ଭୁବନେଶ୍ବର: ଇଂଲଣ୍ଡର ବର୍ମିଂହାମରେ ଶେଷ ହୋଇଥିବା ଆଇଏସବିଏ ବିଶ୍ବ କ୍ରୀଡ଼ାର ଦୃଷ୍ଟିବାଧିତ କ୍ରିକେଟ୍ ଇଭେଣ୍ଟରେ ସ୍ବର୍ଣ୍ଣ ଜିତିଥିବା ଭାରତୀୟ ମହିଳା ଦଳର ୪ ସଦସ୍ୟା ଫୁଲ ସୋରେନ୍, ବାସନ୍ତୀ ହାଁସଦା, ଝିଲ୍ଲୀ ବିରୁଆ, ପଦ୍ମିନୀ ଟୁଡୁ ଶୁକ୍ରବାର ଭୁବନେଶ୍ବର ଫେରିବା ପରେ ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଫୁଲ ଏହି ଦଳର ଉପ ଅଧିନାୟକ ଥିବାରୁ ଚର୍ଚ୍ଚାରେ ଅଛନ୍ତି। ବିମାନବନ୍ଦରରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଅଧିକାରୀ, ଏସଏସଇପିଡି ବିଭାଗ, ପରିବାର ବର୍ଗ, ବିଭିନ୍ନ ଅନୁଷ୍ଠାନର ଅଧିକାରୀ ସ୍ବାଗତ କରିଥିଲେ।
ଏହା ପରେ ଓଡ଼ିଶା ଖଣି ନିଗମ ଏବଂ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ମଧ୍ୟ ରାଜ୍ୟର ଗୌରବ ବଢ଼ାଇଥିବା ଏହି ଖେଳାଳିମାନଙ୍କୁ ସମ୍ବର୍ଧିତ କରାଯାଇଥିଲା। ଏହି ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବା ଭାରତୀୟ ପୁରୁଷ ଦଳର ସଦସ୍ୟ ମହମ୍ମଦ ଜାଫର ଇକ୍ବାଲ୍, ପଙ୍କଜ ଭୁଏ, ନକୁଳ ବଡ଼ନାୟକ ମଧ୍ୟ ବିଏମ୍ସି ସମ୍ବର୍ଧନା ଉତ୍ସବରେ ସାମିଲ ହୋଇଥିଲେ। ସୂଚନାଯୋଗ୍ୟ, ବର୍ମିଂହାମର କ୍ରିକେଟ୍ ଇଭେଣ୍ଟରେ ଭାରତୀୟ ମହିଳା ଦଳ ଅଷ୍ଟ୍ରେଲିଆକୁ ପରାସ୍ତ କରି ସ୍ବର୍ଣ୍ଣ ଜିତିଥିବାବେଳେ ପୁରୁଷ ଦଳ ପାକିସ୍ତାନଠାରୁ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଥିଲେ।