କନିଷ୍ଠ ବିଶ୍ବ କପ୍‌ ହକି ଜାତୀୟ ଶିବିରରେ ୭ ଓଡ଼ିଆ

ରାଉରକେଲା: ଆସନ୍ତା ନଭେମ୍ବର ୨୪ରୁ ଡିସେମ୍ବର ୫ ଯାଏଁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଦ୍ଵାଦଶ ଜୁନିୟର ପୁରୁଷ ବିଶ୍ଵ କପ୍‌ ହକି ଅନୁଷ୍ଠିତ‌ ହେବ। ଏଥିପାଇଁ ବେଙ୍ଗାଲୁରୁରେ ଭାରତୀୟ ଦଳ ଚୟନ ପାଇଁ ଆୟୋଜିତ ଶିବିରରେ ଓଡ଼ିଶାର ୭ ଜଣ ଖେଳାଳି ରହିଛନ୍ତି। ସେମାନଙ୍କ ଭିତରୁ ୩-୪ ଜଣ ଭାରତୀୟ ଚୂଡାନ୍ତ ଦଳରେ ସ୍ଥାନ ପାଇବେ ବୋଲି ଆଶା କରା ଯାଉଛି।

ବେଙ୍ଗାଲୁରୁର ସାଇ ସେଣ୍ଟରରେ ଖେଳାଳିମାନଙ୍କର ପ୍ରଶିକ୍ଷଣ ଶିବିର ଚାଲିଛି। ଶିବିରରେ ସାରା ଦେଶର ଶ୍ରେଷ୍ଠ ୩୭ ଖେଳାଳି ପ୍ରଶିକ୍ଷଣ ନେଉଛନ୍ତି। ଏମାନଙ୍କ ମଧ୍ୟରୁ ୧୮ ଜଣ ଦେଶର ପ୍ରତିନିଧିତ୍ବ କରିବାର ସୁଯୋଗ ପାଇବେ। ଉଲ୍ଲେଖନୀୟ କଥା ହେଉଛି, ଏହି ୩୭ଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ୭ ଜଣ ଯୁବ ପ୍ରତିଭା। ସେମାନେ ହେଉଛନ୍ତି- ସାହିଲ କୁମାର ନାୟକ (ଗୋଲ୍‌କିପର), ନବୀନ କୁଜୁର, ସୁନୀଲ ଜୋଜୋ, ସିରିଲ ଲୁଗୁନ, ଅଭିଷେକ ଲାକଡ଼ା (ରକ୍ଷକ), ଗ୍ରେଗୋରୀ ଖେସ୍‌ (ମିଡଫିଲଡ଼ର) ଓ ସୁଦୀପ ଚିରମାକୋ (ଫରୱାର୍ଡ)। ଏମାନେ ବେଙ୍ଗାଲୁରୁର ସାଇ ସେଣ୍ଟରରେ ମୁଖ୍ୟ କୋଚ୍‌ ବି.ଜେ, କାରିୟପ୍ପାଙ୍କ ତତ୍ତ୍ଵାବଧାନରେ ପ୍ରଶିକ୍ଷଣ ନେଉଛନ୍ତି। ଓଡ଼ିଶାର ଉପରୋକ୍ତ ୭ ଜଣଙ୍କ ମଧ୍ୟରୁ ସାହିଲ କୁମାର ନାୟକଙ୍କ ବ୍ୟତୀତ ଅନ୍ୟ ୬ ଜଣ ଖେଳାଳି ହେଉଛନ୍ତି ସୁନ୍ଦରଗଡ ଜିଲ୍ଲାର। ସାହିଲ ନାୟକ ହେଉଛି କଟକ ଜିଲ୍ଲାର ବାସିନ୍ଦା। ତେବେ ସମସ୍ତେ ଏହି ସୁନ୍ଦରଗଡ଼ରୁ ତିଆରି ହୋଇଛନ୍ତି। ୫ ଜଣ ପାନପୋଷ କ୍ରୀଡ଼ା ଛାତ୍ରାବାସରୁ ପ୍ରଶିକ୍ଷଣ ନେଇଥିବାବେଳେ ଓ ଜଣେ (ସାହିଲ ନାୟକ) ସୁନ୍ଦରଗଡ କ୍ରୀଡ଼ା ଛାତ୍ରାବାସରେ ପ୍ରଶିକ୍ଷଣ ପ୍ରାପ୍ତ ହୋଇଛନ୍ତି। ନବୀନ କୁଜୁର ରାଉରକେଲାସ୍ଥ ସେଲ୍‌ ହକି ଏକାଡ଼ମିରେ ତାଲିମ ନେଇଛନ୍ତି।

