ଭୁବନେଶ୍ବର : ଫେବ୍ରୁଆରି ୮ରୁ ୧୩ ତାରିଖ ମଧ୍ୟରେ ଫ୍ରାନ୍ସ ଜାତୀୟ ମହିଳା ଦଳ ବିପକ୍ଷ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳା ପାଇଁ ହକି ଇଣ୍ଡିଆ ବୁଧବାର ଭାରତୀୟ ଦଳ ଘୋଷଣା କରିଛି। ଏହି ମ୍ୟାଚ୍ସବୁ ଉତ୍ତର ପ୍ରଦେଶର ଲକ୍ଷ୍ନୌ ଓ ଗୋରଖପୁରରେ ଖେଳାଯିବ। ୩୩ ଜଣ ସମ୍ଭାବ୍ୟ ଦଳକୁ ନେଇ ଲକ୍ଷ୍ନୌ ସାଇ କ୍ୟାମ୍ପସ୍ରେ ଚାଲିଥିବା ଜାତୀୟ ଶିବିର ଅବସରରେ ବୁଧବାର ୨୦ ଜଣିଆ ଦଳ ଘୋଷଣା କରାଯାଇଛି। ଶିବିରରେ ସାମିଲ ଥିବା ୪ ଜଣଯାକ ଓଡ଼ିଆ ଏହି ଦଳରେ ସ୍ଥାନ ଅକ୍ତିଆର କରିଛନ୍ତି। ସେମାନେ ହେଲେ ଦୁଇ ମିଡ୍ଫିଲ୍ଡର ମାରିଆନା କୁଜୁର ଓ ଅଜ୍ମିନା କୁଜୁର, ଡିଫେଣ୍ଡର ଫିଲିସିଆ ଟପ୍ପୋ ଓ ମିଡ୍ଫିଲ୍ଡର ଜୀବନ କିଶୋରୀ ଟପ୍ପୋ। ସାଲିମା ଟେଟେ ଦଳର ନେତୃତ୍ବ ନେଉଥିଲା ବେଳେ ଲାଲ୍ରେମ୍ସିଆମି ଉପଅଧିନାୟିକା ମନୋନୀତ ହୋଇଛନ୍ତି। ପ୍ରଥମ ଦୁଇଟି ମ୍ୟାଚ୍ ଯଥାକ୍ରମେ ଫେବ୍ରୁଆରି ୮ ଓ ୯ ତାରିଖରେ ଲକ୍ଷ୍ନୌର ପଦ୍ମଶ୍ରୀ ମହମ୍ମଦ ସାହିଦ ସିନ୍ଥେଟିକ୍ ହକି ଷ୍ଟାଡିୟମ୍ରେ ଖେଳାଯିବା ପରେ ତୃତୀୟ ମ୍ୟାଚ୍ ୧୧ ତାରିଖ ଦିନ ଗୋରଖପୁରର ବୀର ବାହାଦୁର ସିଂହ ସ୍ପୋର୍ଟସ୍ କଲେଜରେ ଖେଳାଯିବ। ଏହାପରେ ୧୩ ତାରିଖ ଦିନ ଚତୁର୍ଥ ତଥା ଶେଷ ମ୍ୟାଚ୍ ଖେଳିବା ପାଇଁ ଉଭୟ ଦଳ ପୁଣି ଲକ୍ଷ୍ନୌ ଫେରିଆସିବେ। ଆଗାମୀ କନିଷ୍ଠ ମହିଳା ଏସିଆ କପ୍ର ଅଷ୍ଟମ ସଂସ୍କରଣ ପୂର୍ବରୁ ଫ୍ରାନ୍ସ ବିପକ୍ଷ ଶୃଙ୍ଖଳା ଭାରତୀୟ ଦଳ ପାଇଁ ଗୁରୁତ୍ବ ବହନ କରିବ ବୋଲି ପ୍ରଶିକ୍ଷକ ବଲ୍ଜିତ୍ ସିଂହ କହିଛନ୍ତି।
ଫ୍ରାନ୍ସ ବିପକ୍ଷ ମ୍ୟାଚ୍ ପାଇଁ କନିଷ୍ଠ ମହିଳା ହକି ଦଳରେ ୪ ଓଡ଼ିଆ
/sambad/media/post_attachments/wp-content/uploads/2019/01/hocky.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)