ନୂଆଦିଲ୍ଲୀ: ଆସନ୍ତା ୫ ତାରିଖରୁ ଦିନିକିଆ ବିଶ୍ବକପ୍‌ ଆରମ୍ଭ ହେଉଥିବା ବେଳେ ଭାରତ ତାହାର ପ୍ରଥମ ମ୍ୟାଚ୍‌ ୮ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ। କିନ୍ତୁ ବିଶ୍ବକପ୍‌ରେ ଭାରତର ପ୍ରଥମ ମ୍ୟାଚ୍‌ ପୂର୍ବରୁ କିଂବଦନ୍ତି କ୍ରିକେଟର ସୁନୀଲ ଗାଭାସ୍କର ଘରୋଇ ଦଳର ସମ୍ଭାବ୍ୟ ଏକାଦଶ ଖେଳାଳିଙ୍କୁ ବାଛିଛନ୍ତି। ତାଙ୍କ ମତରେ କୌଣସି ଦଳ ପାଇଁ ଶୀର୍ଷ ୩ ବ୍ୟାଟର ଓ ୩ ଦ୍ରୁତ ବୋଲର ଗୁରୁତ୍ବପୂର୍ଣ୍ଣ। ଯଦି ଦଳ ଦୁଇ ଦ୍ରୁତ ବୋଲରଙ୍କୁ ନେଇ ଯିବ, ତାହେଲେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହିତ ଜଣେ ଅତିରିକ୍ତ ସ୍ପିନରଙ୍କୁ ନିଆଯାଇପାରିବ। ଆବଶ୍ୟକସ୍ଥଳେ ଅଶ୍ବିନଙ୍କୁ ଏକାଦଶରେ ନିଆଯାଇପାରିବ ବୋଲି ସେ କହିଛନ୍ତି। କିନ୍ତୁ ତାଙ୍କ ଦଳରେ ଈଶାନ କିଶନ ଓ ସୂର୍ଯ୍ୟକୁମାର ଯାଦବ ସ୍ଥାନ ପାଇପାରିନାହାନ୍ତି। ଅନ୍ୟପକ୍ଷରେ ପୂର୍ବତନ ଅଲରାଉଣ୍ଡର ଇର୍ଫାନ୍‌ ପଠାନ୍‌ଙ୍କ ମତରେ କାକର ସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ଦଳ ୫ ବୋଲରଙ୍କୁ ନେଇ ଖେଳିବା ଉଚିତ୍‌ ହେବ। ପାଣ୍ଡ୍ୟା ଷଷ୍ଠ ବୋଲର ଭାବେ ସହାୟତା କରିବେ। ସାମି, ସିରାଜ, ବୁମ୍‌ରାଙ୍କ ସହିତ ସ୍ପିନର କୁଲଦୀପଙ୍କୁ ନେବାକୁ ହେବ। ଯଦି ପିଚ୍‌ରୁ ଅଧିକ ଟର୍ଣ୍ଣ ମିଳୁଥାଏ ତାହେଲେ ଜାଦେଜାଙ୍କୁ ଖେଳାଇବା ଉତ୍ତମ ହେବ ବୋଲି ପଠାନ ଯୁକ୍ତି ଦର୍ଶାଇଥିଲେ।

Advertisment

ଗାଭାସ୍କରଙ୍କ ଏକାଦଶ: ରୋହିତ ଶର୍ମା, ଶୁବମନ ଗିଲ୍‌, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍‌ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, କୁଲଦୀପ ଯାଦବ, ମହମ୍ମଦ ସାମି, ମହମ୍ମଦ ସିରାଜ, ଯଶପ୍ରୀତ୍‌ ବୁମ୍‌ରା।

