ରାଉରକେଲା: ‘ହକିର ଅନ୍ତୁଡ଼ିଶାଳ ସୁନ୍ଦରଗଡ଼ର ହକିପ୍ରେମୀଙ୍କ ପାଇଁ ପୁଣି ଏକ ଖୁସି ଖବର ମିଳିଛି। କାରଣ ଆଗାମୀ ଦିନରେ ଜିଲ୍ଲାବାସୀ ଏଠାରେ ଜାତୀୟ ହକି ପ୍ରତିଯୋଗିତା ଦେଖିବାର ସୁଯୋଗ ପାଇବେ। ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଗତ ଜାନୁଆରି ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ପୁରୁଷ ହକି ବିଶ୍ବକପ୍କୁ ଉପଭୋଗ କରିଥିବା ବେଳେ ଆସନ୍ତା ମାର୍ଚ୍ଚ ୧୦ରୁ ୧୫ ତାରିଖ ପର୍ଯ୍ୟନ୍ତ ଭାରତ, ଜର୍ମାନୀ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ପ୍ରୋ-ଲିଗ୍ର ମଜାନେବେ। ଏଠାରେ ପ୍ରୋ-ଲିଗ୍ର ୬ଟି ମ୍ୟାଚ୍ ଖେଳାଯିବ। ଏନେଇ ଆଜି ହକି ଇଣ୍ଡିଆ ପକ୍ଷରୁ ବିଧିବଦ୍ଧ ସୂଚନା ଦିଆଯାଇଛି।
ଏହି ଷ୍ଟାଡିୟମରେ ମୋଟ୍ ୪ଟି ବୟସ ବର୍ଗ କନିଷ୍ଠ ପୁରୁଷ ଓ ମହିଳା ଏବଂ ଉପକନିଷ୍ଠ ବାଳକ ଓ ବାଳିକା ବର୍ଗର ଜାତୀୟ ପ୍ରତିଯୋଗିତା ମଧ୍ୟ ଖେଳାଯିବ। ପ୍ରଥମେ ଏପ୍ରିଲ ୧୩ରୁ ୨୩ ତାରିଖ ପର୍ଯ୍ୟନ୍ତ କନିଷ୍ଠ ମହିଳା ଜାତୀୟ ପ୍ରତିଯୋଗିତା ଖେଳାଯିବାକୁ ଥିବା ବେଳେ ଏପ୍ରିଲ ୨୮ରୁ ମେ’ ୮ କନିଷ୍ଠ ପୁରୁଷ, ମେ’ ୧୩ରୁ ୨୩ ଯାଏ ଉପକନିଷ୍ଠ ମହିଳା ଓ ମେ ୨୮ରୁ ଜୁନ ୭ ଉପକନିଷ୍ଠ ପୁରୁଷ ବର୍ଗର ମ୍ୟାଚ୍ ଖେଳାଯିବ। ତେବେ ବରିଷ୍ଠ ପୁରୁଷ ଜାତୀୟ ପ୍ରତିଯୋଗିତା ତାମିଲନାଡୁର ମଦୁରାଇଠାରେ ମେ’ ୩ରୁ ୧୪ ପର୍ଯ୍ୟନ୍ତ ଖେଳାଯିବ। ବିସ୍ତୃତ ସୂଚନା ଦେଇ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି କହିଛନ୍ତି, ଉଦୀୟମାନ ହକି ଖେଳାଳିଙ୍କ ସର୍ବାଙ୍ଗୀନ ବିକାଶ ତଥା ଜାତୀୟସ୍ତରୀୟ ହକି ପ୍ରତିଯୋଗିତାକୁ ପ୍ରାଥମିକତା ଦିଆଯାଉଛି। ଏନେଇ ବିଭିନ୍ନ ପଦକ୍ଷେପ ବି ନିଆଯାଇଛି। ଉଭୟ ଭାରତ ଓ ଏସୀୟ ମହାଦେଶରେ ଏହାର ସିଧାପ୍ରସାରଣ କରାଯିବ। ଏନେଇ ‘ଫ୍ୟାନ୍କୋଡ୍ ସହିତ ବହୁବର୍ଷୀୟ ଚୁକ୍ତି କରାଯାଇଛି।
ଘରୋଇ ପ୍ରତିଯୋଗିତାରେ ଆମେ ଭିଡିଓ ରେଫରାଲ୍ ବ୍ୟବସ୍ଥା ପ୍ରଣୟନ କରିବାକୁ ଯୋଜନା କରୁଛୁ। ଏହାଦ୍ବାରା ଉଦୀୟମାନ ଖେଳାଳି କ୍ୟାରିଅର୍ର ଆରମ୍ଭରୁ ଏହି ପ୍ରକ୍ରିୟାର ଅଭିଜ୍ଞତା ପାଇପାରିବେ। ଏହି ଉଦୀୟମାନ ତାରକାଙ୍କୁ ଅନ୍ତର୍ଜାତୀୟମାନର ମ୍ୟାଚ୍ ଖେଳିବାର ସୁଯୋଗ ଯୋଗାଇବାକୁ ଲକ୍ଷ୍ୟ ରହିଛି। ହକି ଇଣ୍ଡିଆ ସମ୍ପାଦକ ଭୋଳାନାଥ ସିଂହ କହିଛନ୍ତି, ଜାତୀୟସ୍ତରୀୟ ହକିର ମାନ ବୃଦ୍ଧି ପାଇଁ ସର୍ବପ୍ରଥମଥର ପାଇଁ ହକି ଇଣ୍ଡିଆ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଉଛି। ପ୍ରତ୍ୟେକ ମ୍ୟାଚ୍ରେ ଶ୍ରେଷ୍ଠ ଖେଳାଳିଙ୍କୁ ଆର୍ଥିକ ପୁରସ୍କାର ଦିଆଯିବ। ଏହାସହ ମ୍ୟାଚ୍ ସୁପରିଚାଳନା ପାଇଁ ପଡ଼ିଆରେ ଥିବା ଅମ୍ପାୟାରମାନଙ୍କୁ ରେଡିଓ ପ୍ରଦାନ କରାଯିବ। ନୂତନଭାବେ ଲାଗୁ ହେଉଥିବା ସମସ୍ତ ବ୍ୟବସ୍ଥାର ବ୍ୟୟ, ଆୟୋଜକ କମିଟି ନୁହେଁ, ବରଂ ହକି ଇଣ୍ଡିଆ ବହନ କରିବ। ଉଲ୍ଲେଖଯୋଗ୍ୟ, ଫେବ୍ରୁଆରି ୧୫ ତାରିଖରୁ ଆନ୍ଧପ୍ରଦେଶର କାକିନାଡ୍ଠାରେ ବରିଷ୍ଠ ମହିଳା ଜାତୀୟ ପ୍ରତିଯୋଗିତା ଆରମ୍ଭ ହେବ। ଏହି ପ୍ରତିଯୋଗିତାଠାରୁ ସିଧାପ୍ରସାରଣ, ପ୍ରତ୍ୟେକ ମ୍ୟାଚ୍ରେ ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଥା ଆରମ୍ଭ ହେବ।