ଟୋକିଓ ଅଲିମ୍ପିକ୍ସର ୯ ନାଟକୀୟ ମୁହୂର୍ତ୍ତ

ସିମୋନାଙ୍କ ଅପ୍ରତ୍ୟାଶିତ ନିଷ୍ପତ୍ତି, ଚୀନ ପ୍ରତିଯୋଗୀଙ୍କ ଛାତିଲେ ମାଓ, ଲିଙ୍ଗ ପରିବର୍ତ୍ତନ କରି ଲୌରେଲ ଲଢ଼ିଲେ

ଟୋକିଓ: ରବିବାର ଶେଷ ହୋଇଥିବା ଟୋକିଓ ଅଲିମ୍ପିକ୍ସରେ ବହୁ ରେକର୍ଡ ଭାଙ୍ଗିଥିଲା। ଅନେକ ନୂଆ କୀର୍ତ୍ତିମାନ ବି ସୃଷ୍ଟି ହୋଇଥିଲା। କିଛି ନିଟାକୀୟ ମୁହୂର୍ତ୍ତ ମଧ୍ୟ ପ୍ରଶଂସକଙ୍କ ମନରେ ସ୍ବତନ୍ତ୍ର ଛାପ ଛାଡ଼ିଥିଲା। ସେଥିମଧ୍ୟରୁ ଉଚ୍ଚଡିଆଁରେ ଦୁଇ ଜଣ ବିଜେତା ‌ଘୋଷିତ ହେବା, ଆମେରିକାର ସଫଳ ଜିମ୍ନାଷ୍ଟ ସିମୋନା ବାଇଲ୍ସ ନିଜ ପ୍ରତିଯୋଗିତାରୁ ଓହରିଯିବା, ନ୍ୟୁଜିଲାଣ୍ଡର ଲୌରେଲ ହୁବାର୍ଡ ଲିଙ୍ଗ ପରିବର୍ତ୍ତନ କରିବା ପରେ ମହିଳା ଭାରୋତ୍ତୋଳନରେ ଭାଗ ନେବା, ସ୍ପେନର ୫୧ ବର୍ଷୀୟ ଆଥଲେଟ୍ ଜିସସ୍ ଆଞ୍ଜେଲ ଗର୍ସିୟା ଅଷ୍ଟମ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବା ଭଳି ଘଟଣା ଟୋକିଓ ଅଲିମ୍ପିକ୍ସକୁ କରିଥିଲା ସ୍ବତନ୍ତ୍ର ଓ ମହତ୍ବପୂର୍ଣ୍ଣ। ସେହିଭଳି ବିଷମ ବର୍ଷରେ ଆୟୋଜିତ ହେବା, ବିନା ଦର୍ଶକରେ ଖେଳାଯିବା ଏବଂ କରୋନା‌ ମହାମାରୀ ସଙ୍କଟ ଭିତରେ ସଫଳତାର ସହ ଆୟୋଜିତ ହେବା ମଧ୍ୟ ଥିଲା ଟୋକିଓ ଅଲିମ୍ପିକ୍ସର ଅନ୍ୟତମ ପ୍ରମୁଖ କଥା। କରୋନା ସାରା ବିଶ୍ବକୁ କବଳିତ କରିବା ପରେ ଗୋଟିଏ ବର୍ଷ ବିଳମ୍ବିତ ହୋଇଥିବା ୩୨ତମ ଅଲିମ୍ପିକ୍ସ ବାତିଲ ହେବାର ବି ଆଶଙ୍କା ରହିଥିଲା। ଶେଷରେ କିନ୍ତୁ କରୋନା ହାରିଲା ବିଶ୍ବ ମୈତ୍ରୀ ଓ ଭାତୃତ୍ବର ବାର୍ତ୍ତା ନେଇ ଆୟୋଜିତ ହେଉଥିବା କ୍ରୀଡ଼ା, କ୍ରୀଡ଼ାବିତ୍ ଓ କ୍ରୀଡ଼ା ସଂଗଠକ ବିଜୟ ହୋଇଥିଲେ। ଷ୍ଟାଡିୟମ୍ ଯିବାର ସୁଯୋଗ ନଥିଲେ ମଧ୍ୟ ଟେଲିଭଜନ୍ ପରଦାରେ ସମଗ୍ର ବିଶ୍ବର କୋଟି କୋଟି ପ୍ରଶଂସକ ଅଲିମ୍ପିକ୍ସକୁ ଅଜାଡ଼ି ଦେଇଥିଲେ ଅଜସ୍ର ଭଲପାଇବା ଓ ସ୍ନେହ। ଆସନ୍ତୁ ଟୋକିଓ ଅଲିମ୍ପିକ୍ସର କିଛି ନାଟକୀୟ ମୁହୂର୍ତ୍ତ ଉପରେ ନଜର ପକାଇବା।

