ମହିଳା ହକି ମୂଳଗୋଷ୍ଠୀରେ ଓଡ଼ିଶାରୁ ୪

ନୂଆଦିଲ୍ଲୀ : ଚଳିତବର୍ଷ ଖେଳିବାକୁ ଥିବା ବିଭିନ୍ନ ଅନ୍ତର୍ଜାତୀୟ ପ୍ରତିଯୋଗିତା ଲାଗି ହକି ଇଣ୍ଡିଆ ଶୁକ୍ରବାର ୩୪ ଜଣିଆ ମହିଳା ହକି କୋର୍ ପ୍ରୋବାବଲ୍ସ ବା ମୂଳ‌ଗୋଷ୍ଠୀ ଘୋଷଣା କରିଛି। ବିଭିନ୍ନ ଅନ୍ତର୍ଜାତୀୟ ପ୍ରତିଯୋଗିତା ଲାଗି ଏହି କୋର୍ ଗ୍ରୁପ୍‌ରୁ ହିଁ ଭାରତୀୟ ଦଳ ଘୋଷଣା କରାଯିବ। ବେଙ୍ଗାଲୁରୁ ସାଇ (ଭାରତୀୟ କ୍ରୀଡ଼ା ପ୍ରାଧିକରଣ) କେନ୍ଦ୍ରରେ ଅନୁଷ୍ଠିତ ଚୟନ ଶିବିରର ପ୍ରଦର୍ଶନ ଆଧାରରେ ଏହି କୋର୍ ପ୍ରୋବାବଲ୍ସ ତାଲିକା ପ୍ରସ୍ତୁତ କରାଯାଇଛି। ଏହି ଦଳରେ ଓଡ଼ିଶାର ୪ ଜଣ ଖେଳାଳି ଦୀପଗ୍ରେସ୍ ଏକ୍କା, ରଶ୍ମିତା ମିଞ୍ଜ୍, ନମିତା ଟପ୍ପୋ ଓ ମାରିଆନା କୁଜୁର ସ୍ଥାନ ପାଇଛନ୍ତି। ବିଭିନ୍ନ ଜାତୀୟ ପ୍ରତିଯୋଗିତାର ପ୍ରଦର୍ଶନ ଆଧାରରେ ଏହି ଶିବିରକୁ ସାରା ଦେଶରୁ ୬୦ ଜଣ ଖେଳାଳି ସାମିଲ ହୋଇଥିଲେ। ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି ଲକ୍ଷ୍ୟ ‌ନେଇ ଏଥରର କୋର୍ ପ୍ରୋବାବଲ୍ସରେ କିଛି ନୂଆ ଖେଳାଳିଙ୍କୁ ସାମିଲ କରାଯାଇଛି ବୋଲି ମୁଖ୍ୟ ପ୍ରଶିକ୍ଷକ ଜାନେକ ସ୍କପମ୍ୟାନ୍ କହିଛନ୍ତି।

ଏହି କୋର୍ ପ୍ରୋବାବଲ୍ସଙ୍କ ମଧ୍ୟରୁ ସବିତାଙ୍କ ନେତୃତ୍ବରେ ୧୮ ଜଣିଆ ଭାରତୀୟ ଦଳ ଏସିଆ କପ୍ ଖେଳିବା ଲାଗି ଓମାନର ମସ୍କଟ ଯାତ୍ରା କରିବ। ଅନ୍ୟମାନେ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍‌ରେ ଆସନ୍ତାମାସରେ ଖେଳାଯିବାକୁ ଥିବା ଏଫ୍‌ଆଇଏଚ୍ ପ୍ରୋ ଲିଗ୍ ପାଇଁ ପ୍ରଶିକ୍ଷଣ ଶିବିରରେ ପୂର୍ବଭଳି ଅଭ୍ୟାସ ଜାରି ରଖିବେ। ସମ୍ଭାବ୍ୟ ତାଲିକା: ସବିତା, ରଜନୀ ଏତିମାର୍ପୁ, ବିଚୁଦେବୀ ଖରିବାମ, ଦୀପଗ୍ରେସ୍ ଏକ୍କା, ଗୁରଜିତ କୌର, ନିକ୍କି ପ୍ରଧାନ, ଉଦିତା, ଈଶିକା ଚୌଧୁରୀ, ସୁମନ ଦେବୀ ଥୋଉଦମ୍, ଅକ୍ଷତା ଆବାସୋ ଢେକେଲ, ମହିମା ଚୌଧୁରୀ, ରଶ୍ମିତା ମିଞ୍ଜ୍, ନିଶା, ସଲିମା ଟେଟେ, ସୁଶୀଳା ଚାନୁ ପୁଖରାମବମ୍, ଜ୍ୟୋତି, ନଭଜ୍ୟୋତ କୌର, ମୋନିକା, ନମିତା ଟପ୍ପୋ, ମାରିଆନା‌ କୁଜୁର, ସୋନିକା, ନେହା, ବଲଜୀତ କୌର, ଉପାସନା ସିଂହ, ଲଲରେମସିଆମି, ନଭନୀତ କୌର, ରାଜବିନ୍ଦର କୌର, ବନ୍ଦନା କାଟାରିଆ, ଶର୍ମିଳା ଦେବୀ, ଦୀପିକା, ସଙ୍ଗିତା କୁମାରୀ, ପ୍ରୀତି ଦୁବେ, ଐଶ୍ବର୍ଯ୍ୟା ରାଜେଶ ଚଭନ। ରାଣୀ, ରୀନା ଖୋଖର ଓ ମନପ୍ରୀତ କୌର (ଥଇଥାନ କାର୍ଯ୍ୟକ୍ରମରେ ଅଛନ୍ତି)।

ସମ୍ବନ୍ଧିତ ଖବର