୪୮ ବର୍ଷ ପରେ ଟ୍ରିପଲ୍‌ଜମ୍ପ୍‌ରେ ସ୍ୱର୍ଣ୍ଣ, ଜାକର୍ତାରେ ଇଞ୍ଚିଅନ୍‌କୁ ଟପିବା ନିଶ୍ଚିତ

ଏକାଦଶ ଦିନରେ ଆଉ ୪ ପଦକ

ଜାକର୍ତା/ପାଲେମବାଙ୍ଗ: ଚଳିତ ଏସିଆଡ଼୍‌ର ଏକାଦଶ ଦିନରେ ଭାରତ ୨ ସ୍ୱର୍ଣ୍ଣ ସହ ୪ ପଦକ ଜିତିଛି। ଫଳରେ ମୋଟ ପଦକ ସଂଖ୍ୟା ୫୪ ଛୁଇଁଛି। ସେଥିମଧ୍ୟରେ ରହିଛି ୧୧ ସ୍ୱର୍ଣ୍ଣ, ୨୦ ରୌପ୍ୟ ଓ ୨୩ କାଂସ୍ୟ। ଯାହା ଫଳରେ ଦକ୍ଷିଣ କୋରିଆର ଇଞ୍ଚିଅନ୍‌ଠାରେ ଆୟୋଜିତ ଗତ ସଂସ୍କରଣରେ ଜିତିଥିବା ପଦକ ସଂଖ୍ୟାକୁ ଭାରତ ଟପିବାର ଆଶା ସଂଚାର ହୋଇଛି। ଇଞ୍ଚିଅନ୍‌ରେ ଭାରତ ସେହି ୧୧ ସ୍ୱର୍ଣ୍ଣ ସହ ୫୭ ପଦକ ଜିତିଥିଲା। ତେବେ ସେଥିମଧ୍ୟରେ ୧୦ ରୌପ୍ୟ ଏବଂ ୩୬ କାଂସ୍ୟ ଥିଲା। ସ୍ୱର୍ଣ୍ଣ ସଂଖ୍ୟାରେ ଭାରତ ସମକକ୍ଷ ହୋଇ ସାରିଥିଲା ବେଳେ ଏ ପର୍ଯ୍ୟନ୍ତ ୯ଟି ଅଧିକ ରୌପ୍ୟ ଜିତି ସାରିଛି। କେବଳ ଯାହା କାଂସ୍ୟରେ ପଛରେ ରହିଛି। ସଂପ୍ରତି ଭାରତ ଗତ ସଂସ୍କରଣ ପ୍ରଦର୍ଶନଠାରୁ ମାତ୍ର ତିିନିଟି ପଦକ ପଛରେ ରହିଛି। ମହିଳା ହକି ଏବଂ ମୁଷ୍ଟିଯୁଦ୍ଧରେ ଭାରତ ତିନିଟି ପଦକ ପକ୍କା କରିଥିଲା ବେଳେ ଅନ୍ୟ କେତେକ ଖେଳରେ ମଧ୍ୟ ଏହାର ନିକଟତର ହୋଇଛି। ସେଥିପାଇଁ ଜାକର୍ତାରେ ଇଞ୍ଚିଅନକୁ ଟପିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ବୁଧବାର ଭାରତ ହେପ୍ଟାଥଲନ ଏବଂ ପୁରୁଷ ଟ୍ରିପଲ ଜମ୍ପରୁ ସ୍ୱର୍ଣ୍ଣ ପାଇଛି। ଅନ୍ୟପକ୍ଷରେ ଟେବୁଲ ଟେନିସ୍‌ ଏବଂ ଦୌଡ଼କୁଦରୁ ଗୋଟିଏ ଲେଖାଏଁ କାଂସ୍ୟ ଓ ରୌପ୍ୟ ଜିତିଛି।