ଉଚ୍ଚଡିଆଁରେ ଯୁଗଳ ସ୍ବର୍ଣ୍ଣ
ଟୋକିଓ ଅଲିମ୍ପିକ୍ସର ପୁରୁଷ ଉଚ୍ଚଡିଆଁରେ ଖେଳୁଆଡ଼ ମନୋଭାବର ବଳିଷ୍ଠ ନିଦର୍ଶନ ଦେଖିବାକୁ ମିଳିଥିଲା। କାତାରର ୩୦ ବର୍ଷୀୟ ଆଥଲେଟ୍ ମୁତାଜ ଏସା ବରସିମ ଓ ଇଟାଲିର ୨୯ ବର୍ଷୀୟ ତାରକା ଜିଆନମାର୍କୋ ତମ୍ବେରି ପରସ୍ପର ସହ ସମକକ୍ଷ ଥିଲା ବେଳେ ବିଜେତା ବାଛିବା ଲାଗି ଆଉ ଏକ ଜମ୍ପ ଅଫ୍‌ର ପ୍ରସ୍ତାବ ଆୟୋଜକ ଦେଇଥିଲେ। ଉଭୟ କିନ୍ତୁ ଏକ ଅବିଶ୍ବସନୀୟ କାର୍ଯ୍ୟ କରିଥିଲେ। ଯୁଗ୍ମ ବିଜେତା ଭାବେ ଉଭୟ ଦୁଇଟି ସ୍ବର୍ଣ୍ଣ ପଦକ ନେବାକୁ ଚାହିଁଥିଲେ। ଆୟୋଜକ ବି ଏଥିରେ ରାଜି ହୋଇ ଯାଇଥିଲା। ଅଲିମ୍ପିକ୍ସ ଇତିହାସରେ ମଧ୍ୟ ଏକ ସ୍ମରଣୀୟ ଅଧ୍ୟାୟ ଯୋଡ଼ି ହୋଇଯାଇଥିଲା।
ବେଲାଋଷ ଆଥଲେଟ୍‌ ପୋଲାଣ୍ଡରେ ଶରଣ ନେଲେ
ବେଲାଋଷ ଆଥଲେଟ୍ କ୍ରିଷ୍ଟିନା ସିମାନୋୟୁସ୍କାୟା ନିଜ ଦେଶକୁ ଫେରିବାକୁ ମନା କରି ଦେଇଥିଲେ। ବରଂ ଟୋକିଓର ନାରିତା ବିମାନ ବନ୍ଦରରେ ଶରଣାର୍ଥୀ ଭାବେ ରହିବାକୁ ଅନୁରୋଧ କରିଥିଲେ। ଏହା ପରେ ବହୁ ୟୁରୋପୀୟ ଦେଶ ତାଙ୍କୁ ରାଜନୈତିକ ଶରଣ ଦେବାକୁ ଚାହିଥିଲେ। କ୍ରିଷ୍ଟିନା ନିଜ ଦେଶର ନିକଟରେ ଥିବା ପୋଲାଣ୍ଡକୁ ବାଛିବା ସହ ଘରକୁ ନଫେରି ସେଠାକୁ ଚାଲି ଯାଇଥିଲେ।


ସିମୋନାଙ୍କ ଅପ୍ରତ୍ୟାଶିତ ନିଷ୍ପତ୍ତି
ନିଜ ପିଢ଼ିର ଶ୍ରେଷ୍ଠ ଜିମ୍ନାଷ୍ଟର ମାନ୍ୟତା ଲାଭ କରିଥିବା ଆମେରିକାର ସିମୋନା ବାଇଲ୍ସ ମହିଳା ଜିମ୍ନାଷ୍ଟିକ୍ସର ପ୍ରାରମ୍ଭିକ ବର୍ଗର ଓହରିଯାଇ ସମସ୍ତ ବିଶ୍ବକୁ ଚକିତ କରି ଦେଇଥିଲେ। ତେବେ ବାଲାନ୍ସ ଟିମ୍ ଇଭେଣ୍ଟରେ ଫେରି କାଂସ୍ୟ ପଦକ ଜିତିଥିଲେ। ୭ ଅଲିମ୍ପିକ୍ସ ଜିତିଥିବା ବାଇଲ୍ସ ମାନସିକ ସ୍ଥିରତା ପାଇଁ ଟୋକିଓ ଅଲିମ୍ପିକ୍ସରୁ ଓହରିଯାଇଥିବା ଖୋଲା ଖୋଲି କହିବା ପରେ ତାଙ୍କୁ ସାରା ବିଶ୍ବରୁ ସମର୍ଥନ ମିଳିଥିଲା।
ରାଭେନଙ୍କ ବିତର୍କିତ ସଙ୍କେତ
ମହିଳା ସଟ୍‌ପୁଟରେ ରୌପ୍ୟ ଜିତିଥିବା ଆମେରିକାର ରାଭେନ ସଣ୍ଡର୍ସ ପଦକ ବିତରଣୀ ଉତ୍ସବ ଅବସରରେ ଦୁଇ ହାତ ଉପରକୁ ଉଠାଇ ଛକ ଚିହ୍ନ ଆକାରର ସଙ୍କେତ ଦେଖାଇଥିଲେ। ଏଥିରେ ଅନ୍ତର୍ଜାତୀୟ ଅଲିମ୍ପିକ୍ସ ପରିଷଦ (ଆଇଓସି) ଅନୁଷ୍ଠାନିକ ତଦନ୍ତ ଆରମ୍ଭ କରିଥିଲା। ହେଲେ ତାଙ୍କ ମା’ଙ୍କର ଅପ୍ରତ୍ୟାଶିତ ପରଲୋକ ପରେ ତଦନ୍ତକୁ ସ୍ଥଗିତ ରଖିଥିଲା। ଆମେରିକା ଅଲିମ୍ପିକ୍ସ ଓ ପାରାଲିମ୍ପିକ୍ସ ସମିତି ମଧ୍ୟ ରାଭେନଙ୍କୁ ଦୃଢ଼ ସମର୍ଥନ କରିଥିଲା। ‌ବର୍ଣ୍ଣବୈଷମ୍ୟ ଓ ସାମାଜିକ ନ୍ୟାୟକୁ ସମର୍ଥନ କରି ରାଭେଲ ଏଭଳି ସଙ୍କେତ ଦେଖାଇଥିଲେ। ଏହା ଅଲିମ୍ପିକ୍ସ ଆଚରଣ ସଂହିତାକୁ ଉଲ୍ଲଘଂନ କରୁନି ବୋଲି ଆମେରିକା ଯୁକ୍ତି ବାଢ଼ିଥିଲା।
ଲିଙ୍ଗ ପରିବର୍ତ୍ତନ କରି ଲୌରେଲ ଲଢ଼ିଲେ
ନ୍ୟୁଜିଲାଣ୍ଡର ଲୌ‌ରେଲ ହୁବାର୍ଡ ଲିଙ୍ଗ ପରିବର୍ତ୍ତନ କରି ମହିଳା ଭାରୋତ୍ତୋଳନରେ ଅଂଶଗ୍ରହଣ କରିବାରେ ପ୍ରଥମ ଖେଳାଳି ହୋଇଥିଲେ। ୪୩ ବର୍ଷୀୟ ହୁବାର୍ଡ ଜଣେ ପୁରୁଷ ଭାବେ ଜନ୍ମଗ୍ରହଣ କରିଥିଲେ। ଢେର ବର୍ଷ ପୁରୁଷ ପ୍ରତିଯୋଗୀ ଭାବେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ୮ ବର୍ଷ ପୂର୍ବେ ସେ ନିଜ ଲିଙ୍ଗ ବଦଳାଇ ମହିଳା ହୋଇଯାଇଥିଲେ। ହେ‌ଲେ ତାଙ୍କ ଐତିହାସିକ ପଦାର୍ପଣ ୧୦ ମିନିଟ୍‌ରେ ଶେଷ ହୋଇଯାଇଥିଲା। ସ୍ନାଚରେ ତାଙ୍କର ତିନିଟି ଯାକ ପ୍ରୟାସ ଅଯୋଗ୍ୟ ଘୋ‌ଷିତ ହୋଇଥିଲା।
ଚୀନ ପ୍ରତିଯୋଗୀଙ୍କ ଛାତିଲେ ମାଓ
ଚୀନର ପଦକ ବିଜେତା ସାଇକ୍ଲିଷ୍ଟ ବାଓ ସାଞ୍ଜୁ ଓ ଝୋ‌ଙ୍ଗ ତିଆନ୍ସି ନିଜ ଜାତିର ପିତା ମାଓ ଜେଡାଙ୍ଗଙ୍କ ମୁହଁ ଥିବା ବ୍ୟାଜ୍ ପିନ୍ଧି ପଦକ ଗ୍ରହଣ କରିଥିଲେ। ଯାହାକୁ ନେଇ ଆଇଓସି ଉଭୟଙ୍କୁ କଡ଼ା ‌ଚେତାବନୀ ଦେଇଥିଲା। ଭବିଷ୍ୟତରେ ଏଭଳି ଘଟଣା ଘଟିବ ନାହିଁ ବୋଲି ଚୀନ ଅଲିମ୍ପିକ୍ସ ଦଳ ନିର୍ଭର ପ୍ରତିଶ୍ରୁତି ଦେବା ପରେ ଉଭୟ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତି ଯାଇଥିଲେ।
ଘୋଡ଼ାକୁ ପ୍ରଶିକ୍ଷିକାଙ୍କ ମୁଥ
ପେଣ୍ଟାଥଲନ ପ୍ରତିଯୋଗିତା ବେଳେ ଯେତେବେଳେ ଘୋଡ଼ା ଡେଇଁବାକୁ ଅମଙ୍ଗ ହେଲା ସେତେବେଳେ ପ୍ରଶିକ୍ଷିକା ତାକୁ ଶକ୍ତ ମୁଥ ମାରିଲେ। ଏପରିକି ଚାଳକଙ୍କୁ ନିଜ ଘୋଡ଼ାକୁ ମୁ୍‌ଥ ପରେ ମୁଥ ମାରିବାକୁ ପ୍ରବର୍ତ୍ତାଇଲେ। ଜର୍ମାନିର କିମ୍ ରେସନର ନାମକ ଏହି ବିବାଦୀୟ ପ୍ରଶିକ୍ଷକଙ୍କୁ ଏହି କାରଣୁ ନିଲମ୍ବିତ କରି ଦିଆଯାଇଥିଲା। ଅଶ୍ବ ଚାଳନା କରୁଥିବା ମହିଳା ତାରକା ଆନିକା ସ୍କେଲୁ ଦୃଢ଼ ସ୍ଥିତିରେ ଥିଲା ବେଳେ ତାଙ୍କୁ ‌ମିଳିଥିବା ଘୋଡ଼ା ତାଙ୍କୁ ଆଦୌ ସହଯୋଗ କରି ନଥିଲା। ଏହି ଘଟଣା ପାଇଁ ଉଭୟ ରେସନର ଓ ସ୍କେଲୁ ତୀବ୍ର ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି।
୮ ଅଲିମ୍ପିକ୍ସ ଅଂଶଗ୍ରହଣର କୀର୍ତ୍ତିମାନ
ସ୍ପେନର ଜିସସ୍ ଆଞ୍ଜେଲ ଗର୍ସିୟା ୫୧ ବର୍ଷ ବୟସରେ ଟୋକିଓ ଅଲିମ୍ପିକ୍ସର ଚାଲିବାରେ ଅଂଶଗ୍ରହଣ କଲେ। ଟ୍ରାକ୍ ଆଣ୍ଡ ଫିଲ୍ଡର ବୟୋଜ୍ୟେଷ୍ଠ ପ୍ରତିଯୋଗୀ ହେବାର କୀର୍ତ୍ତିମାନ କରିବା ସହ ଅଷ୍ଟମ ଥର ପାଇଁ ଅଲିମ୍ପିକ୍ସ ଖେଳିଲେ ସେ। ୫୦ କିଲୋମିଟର ଚାଲିବାରେ ସେ ୩୫ତମ ସ୍ଥାନରେ ରହିଥିଲେ। ୧୯୯୨ଠାରୁ ପ୍ରତ୍ୟେକ ଅଲିମ୍ପିକ୍ସରେ ଅଂଶଗ୍ରହଶ କରି ଆସୁଥିବା ଗର୍ସିୟା ୧୯୯୩ ମସିହାରେ ୫୦ କିଲୋମିଟରରେ ବିଜେତା ହୋଇଥିଲେ।
ଇଟାଲି ସ୍ପ୍ରିଣ୍ଟରଙ୍କ ଅଭ୍ୟୁଦୟ
ଟୋକିଓ ଅଲିମ୍ପିକ୍ସ ‌ଇଟାଲି ପାଇଁ ସର୍ବାଧିକ ସ୍ମରଣୀୟ ଥିଲା। ଟ୍ରାକ୍ ଆଣ୍ଡ ଫିଲ୍ଡରେ ଏହି ଦେଶ ଏଥର ଉଜ୍ଜ୍ବଳ ତାରକା ଭଳି ଚମକ ଦେଖାଇଥିଲା। ଜାମାଇକା ଓ ଆମେରିକା ଆଥଲେଟ୍‌ଙ୍କୁ ପଛରେ ପକାଇ ଏହି ଦେଶର ମାର୍ସେଲ ଜାକବ୍ସ ପୁରୁଷ ୧୦୦ ମିଟର‌ରେ ସ୍ବର୍ଣ୍ଣ ପଦକ ଜିତି ‌ନେଇଥିଲେ। ୪ଗୁଣା ୧୦୦ ରିଲେରେ ମଧ୍ୟ ଇଟାଲି ପ୍ରଥମ ଥର ସ୍ବର୍ଣ୍ଣ ପଦକ ହାସଲ କରିଥିଲା।

ସମ୍ବନ୍ଧିତ ଖବର