ଭୁବନେଶ୍ବର (ସୁରେଶ ସ୍ବାଇଁ): କ୍ରିକେଟ୍ ଯେଉଁ ଶ୍ରେଣୀୟ ହୋଇଥାଉ କିମ୍ବା ଯେଉଁ ଫର୍ମାଟ୍ର ହୋଇଥାଉ, ଗୋଟିଏ ପାଳିର ସମସ୍ତ ୧୦ ୱିକେଟ୍ ଗୋଟିଏ ବୋଲର ଖାତାରେ ପଡ଼ିବା ନିଶ୍ଚିତ ଭାବେ ବିରଳ ଓ ବ୍ୟତିକ୍ରମ। ପୂର୍ବତନ ଭାରତୀୟ ଅଧିନାୟକ ତଥା କିଂବଦନ୍ତି ଲେଗସ୍ପିନର୍ ଅନିଲ କୁମ୍ବଲେ ୨୧ ବର୍ଷ ତଳେ ନୂଆଦିଲ୍ଲୀର ଫିରୋଜ ସାହ କୋଟଲା ଗ୍ରାଉଣ୍ଡରେ ପାକିସ୍ତାନ ବିପକ୍ଷ ଟେଷ୍ଟ୍ ପାଳିକୁ ଏକା ଏକା ଶେଷ କରି ଛାଡ଼ିଥିବା ଉଦାହରଣ (୨୬.୩-୯-୭୪-୧୦) ବିଶ୍ବ କ୍ରିକେଟ୍ରେ ବି ଥିଲା ଦ୍ବିତୀୟ ଅବସର। ଟେଷ୍ଟ୍ କ୍ରିକେଟ୍ରେ ଅନ୍ୟ ବୋଲର ଜଣକ ହେଲେ ଇଂଲଣ୍ଡ ଅଫସ୍ପିନର୍ ଜିମ୍ ଲେକର (୧୦/୫୩) ଯିଏକି ୧୯୫୬ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷ ଅସେସ୍ ଟେଷ୍ଟ୍ରେ ଏହି କୃତିତ୍ବର ପ୍ରଥମ ଉଦାହରଣ ରଖିଥିଲେ।
ଓଡ଼ିଶା କ୍ରିକେଟ୍ରେ ବି ଏଭଳି ଉଦାହରଣ ରହିଛି ଯାହାକୁ ନେଇ ବିଶେଷ ଆଲୋଚନା ହୁଏ ନାହିଁ। ଅନେକଙ୍କୁ ବି ଅଜଣା ରହିଥିବ ଯେ ଅଦ୍ୟାବଧି ୪ ଜଣ ଓଡ଼ିଶା କ୍ରିକେଟର୍ ‘ପରଫେକ୍ଟ ଟେନ୍’ର ଗୌରବାନ୍ବିତ ଅଛନ୍ତି। ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟର୍ ଦେବାଶିଷ ମହାନ୍ତି, ଅନ୍ତର୍ଜାତୀୟ ମହିଳା କ୍ରିକେଟର୍ ସ୍ବାଗତିକା ରଥ, ଓଡ଼ିଶାର ଦୁଇ ଘରୋଇ କ୍ରିକେଟର୍ ମନୋଜ ନାୟକ ଏବଂ ମନୋଜ ବାରିକଙ୍କ ନାମ ଏହି ବିରଳ କ୍ଲବ୍ରେ ରହିଛି। ଏହି ୪ ଜଣଙ୍କ ମଧ୍ୟରେ ଦେବାଶିଷ ମହାନ୍ତି ଏକମାତ୍ର ଦ୍ରୁତ ବୋଲର ଏବଂ ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ଏହି ସଫଳତା ପାଇଛନ୍ତି। ଏହି କ୍ଲବ୍ର ପ୍ରଥମ ସଦସ୍ୟ ଦେବାଶିଷ ମହାନ୍ତିଙ୍କ କୃତିତ୍ବର ବିଂଶତମ ଋତୁ ଅବସରରେ ଆସନ୍ତୁ ସମସ୍ତଙ୍କ ଉପରେ ନଜର ପକାଇନେବା।