ଭାରତକୁ ‘ଶତ୍ରୁ ଦେଶ’ କହି ଆଶ୍ରଫ୍‌ ନିନ୍ଦିତ

ଇସଲାମାବାଦ୍‌: ପାକିସ୍ତାନ କ୍ରିକେଟ୍‌ ଦଳ ୭ ବର୍ଷ ପରେ ଭାରତ ଆସିଛି। ଉଭୟ ଦେଶଙ୍କ ମଧ୍ୟରେ ରାଜନୈତିକ ଅସ୍ଥିରତା ସତ୍ତ୍ବେ ଭାରତ ତାହାର ପଡ଼ୋଶୀ ଦେଶର ଖେଳାଳିମାନଙ୍କୁ ଆଡମ୍ବରପୂର୍ଣ୍ଣ ସ୍ବାଗତ ଜଣାଇଥିଲା। ପ୍ରଶଂସକମାନେ ମଧ୍ୟ ପାକିସ୍ତାନୀ ଖେଳାଳିଙ୍କ ପ୍ରତି ସେମାନଙ୍କ ଭଲପାଇବା ଦେଖାଇଥିଲେ। କିନ୍ତୁ ଏସବୁ ସତ୍ତ୍ବେ ପାକିସ୍ତାନ କ୍ରିକେଟ୍‌ ବୋର୍ଡ ମୁଖ୍ୟ ଜାକା ଆଶ୍ରଫ୍‌ ଭାରତକୁ ‘ଶତ୍ରୁର ଦେଶ’ ସମ୍ବୋଧନ କରି ବିବାଦୀୟ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖାଯାଇଛି ଯେ, ପାକିସ୍ତାନରେ ଆଶ୍ରଫ୍‌ ଗଣମାଧ୍ୟମଙ୍କୁ ସମ୍ବୋଧିତ କରୁଥିବା ସମୟରେ ଏହି ଶବ୍ଦ ବ୍ୟବହାର କରିଥିଲେ। ‘ଆମେ ନୂଆ ଚୁକ୍ତି ଦ୍ବାରା ଖେଳାଳିଙ୍କ ପ୍ରତି ଭଲପାଇବାକୁ ଦର୍ଶାଇଛୁ। ମୋ ଭଳି ପୂର୍ବରୁ କେହିବି ଖେଳାଳିମାନଙ୍କ ପାଇଁ ଏତେ ପରିମାଣର ଅଟକଳ ଯୋଗାଇ ଦେଇନଥିଲେ। ମୋର ଲକ୍ଷ୍ୟ ଏହା ଥିଲା ଯେ, ଯେତେବେଳେ ସେମାନେ ଶତ୍ରୁର ଦେଶକୁ ଖେଳିବାକୁ ଯାଉଛନ୍ତି କିମ୍ବା ଅନ୍ୟ ଯେଉଁଠାରେ ପ୍ରତିଯୋଗିତା ହେଉଥିବା ସ୍ଥାନକୁ ଯିବା ବେଳେ ଆମ ଖେଳାଳିଙ୍କ ମନୋବଳ ଉଚ୍ଚ ରହୁ’ ବୋଲି ଆଶ୍ରଫ୍‌ କହୁଥିବା ଦେଖାଯାଇଛି। କିନ୍ତୁ ଆଶ୍ରଫ୍‌ଙ୍କ ଏଭଳି ମନ୍ତବ୍ୟକୁ ପାକିସ୍ତାନୀ ଲୋକମାନେ ସମାଲୋଚନା କରିବା ସହିତ ଭାରତର ଆତିଥେୟତାକୁ ପ୍ରଶଂସା କରିଛନ୍ତି। ଉଭୟ ଦେଶଙ୍କ ମଧ୍ୟରେ ଯାହାବି ରାଜ‌ନୈତିକ ଆକ୍ରୋଶ ଥିଲେ ସୁଦ୍ଧା ଖେଳ ପଡ଼ିଆରେ ପ୍ରତ୍ୟେକ ପରସ୍ପରକୁ ସମ୍ମାନ ଦେଇଆସିଛନ୍ତି।