ନୂଆଦିଲ୍ଲୀ: ଚଳିତ ନୂଆବର୍ଷ ୨୦୧୮ରେ ଭାରତୀୟ ହକି ଦଳର ବ୍ୟସ୍ତବହୁଳ କାର୍ଯ୍ୟସୂଚୀକୁ ଦୃଷ୍ଟିରେ ରଖି ହକି ଇଣ୍ଡିଆ ଆସନ୍ତାକାଲିଠାରୁ ପ୍ରଥମ ଜାତୀୟ ଶିବିର ଆୟୋଜନ କରୁଛି। ଗତବର୍ଷ ଓଡ଼ିଶାର ଭୁବନେଶ୍ୱରରେ ଆୟୋଜିତ ହୋଇଯାଇଥିବା ହକି ବିଶ୍ୱ ଲିଗ୍ ଫାଇନାଲ୍ରେ କାଂସ୍ୟ ପଦକ ଜିତିଥିବା ଭାରତୀୟ ଦଳ ପାଇଁ ୨୦୧୮ରେ ଏକାଧିକ ବୃହତ୍ ପ୍ରତିଯୋଗିତା ଅପେକ୍ଷା କରିଛି। ନ୍ୟୁଜିଲାଣ୍ଡ୍ (ତୌରଙ୍ଗା ଓ ହାମିଲଟନ୍)ରେ ଆୟୋଜିତ ହେବାକୁ ଯାଉଥିବା ଚତୁଃରାଷ୍ଟ୍ରୀୟ ଆମନ୍ତ୍ରଣୀୟ ପ୍ରତିଯୋଗିତାରୁ ହିଁ ଭାରତୀୟ ଦଳ ୨୦୧୮ ବର୍ଷ ଆରମ୍ଭ କରିବ। ଏହି ବର୍ଷ ଆରମ୍ଭ ପ୍ରତିଯୋଗିତାରେ ଭାରତ ଓ ଆୟୋଜନ ନ୍ୟୁଜିଲାଣ୍ଡ୍ ବ୍ୟତୀତ ବେଲ୍ଜିୟମ୍ ଓ ଜାପାନ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏହି ବର୍ଷ ଏପ୍ରିଲରେ ଅଷ୍ଟ୍ରେଲିଆର ଗୋଲ୍କୋଷ୍ଟରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଜୁଲାଇରେ ହକି ଚାମ୍ପିଅନ୍ସ ଟ୍ରଫି (ବ୍ରେଡା), ଅଗଷ୍ଟରେ ଏସୀୟ କ୍ରୀଡ଼ା (ଜାକର୍ତା), ଅକ୍ଟୋବରରେ ଏସୀୟ ଚାମ୍ପିଅନସ୍ ଟ୍ରଫି ଏବଂ ନଭେମ୍ବରରେ ଭୁବନେଶ୍ୱରରେ ବିଶ୍ୱ କପ୍ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରତିଯୋଗିତା ରହିଛି। ଫଳରେ ଏହାକୁ ଦୃଷ୍ଟିରେ ରଖି ହକି ଇଣ୍ଡିଆ ବର୍ଷ ଆରମ୍ଭରୁ ହିଁ ପ୍ରସ୍ତୁତି ପର୍ବ ଆରମ୍ଭ କରିବାକୁ ଯାଉଛି। ଆସନ୍ତାକାଲି (ଜାନୁଆରି ୪)ଠାରୁ ଏକ ୧୦ ଦିନିଆ ପ୍ରଶିକ୍ଷଣ ଶିବିର ବେଙ୍ଗାଲୁରୁର ସାଇ (ଭାରତୀୟ କ୍ରୀଡ଼ା ପ୍ରାଧିକରଣ)ରେ ଆରମ୍ଭ ହେବ। ନୂଆ ବର୍ଷର ଏହି ପ୍ରଥମ ଶିବିର ପାଇଁ ହକି ଇଣ୍ଡିଆ ବୁଧବାର ଏକ ୩୩ ଜଣିଆ ଦଳ ଘୋଷଣା କରିଛି। ଯେଉଁଥିରେ ଓଡ଼ିଶାର ୪ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ଏହି ୪ ଓଡ଼ିଆ ହେଲେ ବୀରେନ୍ଦ୍ର ଲାକ୍ରା, ଦିପ୍ସାନ ତିର୍କି, ଅମିତ୍ ରୋହିଦାସ ଏବଂ ନିଲମ୍ ସଞ୍ଜୀବ ଖେସ୍। ଜାତୀୟ ଶିବିର ପାଇଁ ମନୋନୀତ ଖେଳାଳିମାନେ ଗୁରୁବାର ମୁଖ୍ୟ ପ୍ରଶିକ୍ଷକ ଜୋଏର୍ଡ ମାରିନେଙ୍କୁ ନିଜ ନିଜର ଉପସ୍ଥିତି ସଂପର୍କରେ ଅବଗତ କରାଇବାକୁ କୁହାଯାଇଛି। ଓଡ଼ିଶାର ସୁନ୍ଦରଗଡ଼ ବାଳକ ନିଲମ୍ ସଞ୍ଜୀବ ଖେସ୍ ୨୦୧୬ରେ ୧୮ ବର୍ଷରୁ କମ୍ ଏସିଆ କପ୍ ଦଳର ନେତୃତ୍ୱ ନେଇଥିଲେ। ସେଥିରେ ଚମତ୍କାର ପ୍ରଦର୍ଶନ କରିଥିବା ଏହି ଯୁବ ଓଡ଼ିଆ ରକ୍ଷଣଭାଗ ଖେଳାଳିଙ୍କୁ ପୁରସ୍କାର ସ୍ୱରୂପ ବରିଷ୍ଠ କୋର୍ ଗ୍ରୁପ୍କୁ ପଦୋନ୍ନତି ମିଳିଛି। ଫଳରେ ନିଲମ୍ ଏବେ ସର୍ଦାର ସିଂହ, ହର୍ମନ୍ପ୍ରୀତ୍ ସିଂହ, ଅମିତ୍ ରୋହିଦାସ, ଦିପ୍ସାନ ତିର୍କି, ବରୁଣ କୁମାର, ରୂପୀନ୍ଦର ପାଲ୍ ସିଂହ, ବୀରେନ୍ଦ୍ର ଲାକ୍ରା, ସୁରେନ୍ଦ୍ର କୁମାର, ଗୁରିନ୍ଦର ସିଂହଙ୍କ ସହ ପ୍ରଶିକ୍ଷଣ ନେବାର ସୁଯୋଗ ପାଇଛନ୍ତି। ସେହିପରି ଭୁବନେଶ୍ୱର ହକି ବିଶ୍ୱ ଲିଗ୍ ଫାଇନାଲ୍ରେ ଦମ୍ଦାର ପ୍ରଦର୍ଶନ କରିଥିବା ଗୋଲ୍ରକ୍ଷକ ସୁରଜ କାର୍କେରା ମଧ୍ୟ ବରିଷ୍ଠ କୋର୍ ଗ୍ରୁପ୍କୁ ଉନ୍ନୀତ ହୋଇଛନ୍ତି।
୩୩ ଜଣିଆ କୋର୍ ଗ୍ରୁପ୍ ଦଳ: ଆକାଶ ଅନିଲ ଚିଟ୍କେ, ସୁରଜ କାର୍କେରା, ପିଆର୍ ଶ୍ରୀଜେଶ ଓ କୃଷ୍ଣ ପି ପାଠକ (ଗୋଲ୍ରକ୍ଷକ), ହର୍ମନ୍ପ୍ରୀତ୍ ସିଂହ, ଅମିତ ରୋହିଦାସ, ଦିପ୍ସାନ୍ ତିର୍କି, ବରୁଣ କୁମାର, ରୁପୀନ୍ଦର ପାଲ୍ ସିଂହ, ବୀରେନ୍ଦ୍ର ଲାକ୍ରା, ସୁରେନ୍ଦ୍ର କୁମାର, ଗୁରିନ୍ଦର ସିଂହ, ନିଲମ୍ ସଞ୍ଜୀବ ଖେସ୍, ସର୍ଦାର ସିଂହ (ରକ୍ଷଣଭାଗ), ମନ୍ପ୍ରୀତ୍ ସିଂହ, ଚିଙ୍ଗଲସାଣା ସିଂହ, ଏସ୍କେ ଉଥପ୍ପା, ସୁମିତ, କୋଠାଲଜିତ୍ ସିଂହ, ସତ୍ବୀର ସିଂହ, ନିଳକଣ୍ଠ ଶର୍ମା, ସିମ୍ରନ୍ଜିତ୍ ସିଂହ, ହର୍ଜିତ୍ ସିଂହ (ମଧ୍ୟଭାଗ), ଏସ୍ଭି ସୁନୀଲ, ଆକାଶଦୀପ୍ ସିଂହ, ମନ୍ଦୀପ୍ ସିଂହ, ଲଲିତ ଉପାଧ୍ୟାୟ, ଗୁରଜାନ୍ତ ସିଂହ, ରମଣଦୀପ୍ ସିଂହ, ଅର୍ମନ୍ କ୍ୟୁରେସି, ଆଫାନ୍ ୟୁସୁଫ୍, ତଲ୍ଓ୍ଵିନ୍ଦର ସିଂହ, ସୁମିତ୍ କୁମାର (ପୂରୋଭାଗ)।