ଦେବାଶିଷ ମହାନ୍ତି (୧୦/୪୬) ବନାମ ଦକ୍ଷିଣାଞ୍ଚଳ, ୨୦୦୧
୨୦୦୧ ମସିହା ଜାନୁଆରି ୨୫ରୁ ୨୭ ତାରିଖ ମଧ୍ୟରେ ତ୍ରିପୁରାର ଅଗରତାଲାଠାରେ ଅନୁଷ୍ଠିତ ଦଲିପ ଟ୍ରଫି ମ୍ୟାଚ୍ରେ ଦେବାଶିଷ ମହାନ୍ତି ଏହି ପ୍ରତିଯୋଗିତାର ପ୍ରଥମ ବୋଲର ଭାବେ ପରଫେକ୍ଟ ଟେନ୍ ଅର୍ଜନ କରିଥିଲେ। ଶିବସୁନ୍ଦର ଦାସଙ୍କ ନେତୃତ୍ବାଧୀନ ପୂର୍ବାଞ୍ଚଳ ଦଳ ପକ୍ଷରୁ ଖେଳୁଥିବା ବେଳେ ଦେବାଶିଷ ପ୍ରତିପକ୍ଷ ଶକ୍ତିଶାଳୀ ଦକ୍ଷିଣାଞ୍ଚଳର ପ୍ରଥମ ପାଳିରେ ୧୯-୫-୪୬-୧୦ ବୋଲିଂ ଚିତ୍ର ଅର୍ଜନ କରିଥିଲେ। ଦେବାଶିଷଙ୍କ ଘାତକ ବୋଲିଂ ଆଗରେ ଭିଭିଏସ୍ ଲକ୍ଷ୍ମଣ, ଅଧିନାୟକ ରାହୁଲ ଦ୍ରାବିଡ଼, ଅନ୍ତର୍ଜାତୀୟ ଖେଳାଳି ଏସ୍ ଶ୍ରୀରାମ, ବିଜୟ ଭରଦ୍ବାଜ, ଆଶିଷ କାପୁର, ସୁନିଲ ଯୋଶୀ, ଜଭାଗଲ ଶ୍ରୀନାଥ, ଭେଙ୍କଟେଶ ପ୍ରସାଦ ଏବଂ ଏ ନନ୍ଦ କିଶୋର, ଭିଏସଟି ନାଇଡୁ ଆତ୍ମସମର୍ପଣ କରିଥିଲେ। ପୂର୍ବାଞ୍ଚଳ ଏହି ମ୍ୟାଚ୍କୁ ଶେଷରେ ରୋମାଞ୍ଚକ ଭାବେ ୪ ୱିକେଟ୍ରେ ଜିତିନେଇଥିଲା ଦେବାଶିଷଙ୍କ ବୋଲିଂ ଚିତ୍ର ଏବେ ବି ଦଲିପ ଟ୍ରଫିର ଏକମାତ୍ର ଏବଂ ଭାରତୀୟ ପ୍ରଥମ ଶ୍ରେଣୀ କ୍ରିକେଟର୍ ସପ୍ତମ ଉଦାହରଣ ହୋଇରହିଛି।
ସ୍ବାଗତିକା ରଥ (୧୦/୧୧) ବନାମ କଳାହାଣ୍ଡି, ୨୦୧୨
ରାଜ୍ୟର ଅନ୍ୟତମ ଅନ୍ତର୍ଜାତୀୟ ମହିଳା କ୍ରିକେଟର୍ ସ୍ବାଗତିକା ରଥ ରାଜ୍ୟ ଘରୋଇ କ୍ରିକେଟ୍ରେ ପ୍ରଥମେ ‘ପରଫେକ୍ଟ ଟେନ୍’ ସଫଳତା ଅର୍ଜନ କରିଥିଲେ। ୨୦୧୨ ମସିହାରେ କଟକର ଏସ୍ସିବି ମେଡିକାଲ୍ କଲେଜ୍ ପଡ଼ିଆରେ ଅନ୍ତଃଜିଲ୍ଲା ମହିଳା କ୍ରିକେଟ୍ ପ୍ରତିଯୋଗିତାରେ ଯାଜପୁର ଜିଲ୍ଲା ପକ୍ଷରୁ ପ୍ରତିନିଧିତ୍ବ କରିଥିବା ଏହି ଭଦ୍ରକ ଝିଅ କଳାହାଣ୍ଡି ବିପକ୍ଷରେ ମାତ୍ର ୧୧ ରନ୍ ବିନିମୟରେ ନେଇଥିଲେ ସମସ୍ତ ୧୦ ୱିକେଟ୍। ସ୍ବାଗତିକାଙ୍କ ଅଫସ୍ପିନ୍କୁ ମୁକାବିଲା କରିନପାରି କଳାହାଣ୍ଡି ଦଳ ୧୧ ଓଭରରେ ମାତ୍ର ୨୭ ରନ୍ କରିଥିଲା। ଯାହାକୁ ଯାଜପୁର ଦଳ ୧୦ ୱିକେଟ୍ ବିନିମୟରେ ମଧ୍ୟ ଜିତି ନେଇଥିଲା। ଏହାର ପରବର୍ତୀ ବର୍ଷ ସ୍ବାଗତିକା ବାଂଲାଦେଶ ବିପକ୍ଷରେ ଦିନିକିଆ (ଅହମ୍ମଦାବାଦ) ଏବଂ ଟି-୨୦ ଅନ୍ତର୍ଜାତୀୟ (ଭଦୋଦରା) ପଦାର୍ପଣ କରି ଆଗକୁ ବଢ଼ିଥିଲେ। ସମ୍ପ୍ରତି ଭାରତୀୟ ରେଳବାଇ ପକ୍ଷରୁ ଘରୋଇ କ୍ରିକେଟ୍ ଖେଳୁଛନ୍ତି ଏହି ଅଲରାଉଣ୍ଡର୍।
ମନୋଜ ନାୟକ (୧୦/୪୪) ବନାମ କଳାହାଣ୍ଡି, ୨୦୧୬
ବଣମଲ୍ଲି ଭଳି ବଣରେ ଫୁଟି ଝଡ଼ିଯାଇଛନ୍ତି ପ୍ରତିଭାସମ୍ପନ୍ନ ବାମହାତୀ ସ୍ପିନର ମନୋଜ ନାୟକ। ସୀମିତ ଓଭର ପାଇଁ ଉପଯୁକ୍ତ ସାବ୍ୟସ୍ତ ହେଉଥିଲେ ମଧ୍ୟ ଅଣଦେଖାର ଶିକାର ହୋଇଥିଲେ। ବୌଦ୍ଧ ଜିଲ୍ଲାର ଏହି ଅଭିଜ୍ଞ ଅଲରାଉଣ୍ଡର୍ ୨୦୧୬ ମସିହାରେ ବାରବାଟୀ ଷ୍ଟାଡିୟମ୍ରେ କଳାହାଣ୍ଡି କପ୍ ଅନ୍ତଃଜିଲ୍ଲା କ୍ରିକେଟ୍ର କଳାହାଣ୍ଡି ବିପକ୍ଷ ମୁକାବିଲାରେ ନେଇଥିଲେ ୧୭.୪-୬-୪୪-୧୦ ବୋଲିଂ ଚିତ୍ର। କଳାହାଣ୍ଡିର ଦ୍ବିତୀୟ ପାଳିରେ ନିଜର ପ୍ରଥମ ୩ ବଲରେ ୱିକେଟ୍ ନେଇ (ସମସ୍ତ ବୋଲ୍ଡ) ହ୍ୟାଟ୍ରିକ୍ ନେବାର ଅନ୍ୟତମ ବିରଳ କୃତିତ୍ବ ବି ମନୋଜଙ୍କ ଖାତାରେ ରହିଛି। ଏହା ମଧ୍ୟରେ ମୋଟ ୬ଟି ବୋଲ୍ଡ, ଦୁଇଟି ଏଲବିଡବ୍ଲୁ ଏବଂ ଗୋଟିଏ କ୍ୟାଚ୍ ଏବଂ ଗୋଟିଏ କଟ୍ ଆଣ୍ଡ୍ ବୋଲ୍ଡ ଥିଲା। ଦଶମ ୱିକେଟ୍ଟି ଏଲବିଡବ୍ଲୁ ଥିଲା, ଏହି ଖୁସିରେ ସେଦିନ ରାତିରେ ସେ ଶୋଇପାରିନଥିଲେ ବୋଲି ‘ସମ୍ବାଦ’ ସହ କଥା ହେବା ବେଳେ କହିଥିଲେ ମନୋଜ। ସେହି ଋତୁର କଳାହାଣ୍ଡି କପ୍ର ଅଗ୍ରଣୀ ୱିକେଟ୍ ଦଖଲକାରୀ ଭାବେ ସେ ଓଡ଼ିଶା ରଣଜୀ ଦଳରେ ସାମିଲ ହୋଇଥିଲେ ମଧ୍ୟ ୭ଟି ମ୍ୟାଚ୍ରେ ବାହାରେ ବସି ଘରକୁ ଫେରିଥିଲେ। ପ୍ରାୟ ଦୁଇ ଦଶନ୍ଧି ଧରି ଘରୋଇ କ୍ରିକେଟ୍ ଖେଳିଥିବା ମନୋଜ ଅଷ୍ଟ୍ରେଲୀୟ ଅଲରାଉଣ୍ଡର୍ ମାଇକେଲ୍ ବେଭାନଙ୍କ ପ୍ରଶିକ୍ଷଣ ସମୟରେ ଅଷ୍ଟ୍ରେଲିଆ ଗସ୍ତ କରି ନ୍ୟୁ ସାଉଥ୍ ୱେଲ୍ସ ବିପକ୍ଷରେ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରି ୨ ୱିକେଟ୍ ନେଇଥିଲେ।
ମନୋଜ ବାରିକ (୧୦/୨୮) ବନାମ ଏସିଏ, ୨୦୧୯
ଓଡ଼ିଶା କ୍ରିକେଟ ସଂଘ (ଓସିଏ) ପକ୍ଷରୁ ଗତବର୍ଷ ଆରମ୍ଭ ହୋଇଥିବା ଅନ୍ତଃକ୍ଲବ୍ କ୍ରିକେଟ୍ରେ ମଧ୍ୟ ପରଫେକ୍ଟ ଟେନ୍ର ଉଦାହରଣ ଦେଖିବାକୁ ମିଳିଥିଲା। ଭୁବନେଶ୍ବର ଉପକଣ୍ଠ ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟ ପଡ଼ିଆରେ ଏହି ପ୍ରତିଯୋଗିତାରେ ସହିଦ ସ୍ପୋର୍ଟିଂର ବାମହାତୀ ସ୍ପିନର୍ ମନୋଜ ବାରିକ ପ୍ରତିପକ୍ଷ ଅଭିଳାଷ କ୍ରିକେଟ୍ ଏକାଡେମି (ଏସିଏ) ବିପକ୍ଷରେ ହାସଲ କରିଥିଲେ ୭.୫-୧-୨୮-୧୦ ବୋଲିଂ ଚିତ୍ର। ମନୋଜଙ୍କ ବୋଲିଂ ଆଗରେ ହାର ମାନିଥିବା ଏସିଏ ଦଳ ମାତ୍ର ୬୧ ରନ୍ରେ ସମସ୍ତ ୱିକେଟ୍ ହରାଇ ୬୯ ରନ୍ରେ ପରାଜିତ ହୋଇଥିଲା। ନିଜର ପଞ୍ଚମ ଓଭରରେ ମନୋଜ ହ୍ୟାଟ୍ରିକ୍ ସହିତ ୪ ୱିକେଟ୍ ଦଖଲ କରିଥିଲେ। ଏହି ଓଭରର ଶେଷ ୩ ବଲରେ ସେ ଦିବ୍ୟ ରଂଜନ ସାହୁ, ତୀର୍ଥବାସୀ ମାଝୀ, ମନୀଷ କୁମାର ମହାନ୍ତିଙ୍କୁ ଲଗାତାର ବଲରେ ଆଉଟ୍ କରି ହ୍ୟାଟ୍ରିକ୍ ଅର୍ଜନ କରିଥିଲେ। ନିଜର ଶେଷ ୧୧ ବଲରେ ୫ ୱିକେଟ୍ ନେଇ ଦ୍ବିତୀୟ ହ୍ୟାଟ୍ରିକ୍ ସୁଯୋଗ ସୃଷ୍ଟି କରିଥିଲେ।