ଏହି ୭ଙ୍କ ଭିତରୁ କେବଳ ସୁଦୀପ ଚିରମାକୋ ଭାରତୀୟ ଜର୍ସି ପିନ୍ଧିବାର ସୌଭାଗ୍ୟ ଅର୍ଜ୍ଜନ କରି ସାରିଛନ୍ତି। ସେ ଭାରତୀୟ ଜୁନିୟର ଦଳରେ ସାମିଲ ହୋଇ ଅନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଛନ୍ତି। କାଂଶବାହାଲ ନିକଟସ୍ଥ ବଡ଼ନୂଆଗାଁର ୧୯ ବର୍ଷ ବୟସ୍କ ସୁଦୀପ ୨୦୧୩ରେ ପାନପୋଷ କ୍ରୀଡ଼ା ଛାତ୍ରାବାସରେ ପ୍ରବେଶ କରିଥିଲେ। ତାପରେ ରାଜ୍ୟ ସବ୍‌ଜୁନିୟର ଓ ପରେ ଜୁନିୟର ଦଳରେ ମନୋନୀତ ହୋଇ ସେ ନିଜର ପ୍ରତିଭାରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ୨୦୧୮ରେ ସେ ପ୍ରଥମ ଥର ପାଇଁ ଭାରତୀୟ ଜୁନିୟର ଦଳରେ ମନୋନୀତ ହୋଇ ସ୍ପେନରେ ଅନୁଷ୍ଠିତ ୮ ଦେଶର ହକି ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ବ କରିଥିଲେ। ସେହି ବର୍ଷ ସେ ଆର୍ଜେଣ୍ଟିନାର ବୁଏନସ୍‌ଆରାଇସ୍‌ରେ ହୋଇ ଥିବା ତୃତୀୟ ୟୁଥ୍‌ ଅଲିମ୍ପିକ (୨୧ ବର୍ଷରୁ କମ୍)କୁ ଯାଇଥିବା ଭାରତୀୟ ଦଳରେ ସାମିଲ ହୋଇଥିଲେ। ଭାରତ ସେଥିରେ ରୌପ୍ୟ ପଦକ ହାସଲ କରିଥିଲା। ସୁଦୀପ ପ୍ରତିଯୋଗିତାରେ ସର୍ବାଧିକ ୧୧ଟି ଗୋଲ୍‌ କରି ନିଜର କ୍ଷମତାର ପ୍ରଦର୍ଶନ କରିଥିଲେ। ୨୦୧୯ରେ ସେ ସୁଲତାନ ଜୋହର କପ୍‌ରେ ମଧ୍ୟ ଦେଶର ପ୍ରତିନିଧତ୍ବ କରି ଥିଲେ। ଆକାଶଦୀପ ସିଂହଙ୍କୁ ନିଜର ଆଦର୍ଶ ଭାବେ ଗ୍ରହଣ କରିଥିବା ସୁଦୀପ ଦିନେ ତାଙ୍କ ସହିତ ଖେଳିବାର ସ୍ଵପ୍ନ ଦେଖୁଛନ୍ତି। ଅନ୍ୟ ୬ ଯୁବ ଖେଳାଳି ପ୍ରଥମ ଥର ପାଇଁ ଭାରତୀୟ ଜର୍ସି ପିନ୍ଧିବାର ଅଭିଳାଷ ରଖି ଶିବିରରେ ପରିଶ୍ରମ ଜାରି ରଖିଛନ୍ତି। ଉଲ୍ଲେଖନୀୟ ଯେ ୨୦୧୬ ଲକ୍ଷ୍ନ‌ୈା ଜୁନିୟର ବିଶ୍ବ କପ୍‌ର ବିଜୟୀ ଦଳରେ ଓଡ଼ିଶାରୁ ଦୀପସାନ ତିର୍କୀ ଏକମାତ୍ର ଖେଳାଳି ଥିଲେ। ସେ ଦଳର ଉପ-ଅଧିନାୟକ ଥିଲେ। ଏହି ଖେଳାଳିମାନଙ୍କ ସହିତ ଘନିଷ୍ଠ ଭାବେ ଜଡ଼ିତ କ୍ରୀଡ଼ା ଛାତ୍ରାବାସର କୋଚ ମିଲଟନ ବିଲୁଙ୍ଗ ଓ ବିଜୟ ଲାକଡ଼ା ଆଶା କରୁଛନ୍ତି ଯେ ଅତି କମ୍‌ରେ ୩-୪ ଖେଳାଳି ନିଶ୍ଚିତ ଭାବେ ଦଳରେ ସ୍ଥାନ ପାଇବେ।

