ଜାତୀୟ ହକି ଶିବିର ପାଇଁ ୪ ଓଡ଼ିଆ ମନୋନୀତ

ଖେଲୋ ଇଣ୍ଡିଆ ମହିଳା ହକି ଲିଗ୍‌: ଓଡ଼ିଶା କ୍ରୀଡ଼ା ଛାତ୍ରାବାସର ଦ୍ବିତୀୟ ବିଜୟ

ଭୁବନେଶ୍ବର: ବେଙ୍ଗାଲୁରୁସ୍ଥିତ ସାଇ ସେଣ୍ଟରରେ ଶନିବାରଠୁ ଆୟୋଜିତ ହେବ ପୁରୁଷ ହକି ଖେଳାଳିଙ୍କ ଜାତୀୟ ଶିବିର। ବିଶେଷକରି ୟୁରୋପରେ ଚଳିତ ଋତୁର ଅବଶିଷ୍ଟ ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌ ମ୍ୟାଚ୍‌ଗୁଡ଼ିକ ଖେଳିବାକୁ ଦୃଷ୍ଟିରେ ରଖି ଏହି ଶିବିର ଆ‌ୟୋଜନ କରାଯିବ। ଏଥିପାଇଁ ଶୁକ୍ରବାର ହକି ଇଣ୍ଡିଆ ଏକ ୩୯ ଜଣିଆ ଖେଳାଳି ତାଲିକା ଘୋଷଣା କରିଛି। ଏହି ତାଲିକାରେ ୪ ଓଡ଼ିଆ ଖେଳାଳି ସାମିଲ ହୋଇଛନ୍ତି। ସେମାନେ ହେଲେ ଅମିତ ରୋହିଦାସ, ନିଲମ ସଞ୍ଜୀପ ‌ଖେସ୍‌, ଦିପ୍‌ସାନ ତିର୍କି ଏବଂ ଶିଳାନନ୍ଦ ଲାକ୍ରା। ସମସ୍ତ ମନୋନୀତ ଖେଳାଳି ଶିବିରରେ ସେମାନଙ୍କ ଉପସ୍ଥିତି ନେଇ ଅନ୍ତରୀଣ ପ୍ରଶିକ୍ଷକ ଡେଭିଡ ଜନ୍‌, ବିଜେ କାରିଆପ୍ପା ଏବଂ ଶିବେନ୍ଦ୍ର ସିଂହଙ୍କୁ ରିପୋର୍ଟ କରିବାକୁ ହକି ଇଣ୍ଡିଆ ପକ୍ଷରୁ କୁହାଯାଇଛି।

ୟୁରୋପ ଗସ୍ତରେ ଭାରତୀୟ ଦଳ ବେଲ୍‌ଜିୟମ, ବ୍ରିଟେନ, ନେଦରଲାଣ୍ଡ୍‌ସ ଏବଂ ଆର୍ଜେଣ୍ଟିନା ସହ ପ୍ରୋ-ଲିଗ୍‌ ମ୍ୟାଚ୍‌ ଖେଳିବ। ଚଳିତ ପ୍ରୋ-ଲିଗ୍‌ ଋତୁରେ ଭାରତୀୟ ଦଳ ନିକଟରେ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ବିଶ୍ବ ବିଜେତା ଜର୍ମାନି ଏବଂ ଅଷ୍ଟ୍ରେଲିଆକୁ ପରାସ୍ତ କରି ପଏଣ୍ଟ ତାଲିକାର ଶୀର୍ଷରେ ରହିଛି। ମୋଟ ୮ ମ୍ୟାଚ୍‌ ଖେଳିସାରିଥିବା ଭାରତ ୧୯ ପଏଣ୍ଟ ପାଇଛି। ଏହାର ଅଧିନାୟକ ହର୍ମନପ୍ରୀତ୍‌ ସିଂହ ୧୧ ଗୋଲ୍‌ କରି ଅଗ୍ରଣୀ ସ୍କୋରର୍‌ ରହିଛନ୍ତି। ଏହି ଲିଗ୍‌ର ପଏଣ୍ଟ ତାଲିକାରେ ଭାରତ ପଛକୁ ସ୍ପେନ୍‌ (୧୭ ପଏଣ୍ଟ, ୮ ମ୍ୟାଚ୍‌) ଏବଂ ଆର୍ଜେଣ୍ଟିନା (୧୩ ପଏଣ୍ଟ, ୧୨ ମ୍ୟାଚ୍‌) ଯଥାକ୍ରମେ ଦ୍ବିତୀୟ ଓ ତୃତୀୟରେ ରହିଛନ୍ତି।

ଜାତୀୟ ଶିବିର ପାଇଁ ଘୋଷିତ ୩୯ ଖେଳାଳି: କୃଷ୍ଣ ବାହାଦୁର ପାଠକ, ପିଆର୍‌ ଶ୍ରୀଜେଶ, ସୁରଜ କେର୍‌କେରା, ପୱନ ମଲିକ, ପ୍ରଶାନ୍ତ କୁମାର, ଜର୍ମନପ୍ରୀତ୍‌ ସିଂହ, ସୁରେନ୍ଦର କୁମାର, ହର୍ମନପ୍ରୀତ୍‌ ସିଂହ, ବରୁଣ କୁମାର, ଅମିତ ରୋହିଦାସ, ଗୁରିନ୍ଦର ସିଂହ, ଯୁଗରାଜ ସିଂହ, ମନ୍‌ଦୀପ ମୋର, ନିଲମ ସଞ୍ଜୀବ ଖେସ୍‌, ସଞ୍ଜୟ, ୟାଶ୍‌ଦୀପ ସିୱାଚ, ଦୀପ୍‌ସାନ ତିର୍କି, ମନ୍‌ପ୍ରୀତ୍‌ ସିଂହ, ହାର୍ଦିକ୍‌ ସିଂହ, ବିବେକ ସାଗର ପ୍ରସାଦ, ମୋଇରାଙ୍ଗ୍‌ଥେମଖ ରବିଚନ୍ଦ୍ର ସିଂହ, ସାମ୍‌ସେର ସିଂହ, ନିଳକାନ୍ତ ଶର୍ମା, ରାଜକୁମାର ପାଲ୍‌, ସୁମିତ, ଆକାଶଦୀପ ସିଂହ, ଗୁର୍‌ଜାନ୍ତ ସିଂହ, ମହମ୍ମଦ ରାହିଲ ମୌସିନ, ମନିନ୍ଦର ସିଂହ, ଏସ୍‌ କାର୍ତି, ମନ୍‌ଦୀପ ସିଂହ, ଲଲିତ କୁମାର ଉପାଧ୍ୟାୟ, ଅଭିଷେକ, ଦିଲ୍‌ପ୍ରୀତ୍‌ ସିଂହ, ସୁଖଜିତ୍‌ ସିଂହ, ସିମ୍ରନଜିତ୍‌ ସିଂହ, ଶିଳାନନ୍ଦ ଲାକ୍ରା, ମନ୍‌ଜିତ୍‌, ପୱନ ରାଜଭର।

ଖେଲୋ ଇଣ୍ଡିଆ ମହିଳା ହକି ଲିଗ୍‌: ଓଡ଼ିଶା କ୍ରୀଡ଼ା ଛାତ୍ରାବାସର ଦ୍ବିତୀୟ ବିଜୟ
ପୁଣି ମମିତାଙ୍କ ୩ ଗୋଲ୍‌: ଏଚ୍‌ଆଇଏମ୍‌ ଏକାଡେମୀ ୦-୬ରେ ହାରିଲା

ଭୁବନେଶ୍ବର: ଉତ୍ତର ପ୍ରଦେଶର ଲକ୍ଷ୍ନୌଠାରେ ଚାଲିଥିବା ଖେଲୋ ଇଣ୍ଡିଆ ୨୧ ବର୍ଷରୁ କମ୍‌ ମହିଳା ହକି ଲିଗ୍‌ (ଦ୍ବିତୀୟ ପର୍ଯ୍ୟାୟ)ରେ ଓଡ଼ିଶା କ୍ରୀଡ଼ା ଛାତ୍ରାବାସ ଦଳ କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିଛି। ଗ୍ରୁପ୍‌-ବି’ରେ ସାମିଲ ଥିବା ଏହି ଦଳ ଗୁରୁବାର ନିଜର ପ୍ରଥମ ମ୍ୟାଚ୍‌ରେ ସାଲ୍ୟୁଟ ହକି ଏକାଡେମୀ ଦଳକୁ ୧୯-୦ ଗୋଲ୍‌ରେ ପରାସ୍ତ କରିଥିଲା ବେଳେ ଶୁକ୍ରବାର ଏଚ୍‌ଆଇଏମ୍‌ ହକି ଏକାଡେମୀକୁ ୬-୦ ଗୋଲ୍‌ରେ ହରାଇଛି। ଶୁକ୍ରବାର ଖେଳାଯାଇଥିବା ଏହି ଏକମାତ୍ର ମ୍ୟାଚ୍‌ରେ ଓଡ଼ିଶା ପକ୍ଷରୁ ‌ଅଧିନାୟିକା ମମିତା ଓରାମ (ଦ୍ବିତୀୟ, ୨୭ତମ ଓ ୫୧ତମ ମିନିଟ୍‌) ସର୍ବାଧିକ ୩ ଗୋଲ୍‌ କରିଥିଲା ବେଳେ ଦୀପି ମୋନିକା ଟପ୍ପୋ (୩୩ ଓ ୩୬ ମିନିଟ) ଦୁଇଟି ଏବଂ ସୁନେଲିତା ଟପ୍ପୋ (୨୫ ମିନିଟ୍‌) ଗୋଟିଏ ଗୋଲ୍‌ କରିଥିଲେ। ପ୍ରଥମାର୍ଦ୍ଧରେ ୫ ଗୋଲ୍‌ କରିଥିବା ଓଡ଼ିଶା ଦଳ ଦ୍ବିତୀୟାର୍ଦ୍ଧରେ ମାତ୍ର ଗୋଟିଏ ଗୋଲ୍‌ ଯୋଡ଼ିଥିଲା। ମମିତା ଓରାମ ପ୍ରଥମ ମ୍ୟାଚ୍‌ରେ ମଧ୍ୟ ୩ ଗୋଲ୍‌ କରିଥିଲା ବେଳେ ସୁନେଲିତା ୨ ଓ ଦୀପି ମୋନିକା ଗୋଟିଏ ଗୋଲ୍‌ କରିଥିଲେ। ଦୁଇଟିଯାକ ମ୍ୟାଚ୍‌ରେ ଓଡ଼ିଶା ମୋଟ ୧୮ ଗୋଲ୍‌ କରିଥିଲା ବେଳେ ଆଦୌ ଗୋଲ୍‌ ବରଣ କରିନି। ଓଡ଼ିଶା କ୍ରୀଡ଼ା‌ ଛାତ୍ରାବାସ ଦଳ ତା’ର ପରବର୍ତୀ ତଥା ତୃତୀୟ ମ୍ୟାଚ୍‌ ରବିବାର ହାର୍‌ ହକି ଏକାଡେମୀ ସହ ଖେଳିବ।

ସମ୍ବନ୍ଧିତ ଖବର