ଲକ୍ଷ୍ମଣଙ୍କ ୱିକେଟ୍ ଶ୍ରେଷ୍ଠ ଓ ସ୍ମରଣୀୟ: ଦେବାଶିଷ
ପରଫେକ୍ଟ ଟେନ୍ କୃତିତ୍ବ କଥା କେବେ ବି ଭାବିନଥିଲି। ଏହି ସଫଳତା ଏବେ ମନେ ପଡ଼ିଲେ ସ୍ବପ୍ନ ଭଳି ଲାଗେ। ପ୍ରଥମ ଦିନ ଖେଳର ମଧ୍ୟାହ୍ନ ଭୋଜନ ବେଳକୁ ୭ ୱିକେଟ୍ ନେଇ ସାରିଥିବାରୁ ବୁଢ଼ା (ଅଧିନାୟକ ଶିବସୁନ୍ଦର ଦାସ) ଆସି ପ୍ରଥମେ ମୋତେ ଉତ୍ସାହିତ କରିଥିଲେ। ୧୦ ୱିକେଟ୍ ନେବା ସମ୍ଭବ ବୋଲି କହି ବିରତି ପରେ ମଧ୍ୟ ବୋଲିଂ ସୁଯୋଗ ଦେଇଥିଲେ। ଫଳରେ ଗୋଟିଏ ସ୍ପେଲ୍ (୧୯-୫-୪୬-୧୦)ରେ ହିଁ ମୁଁ ସମସ୍ତ ୧୦ ୱିକେଟ୍ ନେବାର ଗୌରବ ପାଇଥିଲି ବୋଲି ‘ସମ୍ବାଦ’ ସହ କଥା ହେବାବେଳେ ଭାବବିହ୍ବଳ ସ୍ବରରେ କହିଥିଲେ ଦେବାଶିଷ। ୱିକେଟ୍ଗୁଡ଼ିକ ମଧ୍ୟରୁ ଭିଭିଏସ୍ ଲକ୍ଷ୍ମଣ ଏବଂ ରାହୁଲ ଦ୍ରାବିଡ଼ଙ୍କ ୱିକେଟ୍ ନିଶ୍ଚିତ ସବୁଠାରୁ ସ୍ମରଣୀୟ। ଲକ୍ଷ୍ମଣଙ୍କ ୱିକେଟକୁ ମୁଁ ଶ୍ରେଷ୍ଠ କହିବି କାରଣ ବଲ୍ଟି ଲେଗଷ୍ଟମ୍ପରେ ପଡ଼ିଥିଲା, ଲକ୍ଷ୍ମଣ ଫ୍ରଣ୍ଟଫୁଟ୍ରେ ଖେଳିବାକୁ ଯାଇ ଅଫଷ୍ଟମ୍ପ୍ ହରାଇଥିଲେ। ଦ୍ରାବିଡ଼ଙ୍କୁ କଟ୍ ବିହାଇଣ୍ଡ୍ କରାଇଥିଲି, ୱିକେଟ ପଛପଟେ ଦୀପ ଦାସଗୁପ୍ତା ନେଇଥିଲେ କ୍ୟାଚ୍। ଦଶମ ୱିକେଟ୍ଟି (ଭେଙ୍କଟେଶ ପ୍ରସାଦ) ନିଶ୍ଚିତ ସ୍ମରଣୀୟ ଥିଲା କିନ୍ତୁ ଏଥିପାଇଁ ମୋତେ ବିଶେଷ ପରିଶ୍ରମ କରିବାକୁ ପଡ଼ିନଥିଲା। ଗୋଟିଏ ଓଭରରେ ମୁଁ ଜଭାଗଲ ଶ୍ରୀନାଥ ଓ ଭେଙ୍କଟେଶ ପ୍ରସାଦଙ୍କୁ ବୋଲ୍ଡ କରି ଦେଇଥିଲି। ଆଜି ବି ସେଦିନ ମନେପଡ଼ିଲେ ଖୁସି ଲାଗେ ବୋଲି କହିଥିଲେ ୪୪ ବର୍ଷୀୟ ଦେବାଶିଷ। ଭାରତ ପାଇଁ ଦେବାଶିଷ ୨ ଟେଷ୍ଟ୍ ଓ ୪୫ ଦିନିକିଆ ଖେଳିଥିଲେ।