ଅର୍ପିନ୍ଦର ସିଂହ ପ୍ରଥମ ଭାରତୀୟ ଭାବେ ୪୮ ବର୍ଷ ପରେ ଏସୀୟ କ୍ରୀଡ଼ା ପୁରୁଷ ଟ୍ରିପଲ୍‌ ଜମ୍ପ୍‌ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଶେଷ ଥର ଲାଗି ୧୯୭୦ରେ ମହିନ୍ଦର ସିଂହ ଗିଲ୍‌ ପୁରୁଷ ଟ୍ରିପଲ୍‌ ଜମ୍ପ୍‌ରେ ଭାରତ ପାଇଁ ସ୍ୱର୍ଣ୍ଣ ଜିିତିଥିଲେ। ଗତ ସଂସ୍କରଣରେ ଅର୍ପିନ୍ଦର ନିଜର ଶ୍ରେଷ୍ଠ (୧୭.୧୭ ମିଟର) ଦେଇଥିଲେ ମଧ୍ୟ ପଞ୍ଚମ ସ୍ଥାନରେ ରହି ପଦକ ଜିତିବାରେ ବିଫଳ ହୋଇଥିଲେ। ଏସୀୟ ମାନ୍ୟତାରେ ତୃତୀୟ ସ୍ଥାନରେ ଥିବା ଅର୍ପିନ୍ଦର ଚଳିତ ବର୍ଷ କିନ୍ତୁ ସୁଯୋଗ ଛାଡ଼ି ନଥିଲେ। ବୁଧବାର ତୃତୀୟ ପ୍ରୟାସରେ ସେ ୧୬.୭୭ ମିଟର ଡେଇଁ ସ୍ୱର୍ଣ୍ଣ ପଦକ କରାୟତ କରି ଇତିହାସ ରଚିଥିଲେ। ତାଙ୍କ ପଛକୁ ଉଜ୍‌ବେକିସ୍ତାନର ରୁସ୍ଲାନ୍‌ କୁର୍ବାନୋଭ (୧୬.୬୨) ରୌପ୍ୟ ଏବଂ ଚୀନ୍‌ର ସୁଓ କାଓ (୧୬.୫୬) କାଂସ୍ୟ ଜିତିଥିଲେ। ୧୯୫୮ରେ ମହିନ୍ଦର ସିଂହ ମଧ୍ୟ ଟ୍ରିପଲ୍‌ ଜମ୍ପ୍‌ରେ ଭାରତ ପାଇଁ ପଦକ ଜିତିଥିଲେ।

ଟିଟି: ସରତ-ମନିକାଙ୍କୁ କାଂସ୍ୟ

ଭାରତୀୟ ମିଶ୍ରିତ ଯୁଗଳ ଟେବୁଲ ଟେନିସ (ଟିଟି) ଯୋଡ଼ି ଅଚନ୍ତ ସରତ କମଲ ଏବଂ ମନିକା ବାତ୍ରା ଏସୀୟ କ୍ରୀଡ଼ାରେ କାଂସ୍ୟ ପଦକ ଜିତିଛନ୍ତି। ବୁଧବାର ସେମିଫାଇନାଲ୍‌ରେ ଏହି ଭାରତୀୟ ଯୋଡ଼ି ୧-୪ (୯-୧୧, ୫-୧୧, ୧୩-୧୧, ୪-୧୧, ୮-୧୧)ରେ ଚୀନ୍‌ର ଓ୍ଵାଙ୍ଗ୍‌ ଜୁକ୍ୱିନ୍‌ ଓ ସୁନ୍‌ ୟିଙ୍ଗିସାଙ୍କଠୁ ହାରି କାଂସ୍ୟରେ ସନ୍ତୁଷ୍ଟ ହୋଇଥିଲେ। କ୍ୱାର୍ଟର୍‌ ଫାଇନାଲ୍‌ରେ ସରତ ଓ ମନିକା ୩-୨ (୪-୧୧, ୧୨-୧୦, ୬-୧୧, ୧୧-୬, ୧୧-୮)ରେ ଉତ୍ତର କୋରିଆର ଆନ୍‌ ଜି ସଙ୍ଗ୍‌-ଚା ହୋ ସିମ୍‌ଙ୍କୁ ହରାଇ ସେମିଫାଇନାଲ୍‌ରେ ପ୍ରବେଶ କରିଥିଲେ। ଏସୀୟ କ୍ରୀଡ଼ା ଟିଟି ଇତିହାସରେ ଭାରତର ଏହା ଦ୍ୱିତୀୟ ପଦକ ଏବଂ ଯୁଗଳରେ ପ୍ରଥମ। ଚଳିତ ବର୍ଷ ପୁରୁଷ ଦଳ ଏଥିରେ ପ୍ରଥମ ପଦକ ଜିତିଥିଲେ। ତେବେ ଅନ୍ୟ ଭାରତୀୟ ଯୋଡ଼ି ଆନ୍ଥୋନୀ ଅମଲରାଜ ଓ ମାଧୁରୀକା ପାଟକର ୧-୩ରେ ହଂକଂର ହୋ କ୍ୱାନ୍‌ କିଟ୍‌ ଓ ଲି ହୋ ଚିଙ୍ଗ୍‌ଙ୍କଠୁ ହାରି ପ୍ରି-କ୍ୱାର୍ଟର୍‌ ଫାଇନାଲ୍‌ରୁ ବିଦାୟ ନେଇଥିଲେ।

ସ୍କ୍ଵାସ୍‌ ସେମିରେ ମହିଳା ଦଳ
ଜୋତ୍ସ୍ନା ଚିନାପ୍ପା, ଦୀପିକା ପାଲିକଲ, ସୁନୟନା କୁରୁଭିଲା ଓ ତାନ୍‌ଭି ଖାନ୍‌ଙ୍କୁ ନେଇ ଗଠିତ ଭାରତୀୟ ମହିଳା ସ୍କ୍ଵାସ୍‌ ଦଳ ଚଳିତ ଏସୀୟ କ୍ରୀଡ଼ାରେ ପଦକ ସୁନିଶ୍ଚିତ କରିଛନ୍ତି। ପୂର୍ବରୁ ଇରାନ୍‌କୁ ୩-୦, ଥାଇଲାଣ୍ଡ୍‌କୁ ୩-୦ ଏବଂ ଇଣ୍ଡୋନେସିଆକୁ ୩-୦ରେ ହରାଇଥିବା ଭାରତ ବୁଧବାର ଚତୁର୍ଥ ଲିଗ୍‌ ମ୍ୟାଚ୍‌ରେ ଚୀନ୍‌କୁ ମଧ୍ୟ ୩-୦ରେ ପରାସ୍ତ କରି ବିଜୟ ଧାରା ବଜାୟ ରଖି ସେମିଫାଇନାଲ୍‌ ଖେଳିବା ଥୟ କରିଛି। ଭାରତ ଗୁରୁବାର ଶେଷ ଲିଗ୍‌ ମ୍ୟାଚ୍‌ରେ ହଂକଂକୁ ଭେଟିବ। ଗତ ସଂସ୍କରଣରେ ଭାରତୀୟ ମହିଳା ଦଳ ରୌପ୍ୟ ଜିତିଥିଲେ। ଚଳିତ ବର୍ଷ ମହିଳା ଏକକରେ ପାଲିକଲ ଏବଂ ଚିନାପ୍ପା କାଂସ୍ୟ ପଦକ ଜିତି ସାରିଛନ୍ତି।

୧୫୦୦ ମିଟର ଫାଇନାଲ୍‌ରେ ଜିନ୍‌ସନ୍‌, ମନ୍‌ଜିତ୍‌
ଭାରତୀୟ ଧାବକ ଜିନ୍‌ସନ୍‌ ଜନ୍‌ସନ୍‌ ଏବଂ ମନ୍‌ଜିତ୍‌ ସିଂହ ଏସୀୟ କ୍ରୀଡ଼ା ୧୫୦୦ ମିଟର ଦୌଡ଼ରେ ଫାଇନାଲ୍‌ ପହଞ୍ଚିଛନ୍ତି। ବୁଧବାର ଯୋଗ୍ୟତା ପର୍ଯ୍ୟାୟରେ ଜିନ୍‌ସନ୍‌ (୩:୪୬.୫୦) ନିଜ ହିଟ୍‌ରେ ଦ୍ୱିତୀୟ ଏବଂ ମନ୍‌ଜିତ୍‌ (୩:୫୦.୫୯) ନିଜ ହିଟ୍‌ରେ ପ୍ରଥମ ସ୍ଥାନରେ ରହି ପଦକ ଦୌଡ଼ରେ ସାମିଲ ହୋଇଛନ୍ତି। ମଙ୍ଗଳବାର ମନ୍‌ଜିତ୍‌ ଏବଂ ଜିନ୍‌ସନ୍‌ ୮୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ଓ ରୌପ୍ୟ ଜିତିଥିଲେ। ଫଳରେ ଗୁରୁବାର ୧୫୦୦ ମିଟରରେ ଭାରତକୁ ଆଉ ଦୁଇ ପଦକ ମିଳିବା ଆଶା ବଢ଼ିଛି।

୪ଗୁଣା ୪୦୦ ରିଲେ ଫାଇନାଲ୍‌ରେ ପୁରୁଷ ଦଳ
୪ ଗୁଣା ୪୦୦ ମିଟର ରିଲେ ଫାଇନାଲ୍‌ରେ ଭାରତୀୟ ପୁରୁଷ ଦଳ ସ୍ଥାନ ପକ୍କା କରିଛି। ବୁଧବାର ଯୋଗ୍ୟତା ପର୍ଯ୍ୟାୟରେ କୁନୁ ମହମ୍ମଦ, ଜୀବନ ସୁରେଶ, ଜିତୁ ବେବି ଏବଂ ଧାରୁନ୍‌ ଆୟାସ୍ୱାମୀଙ୍କୁ ନେଇ ଗଠିତ ଭାରତୀୟ ଦଳ (୩:୦୬.୪୮) ନିଜ ହିଟ୍‌ରେ ଦ୍ୱିତୀୟ ସ୍ଥାନରେ ରହି ପଦକ ଦୌଡ଼ରେ ସାମିଲ ହୋଇଛି।

ସମ୍ବନ୍ଧିତ ଖବର