ଆଉ ୪ ଦିନ, ପହଞ୍ଚିଲା ଫ୍ରାନ୍ସ, ଆର୍ଜେଣ୍ଟିନା, ଦକ୍ଷିଣ ଆଫ୍ରିକାର ଅଭ୍ୟାସ

ଭୁବନେଶ୍ବର: ଚତୁର୍ଦଶ ହକି ବିଶ୍ବକପ୍ ଲାଗି ସମଗ୍ର ଭାରତ ବର୍ଷ ଏବେ ଚଳଚଞ୍ଚଳ। ଆୟୋଜକ ଓଡ଼ିଶା ଉତ୍ସବ ମୁଖର। ବିଶ୍ବକପ୍‌କୁ ସ୍ବାଗତ କରିବା ପାଇଁ ରାଜଧାନୀ ଭୁବନେଶ୍ବର ବି ବୋହୁ ଭଳିଆ ସଜେଇ ହେଉଛି। ଏଭଳି ସ୍ଥିତିରେ ବିଦେଶୀ ଦଳ ପହଞ୍ଚିବା ସ୍ଥାନୀୟ ହକି ପରିବେଶକୁ ଅହୁରି ମନ୍ତ୍ରମୁଗ୍ଧ କରିଛି। ବିଶ୍ବକପ୍‌ର ୧୬ ଦଳ ମଧ୍ୟରୁ ବୁଧବାର ଦୁଇଟି ବିଦେଶୀ ଦଳ ଯଥା ଅଲିମ୍ପିକ୍ସ ବିଜେତା ଆର୍ଜେଣ୍ଟିନା ଓ ବିଶ୍ବ ମାନ୍ୟତାର ପଞ୍ଚଦଶ ସ୍ଥାନରେ ଥିବା ଦକ୍ଷିଣ ଆଫ୍ରିକା ଭୁବନେଶ୍ବର ପହଞ୍ଚିଥିଲେ। ଗୁରୁବାର ଏଥିରେ ଫ୍ରାନ୍ସ ସାମିଲ ହୋଇଛି। ରାତି ଗୋଟାଏ ପରେ ଚୀନ ପହଞ୍ଚିବା‌ର ଅଛି। ବିଦେଶୀ ଖେଳାଳିମାନେ ପହଞ୍ଚିବା ପରେ ଭୁବନେଶ୍ବର ଏକ ମିନି ହକି ବିଶ୍ବରେ ପରିଣତ ହୋଇଛି। ଆର୍ଜେଣ୍ଟିନା ଦଳ ବୁଧବାର ସକାଳ ୯ଟାରେ ପହଞ୍ଚିବା ପରେ ସଂଧ୍ୟାରେ କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରିଥିଲା। ଦକ୍ଷିଣ ଆଫ୍ରିକା ଗତକାଲି ରାତି ୯ଟାରେ ପହଞ୍ଚିବା ପରେ ଗୁରୁବାର କଳିଙ୍ଗ ଷ୍ଟାଡିୟମ୍ ଯାଇ ଅଭ୍ୟାସ ଆରମ୍ଭ କରିଛି। ଶୁକ୍ରବାର ଫ୍ରାନ୍ସ ମଧ୍ୟ ପଡ଼ିଆକୁ ଓହ୍ଲାଇବାର ସମ୍ଭାବନା ରହିଛି। ସେହିଭଳି ଶୁକ୍ରବାର ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ସ୍ପେନ୍ ରୂପରେ ଆଉ ତିନିଟି ବିଦେଶୀ ଦଳ ଭୁବନେଶ୍ବର ପହଞ୍ଚିବାର ଅଛି। ୨୦୧୪ରେ ନେଦରଲାଣ୍ଡର ହଗ୍‌ଠାରେ ଆୟୋଜିତ ବିଶ୍ବକପ୍‌ର ଗତ ସଂସ୍କରଣରେ ଆଜେର୍ଣ୍ଟିନା ବିଜେତା ଅଷ୍ଟ୍ରେଲିଆ ଏବଂ ଉପବିଜେତା ନେଦରଲାଣ୍ଡ ପଛକୁ ତୃତୀୟ ସ୍ଥାନରେ ରହିଥିଲା। ସେପଟେ ଷଷ୍ଠ ଥର ପାଇଁ ବିଶ୍ବକପ୍ ଖେଳିବାକୁ ଯାଉଥିବା ଦକ୍ଷିଣ ଆଫ୍ରିକାର ଶ୍ରେଷ୍ଠ ପ୍ରଦର୍ଶନ ହେଉଛି ଦଶମ ସ୍ଥାନ। ଯାହାକୁ ଏହି ଦଳ ଆହୁରି ଭଲ କରିବା ଆଶାରେ ଓଡ଼ିଶା ଆସିଛି। ଉଭୟ ଦଳରେ କେତେକ ଦକ୍ଷ ଖେଳାଳି ଅଛନ୍ତି। ବିଶେଷ କରି ପିଲାଟ ଆର୍ଜେଣ୍ଟିନାର ଦୁଇ ତାରକା ଖେଳାଳି ଲୁକାସ ଭିଲ୍ଲା ଓ ଗୋଞ୍ଜାଲୋ ପିଲାଟ ଭୁବନେଶ୍ବର ଦର୍ଶକଙ୍କୁ ନିଜ ଷ୍ଟିକ୍ ଚାଳନାରେ ବିମୋହିତ  କରିବାର ଆଶା ରହିଛି। ସେପଟେ ଫ୍ରାନ୍ସ ହେଉଛି ବିଶ୍ବକପର ସବର୍ନିମ୍ନ ମାନ୍ୟତାପ୍ରାପ୍ତ ଖେଳାଳି। ଏହି ଦଳ ୧୯୭୧ ଏବଂ ୧୯୯୪ ପରେ ତୃତୀୟ ଥର ପାଇଁ ବିଶ୍ବକପ୍ ଖେଳିବାକୁ ଯାଉଛି।

ପ୍ରଥମ ମ୍ୟାଚ୍‌ରେ ଭାରତକୁ ଭେଟିବା ସମ୍ମାନର ବିଷୟ : ଦକ୍ଷିଣ ଆଫ୍ରିକା ଅଧିନାୟକ

ଭୁବନେଶ୍ବର ପହଞ୍ଚିବା ପରେ ଦକ୍ଷିଣ ଆଫ୍ରିକା ହକି ଦଳର ଅଧିନାୟକ ଟିମ୍ ଡ୍ରୁମଣ୍ଡ ବିଶ୍ବକପ୍‌କୁ ନେଇ ଉତ୍ସାହ ପ୍ରକଟ କରିଛନ୍ତି। ବ୍ୟକ୍ତିଗତ ଭାବେ ସେ  ପ୍ରଥମ ଥର ଭାରତ ଆସି ନଥିଲେ ମଧ୍ୟ ତାଙ୍କ ଦଳର ବହୁ ଖେଳାଳି ଏଠାକୁ ପ୍ରଥମ ଥର ଆସିବା ନେଇ ବେଶ୍ ଉତ୍ସାହିତ ଥିବା ସେ କହିଛନ୍ତି। ବିଶେଷ କରି ଭୁବନେଶ୍ବର ହକି ପ୍ରେମୀଙ୍କ ସମ୍ମୁଖରେ ଖେଳିବାକୁ ସମଗ୍ର ଦଳ ଚାତକ ଭଳି ଚାହିଁ ରହିଥିବା ସେ ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଭୁବନେଶ୍ବର ଦର୍ଶକଙ୍କ ସମ୍ମୁଖରେ ଆୟୋଜକ ଭାରତ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବା ସମ୍ମାନର ବିଷୟ। ମୁଁ ଶୁଣିବାକୁ ପାଇଛି ଏଠାରେ ମ୍ୟାଚ୍ ବେଳେ ପ୍ରଶଂସକ ଖୁସିରେ ଆତ୍ମହରା ହୋଇ ଯାଆନ୍ତି। ଏହାର ଅଭିଜ୍ଞତା ବେଶ୍ ନିଆରା ହେବ। ଅତୀତରେ ଆମ ଶ୍ରେଷ୍ଠ ବିଶ୍ବକପ୍‌ ପ୍ରଦର୍ଶନ ହେଉଛି ଦଶମ ସ୍ଥାନ। ଏଥିରେ ଉନ୍ନତି ଆଣିବା ଆଶାରେ ଆମେ ଅଛୁ। ଆମ ଲକ୍ଷ୍ୟ ହେଲା ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଆମ ଦେଶକୁ ଗର୍ବିତ କରିବା। ଏଠାକୁ ଆସିବା ପୂର୍ବରୁ ଆମେ ଫ୍ରାନ୍ସ ବିପକ୍ଷରେ ଚାରିଟି ଟେଷ୍ଟ୍‌ ମ୍ୟାଚ୍ ଖେଳିଛୁ। ବିଶ୍ବକପ୍ ପାଇଁ ଆମେ ଭଲ ପ୍ରସ୍ତୁତି କରିଛୁ।  ଏହା ଏକ ସ୍ମରଣୀୟ ପ୍ରତିଯୋଗିତା ହେବ।

