୪ ଦିନିଆ ଟେଷ୍ଟ୍‌ ୩ ଦିନରେ ଶେଷ: ଭାରତ-ଏ’ର ପାଳି ବିଜୟ

ଶ୍ରୀଲଙ୍କା-ଏ ପାଳି ଓ ୨୦୫ ରନ୍‌ରେ ହାରିଲା

ବେଲ୍‌ଗାମ: ଶନିବାରଠୁ ଆରମ୍ଭ ହୋଇଥିବା ଶ୍ରୀଲଙ୍କା ‘ଏ’ ବିପକ୍ଷ ଦୁଇ ଟିକିଆ ଟେଷ୍ଟ୍‌ (୪ ଦିନିଆ) ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ତିନି ଦିନ ମଧ୍ୟରେ ଶେଷ ହୋଇଯାଇଛି। ବ୍ୟାଟ୍‌ସମ୍ୟାନ୍‌ଙ୍କ ଦମ୍‌ଦାର ପାଳି ପରେ ବୋଲରଙ୍କ କମାଲ ବଳରେ ଘରୋଇ ଭାରତ-ଏ ଭ୍ରମଣକାରୀ ଶ୍ରୀଲଙ୍କା-ଏ ଦଳକୁ ଗୋଟିଏ ପାଳି ଓ ୨୦୫ ରନ୍‌ରେ ପରାସ୍ତ କରିଦେଇଛି। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଅଭିମନ୍ୟୁ ଈଶ୍ବରନ୍‌ (୨୩୩*, ୩୨୧ ବଲ୍‌, ୨୨ ଚୌକା, ୩ ଛକା)ଙ୍କ ଦ୍ବିଶତକ ସାଙ୍ଗକୁ ଅନ୍ୟତମ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ତଥା ଅଧିନାୟକ ପ୍ରିୟଙ୍କ ପାଞ୍ଚାଲ (୧୬୦, ୨୬୧ ବଲ୍‌, ୯ ଚୌକା, ୨ ଛକା) ଓ ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ୍‌ ଅନ୍‌ମୋଲ୍‌ପ୍ରୀତ୍‌ ସିଂହ (୧୧୬* ରନ୍‌, ୧୬୫ ବଲ୍‌, ୧୧ ଚୌକା)ଙ୍କ ଶତକ ବଳରେ ଭାରତ ଦ୍ବିତୀୟ ଦିବସରେ ୬୨୨/୫ରେ ପାଳି ଘୋଷଣା କରିଦେଇଥିଲା। ଏହାପରେ ବୋଲରମାନେ ଦେଢ଼ ଦିନ ମଧ୍ୟରେ ଶ୍ରୀଲଙ୍କା-ଏ ଦଳକୁ ଦୁଇ ଥର ଆଉଟ୍‌ କରିଦେଇଥିଲେ। ଉଭୟ ପାଳିରେ ରାହୁଲ୍‌ ଚହର ୪ ଲେଖାଏଁ ୱିକେଟ୍‌ ଦଖଲ କରିଥିଲା ବେଳେ ସନ୍ଦୀପ୍‌ ୱାରିୟର, ଜୟନ୍ତ ଯାଦବ ୨ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଙ୍କିତ ରାଜ୍‌ପୁତ ଓ ଶିଭମ୍‌ ଦୁବେ ୨ ଲେଖାଏଁ ୱିକେଟ୍‌ ନେଇଥିଲେ। ଫଳରେ ଶ୍ରୀଲଙ୍କା ଦଳ ପ୍ରଥମ ପାଳିରେ ୨୩୨ ରନ୍‌ କରି ଫଲୋଅନ୍‌ ଖେଳିବା ପରେ ଦ୍ବିତୀୟ ପାଳିରେ ୧୮୫ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ପ୍ରଥମ ପାଳିରେ ୱିକେଟ୍‌ରକ୍ଷକ ନିରୋସାନ୍‌ ଡିକ୍‌ୱେଲା (୧୦୩ ରନ୍‌, ୧୧୩ ବଲ୍‌, ୧୫ ଚୌକା) ଶତକ ଜମାଇବା ଭ୍ରମଣକାରୀ ଦଳ ପାଇଁ ଏକମାତ୍ର ସାନ୍ତ୍ବନା ଥିଲା। ଶ୍ରୀଲଙ୍କା ଦଳ ଉଭୟ ପାଳିକୁ ମିଶାଇ ମୋଟ ୧୧୬ ଓଭର କ୍ରିଜ୍‌ରେ ତିଷ୍ଠି ପାରିଥିଲା। ରବିବାର ଦ୍ବିତୀୟ ଦିବସରେ ୮୩/୪ କରିଥିବା ଶ୍ରୀଲଙ୍କା ସୋମବାର ତୃତୀୟ ଦିବସରେ ପ୍ରଥମ ପାଳିର ଅବଶିଷ୍ଟ ୬ ୱିକେଟ୍‌ ୧୪୯ ରନ୍‌ରେ ହରାଇବା ପରେ ଦ୍ବିତୀୟ ପାଳିର ସମସ୍ତ ୧୦ ୱିକେଟ୍‌ ୫୨.୩ ଓଭର ମଧ୍ୟରେ ୧୮୫ ରନ୍‌ରେ ହରାଇ ବୃହତ୍‌ ବ୍ୟବଧାନର ପରାଜୟକୁ ଆଦରି ‌ନେଇଥିଲା। ଦ୍ବିତୀୟ ପାଳିରେ ଶ୍ରୀଲଙ୍କାର କୌଣସି ବି ବ୍ୟାଟ୍‌ସମ୍ୟାନ୍‌ ଅର୍ଧଶତକ ହାସଲ କରିପାରିନଥିଲେ। ଅନ୍ୟପକ୍ଷରେ ଏହି ବିଜୟ ଯୋଗୁଁ ଦୁଇ ଟିକିଆ ଟେଷ୍ଟ୍‌ ଶୃଙ୍ଖଳାରେ ଭାରତ ୧-୦ର ଅଗ୍ରଣୀ ପାଇଯାଇଛି। ଦ୍ବିଶତକୀୟ ପାଳି ଖେଳିଥିବା ଅଭିମନ୍ୟୁ ଈଶ୍ବରନ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇଥିଲେ।

