୁଛନ୍ତି।
ସିଏସ୍କେ କିନ୍ତୁ ଆଶା କରିବ ସୁରେଶ ରାଇନାଙ୍କଠାରୁ କ୍ଷଣିକ ବିସ୍ଫୋରକ ପାଳି ଏବଂ ଦଳର ବିଜୟ। କିନ୍ତୁ ଏଥି ପାଇଁ ଚେନ୍ନାଇକୁ ଭଲ ଆରମ୍ଭର ଆବଶ୍ୟକତା ଲୋଡ଼ା। ସାମ୍ପ୍ରତିକ ସମୟରେ ଦ୍ରୁତ ବୋଲିଂ ବିପକ୍ଷରେ ରାଇନାଙ୍କ ପ୍ରଦର୍ଶନ ଭଲ ନାହିଁ। ସେ ଜମିବା ପୂର୍ବରୁ ଦ୍ରୁତ ବୋଲରଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରୁଛନ୍ତି। ଥରେ କ୍ରିଜ୍ରେ ଜମିଯିବା ପରେ ତାଙ୍କୁ ରୋକିବା ମୁସ୍କିଲ୍।
ମହେନ୍ଦ୍ର ସିଂହ ଧୋନିଙ୍କ ୩ ସ୍ପିନର୍ କୌଶଳ ଭଲ। କାରଣ ଏବେ ଜଣେ ବ୍ୟାଟ୍ସମ୍ୟାନ୍ ଅତିରିକ୍ତ ଗତିରୁ ଫାଇଦା ଉଠାଇ ବଲ୍କୁ ସୀମାରେଖା ସେପାଖକୁ ପଠାଇବାକୁ ବ୍ୟାକୁଳ। ଏହା ସ୍ପିନରଙ୍କ ବିପକ୍ଷରେ ସେତେଟା ସମ୍ଭବ ହେବ ନାହିଁ। ଅନ୍ୟପକ୍ଷରେ କୋଲ୍କାତାରେ ଏବେ କୌଣସି ବଡ଼ ତାରକା ନାହାନ୍ତି, କିନ୍ତୁ ଯୁବ ଖେଳାଳିଙ୍କ ଶକ୍ତି ଓ ଉତ୍ସାହ ଦଳକୁ ପ୍ରଥମରୁ ବିଜୟ ଦେଇଛି। ଦୀନେଶ କାର୍ତିକ ଆରସିବି ବିପକ୍ଷରେ ଶେଷ ଓଭରରେ ଭୁଲ ଥିଲେ କିମ୍ବା ବିନୟ କୁମାର ଭୁଲ ରେଖାରେ ବୋଲିଂ କରିଥିଲେ। ଓ୍ଵିକେଟରକ୍ଷଣ କରିବା ସହିତ ଦଳର ନେତୃତ୍ୱ ନେବାବେଳେ ସଠିକ୍ ଚିନ୍ତା କରିବା ସହଜ କାମ ନୁହେଁ। (ପିଏମ୍ଜି/ଇଏସ୍ପି)
ଧୋନିଙ୍କ ୩ ସ୍ପିନର କୌଶଳ ଭଲ : ସୁନୀଲ ଗାଭାସ୍କର
/sambad/media/post_attachments/wp-content/uploads/2018/04/sunil-gavaskar-.jpg)