ଦୋହା: ଦୀର୍ଘ ୯ ମାସ ଧରି ଚାଲିଥିବା ୟୁକ୍ରେନ-ରୁଷିଆ ଯୁଦ୍ଧରେ ବିରତି ଆଣିବାକୁ ଫିଫା ଅନୁରୋଧ କରିଛି। କାତାର ବିଶ୍ବକପ୍‌ ୨୦୨୨ରୁ ସକାରାତ୍ମକ ସନ୍ଦେଶ ନେଇ ଯୁଦ୍ଧବିରତି ପ୍ରସ୍ତାବ ଦେଇଛି ଫିଫା। ‌ଇଣ୍ଡୋନେସିଆର ବାଲିରେ ଆରମ୍ଭ ହୋଇଥିବା ଜି୨୦ ସମ୍ମିଳନୀ ଅବସରରେ ଫିଫା ସଭାପତି ଜିଆନି ଇନ୍‌ଫାଣ୍ଟିନୋ କହିଛନ୍ତି, ରବିବାରଠାରୁ ଆରମ୍ଭ ହେଉଥିବା ଫିଫା ବିଶ୍ବକପ୍‌କୁ ଶାନ୍ତିର ପ୍ଲାଟଫର୍ମ ଭାବେ ବିବେଚନା କରାଯାଉ। ମାନବିକ ପ୍ରସଙ୍ଗର ଗୁରୁତ୍ବକୁ ନଜରରେ ରଖି ଅନ୍ୟୁନ ମାସିକିଆ ଯୁଦ୍ଧବିରତି ପାଇଁ ମୁଁ ଅନୁରୋଧ କରୁଛି ବୋଲି ଇନ୍‌ଫାଣ୍ଟିନୋ ନିଜ ଅନୁରୋଧରେ ଉଲ୍ଲେଖ କରିଛନ୍ତି। କାତାରରେ ନଭେମ୍ବର ୨୦ରୁ ଡିସେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ଫିଫା ବିଶ୍ବକପ୍‌ ଅନୁଷ୍ଠିତ ହେବାକୁ ଯାଉଛି।

Advertisment

ମଧ୍ୟପ୍ରାଚ୍ୟରେ ପ୍ରଥମ ଥର ଫିଫା ବିଶ୍ବକପ୍‌ ଆୟୋଜିତ ହୋଇଛି। ୨୦୧୮ରେ ଆୟୋଜକ ଥିବା ରୁଷିଆ କ୍ବାର୍ଟରଫାଇନାଲ୍ ପର୍ଯ୍ୟନ୍ତ ଉଠିଥିଲା। କିନ୍ତୁ ୟୁ୍କ୍ରେନ୍‌ ଉପରେ ଆକ୍ରମଣ ଜାରି ରଖିଥିବାରୁ ରୁଷିଆକୁ ଏଥର ବିଶ୍ବକପ୍‌ରୁ ବାସନ୍ଦ କରାଯାଇଛି। ଅନ୍ୟପକ୍ଷରେ ୟୁକ୍ରେନ୍‌ ଯୋଗ୍ୟତାର ନିକଟତର ହୋଇଥିଲେ ମଧ୍ୟ ଜୁନ୍‌ରେ ୱେଲ୍ସଠାରୁ ହାରି ବଞ୍ଚିତ ରହିଛି। ଇନଫାଣ୍ଟି‌ନୋ କହିଛନ୍ତି ଯେ ‘‘ରୁଷିଆ ୨୦୧୮ ସଂସ୍କରଣ ଆୟୋଜନ କରିଥିଲା, ୟୁକ୍ରେନ ୨୦୩୦ ଆୟୋଜକ ହେବାକୁ ଦାବି କରିଛି। କାତାର ବିଶ୍ବକପ୍‌କୁ ୫.୫ ବିଲିଅନ୍‌ (୫୫୦ କୋଟି) ଲୋକ ଦେଖିବାର ଆଶା କରାଯାଉଥିବାରୁ ଯୁଦ୍ଧବିରତି ଏଠାରୁ ଏକ ସକାରାତ୍ମକ ବାର୍ତା ପଠାଇବ ଏବଂ ଆଲୋଚନା ପାଇଁ ବାଟ ଖୋଲିପାରିବ’’।