ସଂକ୍ଷିପ୍ତ ସ୍କୋର୍‌: ଭାରତ ପ୍ରଥମ ପାଳି ୧୪୨ ଓଭରରେ ୬୨୨/୫ରେ ଘୋଷଣା (ଅଭିମନ୍ୟୁ ଈଶ୍ବରନ୍‌-୨୩୩, ପ୍ରିୟଙ୍କ ପାଞ୍ଚାଲ-୧୬୦, ଅନ୍‌ମୋଲପ୍ରୀତ୍‌ ସିଂହ-୧୧୬*, ବିଶ୍ବ ଫର୍ନାଣ୍ଡୋ ୨/୮୩)। ଶ୍ରୀଲଙ୍କା ପ୍ରଥମ ପାଳି ୬୩.୪ ଓଭରରେ ୨୩୨ (ସମରବିକ୍ରମ-୩୧, ପ୍ରିୟଞ୍ଜନ-୪୯, ନିରୋସାନ୍‌ ଡିକ୍‌ୱେଲା-୧୦୩, ରାହୁଲ୍‌ ଚହର-୪/୭୮, ସନ୍ଦୀପ୍‌ ୱାରିୟର-୨/୫୦, ଶିଭମ୍‌ ଦୁବେ-୨/୧୯, ଜୟନ୍ତ ଯାଦବ-୨/୬୭)। ଶ୍ରୀଲଙ୍କା ଦ୍ବିତୀୟ ପାଳି ୫୨.୩ ଓଭରରେ ୧୮୫ (ସମରବିକ୍ରମ-୪୮, ପ୍ରିୟଞ୍ଜନ-୩୯, ନିରୋସାନ୍‌ ଡିକ୍‌ୱେଲା-୨୭, କଣୁଣାରତ୍ନେ-୨୦, ରାହୁଲ୍‌ ଚହର-୪/୪୫, ସନ୍ଦୀପ୍‌ ୱାରିୟର-୨/୨୬, ଅଙ୍କିତ ରାଜ୍‌ପୁତ-୨/୧୧, ଜୟନ୍ତ ଯାଦବ-୨/୫୮)।

ସମ୍ବନ୍ଧିତ ଖବର