ପ୍ରଶଂସକଙ୍କ ଭଲ ପାଇବାରେ ହକି ଇଣ୍ଡିଆ ଉଲ୍ଲସିତ

ଭୁବନେଶ୍ବର: ଭୁବନେଶ୍ବର ହକି ବିଶ୍ବକପ୍‌ର ଉଦ୍‌ଘାଟନୀ ଉତ୍ସବକୁ ନେଇ ସ୍ଥାନୀୟ ହକି ପ୍ରେମୀଙ୍କ ମଧ୍ୟରେ ଦେଖା ଯାଉଥିବା ପ୍ରବଳ ଉତ୍ସାହରେ ହକି ଇଣ୍ଡିଆ ଉଲ୍ଲସିତ। ଏଥିଲାଗି ହକି ଇଣ୍ଡିଆ ଗୁରୁବାର ଓଡ଼ିଶାର ସମସ୍ତ ହକି ପ୍ରେମୀଙ୍କୁ ଧନ୍ୟବାଦ ଦେଇଛି। ଅନ୍ତର୍ଜାତୀୟ ହକି ମହାସଂଘ ଏବଂ ଭାରତୀୟ ଅଲିମ୍ପିକ୍ସ ସଂଘର ସଭାପତି ନରେନ୍ଦର ବାତ୍ରା ଏଥିନେଇ ଖୁସି ଜାହିର କରିବା ସହ କହିଛନ୍ତି ଯେ ଓଡ଼ିଶା ପୁରୁଷ ହକି ବିଶ୍ବକପ୍‌କୁ ପ୍ରଶଂସକମାନେ ଦେଖାଉଥିବା ଭଲ ପାଇବା ନେଇ ମୁଁ ଅନ୍ୟନ୍ତ ଆନନ୍ଦିତ।  ଆୟୋଜକମାନେ ହକି ପ୍ରେମୀଙ୍କ ଆଶା ଆକଂକ୍ଷାକୁ ପୂରଣ କରିବା ଲାଗି ସମସ୍ତ ପ୍ରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଏଥରର ବିଶ୍ବକପ୍ ହକି ଇତିହାସରେ ସଫଳତମ ଅଧ୍ୟାୟ ସୃଷ୍ଟି କରିବ ବୋଲି ମୋର ବିଶ୍ବାସ। ସୂଚନାଯୋଗ୍ୟ ଯେ ଆସନ୍ତା ୨୭ ତାରିଖରେ ହେବାକୁ ଥିବା ବିଶ୍ବକପ୍ ଉଦଘାଟନୀ ଉତ୍ସବ ଲାଗି ୧୦,୦୦୦ ଟିକେଟ ବ୍ରିକି ହୋଇଥିଲା। କେବଳ ଅନଲାଇନରେ ବିକ୍ରି ହୋଇଥିବା ଏହି ଟିକେଟ୍ କିଣିବା ଲାଗି ପାଖାପାଖି ୮୦,୦୦୦ ହକି ପ୍ରେମୀ ଚେଷ୍ଟା କରିଥିଲେ। ବିଶ୍ବକପ୍ ଉପଲକ୍ଷେ କଟକରେ ପରଦିନ ହେବାକୁ ଥିବା ଏଆର ‌ରେହମାନ ସୋ’ଲାଗି ମଧ୍ୟ ଅନୁରୂପ ଭାବେ ଉତ୍ସାହ ଦେଖିବାକୁ ମିଳିଥିଲା। ବିଶ୍ବକପ୍‌କୁ ଭାରତର କୋଣ ଅନୁକୋଣରେ ପହଞ୍ଚାଇବା ଲାଗି ଦୂରଦର୍ଶନରେ ଏହାର ପ୍ରସାରଣ ଲାଗି ମଧ୍ୟ ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର