ଏନ୍‌ସିଏ ଶିବିରରେ ୪ ଓଡ଼ିଆ ବାଳିକା

ଭୁବନେଶ୍ବର: ଓଡ଼ିଶାର ୪ ଜଣ ବାଳିକା କ୍ରିକେଟର୍‌ ବିଭିନ୍ନ ସ୍ଥାନରେ ଆୟୋଜିତ ହେବାକୁ ଯାଉଥିବା ଜାତୀୟ କ୍ରିକେଟ୍‌ ଏକାଡେମି (ଏନ୍‌ସିଏ) ଏଲିଟ୍‌ ଗ୍ରୁପ୍‌ (୧୯ ବର୍ଷରୁ କମ୍‌) ଶିବିରକୁ ମନୋନୀତ ହୋଇଛନ୍ତି। ଓଡ଼ିଶା କ୍ରିକେଟ୍‌ ସଂଘ (ଓସିଏ)ର ଏହି ୧୯ ବର୍ଷରୁ କମ୍‌ ୪ ବାଳିକା ଖେଳାଳି ହେଲେ ପୂନମ୍‌ ନାୟକ (ଯାଜପୁର), ସ୍ବେତା ବେଉରା ଓ ଶୁଭ୍ର ନିର୍ଝରିଣୀ ସ୍ବାଇଁ (କଟକ) ଏବଂ ତରନ୍ନା ପ୍ରଧାନ (ଭୁବନେଶ୍ବର)। ଆସନ୍ତା ମେ’ ୧୩ରୁ ଜୁନ୍‌ ୬ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଶିବିର ଆୟୋଜିତ ହେବ। ପୂନମ୍‌ ଧର୍ମଶାଳାରେ ଆୟୋଜିତ ଏଲିଟ୍‌ ଗ୍ରୁପ୍‌-୧ ଶିବିରରେ ଯୋଗଦେବାକୁ ମନୋନୀତ ହୋଇଥିଲା ବେଳେ ସ୍ବେତା ଓ ଶୁଭ୍ରା ଜୟପୁରରେ ଆୟୋଜିତ ଏଲିଟ୍‌ ଗ୍ରୁପ୍‌-୨ ଏବଂ ତରନ୍ନା ନାଦିଆଦ୍‌ରେ ଆୟୋଜିତ ଏଲିଟ୍‌ ଗ୍ରୁପ୍‌-୩ ଶିବିରରେ ଯୋଗଦେବେ। ମନୋନୀତ ଖେଳାଳିମାନେ ମେ’ ୧୨ ତାରିଖ ଦିନ ନିଜ ନିଜ ଶିବିର ସ୍ଥଳରେ ରିପୋର୍ଟ କରିବାକୁ ଏନ୍‌ସିଏ ପକ୍ଷରୁ କୁହାଯାଇଛି। ଶିବିର ପାଇଁ ମନୋନୀତ ହୋଇଥିବାରୁ ଏହି ୪ ଜଣଙ୍କୁ ଓଡ଼ିଶା କ୍ରିକେଟ୍‌ ସଂଘର କାର୍ଯ୍ୟକାରୀ ସମିତି ଅଧ୍ୟକ୍ଷ ଧୀରେନ୍‌ ପଲାଇ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର