ଭୁବନେଶ୍ବର: ଆନ୍ଧ୍ରପ୍ରଦେଶର ରାଜମଠାରେ ଅନୁଷ୍ଠିତ ଜାତୀୟ ମାଷ୍ଟର୍ସ ଶକ୍ତିଉତ୍ତୋଳନ ପ୍ରତିଯୋଗିତାରେ ଭାଗ ନେଇଥିବା ୧୩ ଜଣିଆ ଓଡ଼ିଶା ଦଳ ୪ ପଦକ ଜିତିଛନ୍ତି। ୮୩ କିଲୋଗ୍ରାମ ଓଜନ ବର୍ଗରେ କୃଷ୍ଣଚନ୍ଦ୍ର ସାହୁ ମୋଟ ୫୩୫ କିଲୋ ଉତ୍ତୋଳନ କରି ରୌପ୍ୟ ପଦକ ପାଇଥି‌ବାବେଳେ ୨୨୫ କିଲୋଗ୍ରାମର ସ୍କ୍ବାଟ୍‌ କରି ମାଷ୍ଟର-୨ ବର୍ଗରେ ଜାତୀୟ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ମାଷ୍ଟର୍ସ ବର୍ଗରେ ମଧ୍ୟ କୃଷ୍ଣଚନ୍ଦ୍ର ତୃତୀୟ ଶ୍ରେଷ୍ଠ ବିବେଚିତ ହୋଇଛନ୍ତି। ମହିଳା ମାଷ୍ଟର-୨ର ୮୫ କିଲୋଗ୍ରାମ ବର୍ଗରେ ୨୩୦ କିଲୋ ଉତ୍ତୋଳନ କରି ଗୀତାଞ୍ଜଳି ନାୟକ ରୌପ୍ୟ ପଦକ ପାଇଛନ୍ତି।

Advertisment

ସେହିଭଳି ମାଷ୍ଟର-୨ର ୫୯ କିଲୋଗ୍ରାମ ବର୍ଗରେ ସୁଜିତ କୁମାର ଗିରି ୩୩୨.୫ କିଲୋଗ୍ରାମ ସହିତ କାଂସ୍ୟ ଏବଂ ମାଷ୍ଟର୍ସ-୩ର ୬୬ କିଲୋଗ୍ରାମ ବର୍ଗରେ ନାରାୟଣ ସେଠୀ ୨୫୫ କିଲୋଗ୍ରାମ ଉଠାଇ କାଂସ୍ୟ ପଦକ ହାସଲ କରିଛନ୍ତି। ମାଷ୍ଟର୍ସ-୧ର ୭୬ କିଲୋଗ୍ରାମ ବର୍ଗରେ ୩୧୫ କିଲୋ ଉତ୍ତୋଳନ କରି ଶର୍ମିଷ୍ଠା ସେନାପତି ଚତୁର୍ଥ ସ୍ଥାନରେ ରହିଥିଲେ। ଓଡ଼ିଶା ଦଳ ସହିତ ପ୍ରଶିକ୍ଷକ ରାକେଶ ଶପତଥୀ ଏବଂ ପ୍ରବଂଧକ ସତ୍ୟଜିତ ପଟ୍ଟନାୟକ ଗସ୍ତ କରିଥିଲେ। ବିଜୟୀ ଶକ୍ତିଉତ୍ତୋଳକଙ୍କୁ ରାଜ୍ୟ ଶକ୍ତି ଉତ୍ତୋଳନ ସଂଘ ସମ୍ପାଦକ ହରି ପ୍ରସାଦ ପଟ୍ଟନାୟକ, ଇଂ ଚିତ୍ତରଂଜନ ସ୍ବାଇଁ ଅଭିନନ୍ଦନ ଜଣାଇଛନ୍ତି।