ପ୍ରକୃତରେ ଓଡ଼ିଶାରେ ଜୁନିୟର ବିଶ୍ବ କପ ହକି ଆୟୋଜନର କୌଣସି ଯୋଜନା ନ ଥିଲା। ରାଜ୍ୟ ସରକାର ୨୦୨୩ ସିନିୟର ବିଶ୍ବ କପ ଆୟୋଜନରେ ବ୍ୟସ୍ତ ଥିବାବେଳେ ହକି ଇଣ୍ଡିଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୁନିୟର ବିଶ୍ବ କପ ଆୟୋଜନର ଦାୟିତ୍ୱ ମଧ୍ୟ ଗ୍ରହଣ କରିବା ପାଇଁ ପ୍ରସ୍ତାବ ଦେଇଥିଲା। ତା ପୂର୍ବରୁ ଆଗରୁ ଆସାମ ଓ ଉତ୍ତରପ୍ରଦେଶ ସରକାର ତାଙ୍କ ରାଜ୍ୟରେ ଏହାର ଆୟୋଜନ ପାଇଁ ଆଗ୍ରହ ପ୍ରକାଶ କରିଥିଲେ। କିନ୍ତୁ ଆୟୋଜନ ସମୟ ନିକଟ ପହଞ୍ଚିବା ବେଳେ ଉଭୟ ରାଜ୍ୟ ସରକାର ନିରବ ରହିବା ପରେ ହକି ଇଣ୍ଡିଆ ବାଧ୍ୟ ହୋଇ ସଙ୍କଟରୁ ମୁକୁଲାଇବା ପାଇଁ ଓଡ଼ିଶା ସରକାରଙ୍କ ପାଖକୁ ଆସିଥିଲା। ଗୋଟିଏ ଅନ୍ତର୍ଜାତୀୟ ପ୍ରତିବଦ୍ଧତା ଓ ଦେଶ ସମ୍ମାନର ରକ୍ଷା ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ସ୍ବଳ୍ପ ସମୟ ମଧ୍ୟରେ ଏହାର ଆୟୋଜନର ଦାୟିତ୍ବ ଗ୍ରହଣ କରିବା ପାଇଁ ସମ୍ମତି ପ୍ରଦାନ କରିଥିଲେ। ଚଳିତ ବର୍ଷ ସେପ୍ଟେମ୍ବର ୨୩ରେ ମୁଖ୍ୟମନ୍ତ୍ରୀ ଏଇ ଆୟୋଜନର ଦାୟିତ୍ୱ ନେବା କଥା ବିଧିବଦ୍ଧ ଭାବେ ଘୋଷଣା କରିଥିଲେ।

ଓଡ଼ିଶା କ୍ରମାଗତ ଦ୍ଵିତୀୟ ଥର ପାଇଁ ସିନିୟର ପୁରୁଷ ବିଶ୍ବ କପ ହକି ଆୟୋଜନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ସାରିଛି। ସିନିୟର ବିଶ୍ଵ କପ ହକି ୨୦୨୩, ଜାନୁଆରି ୧୩ରୁ ଉଭୟ ଭୁବନେଶ୍ୱର ଓ ରାଉରକେଲାରେ ଅନୁଷ୍ଠିତ ହେବ। କୋଭିଡ ମହାମାରୀ ପରେ ଜୁନିୟର ବିଶ୍ବ କପ ହକିର ଆୟୋଜନ ଆମ ଦେଶରେ ପ୍ରଥମ ବଡ଼ ଧରଣର ଅନ୍ତର୍ଜାତୀୟ କ୍ରୀଡ଼ା ଆୟୋଜନ ହେବ। ଉଲ୍ଲେଖଯୋଗ୍ୟ, ଭାରତ କ୍ରମାଗତ ଭାବେ ତୃତୀୟ ଥର ପାଇଁ ଏହାର ଆୟୋଜନ କରୁଛି। ପୂର୍ବରୁ ଦିଲ୍ଲୀ (୨୦୧୩) ଓ ଲକ୍ଷ୍ନ‌ୈା (୨୦୧୬)ରେ ଏହା ଅନୁଷ୍ଠିତ ହୋଇଥିଲା। ୨୦୧୬ରେ ଭାରତ ବେଲଜିୟମକୁ ପରାସ୍ତ କରି ବିଜେତା ହୋଇଥିଲା। ଭୁବନେଶ୍ୱରରେ ଭାରତୀୟ ଦଳ ନିଜ ଟ୍ରଫି ରକ୍ଷା ପାଇଁ ମଇଦାନରେ ଓହ୍ଲାଇବ। ଏଣୁ ହକି ଇଣ୍ଡିଆ ଏକ ଶକ୍ତିଶାଳୀ ଦଳ ତିଆର କରିବା ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛି।

ସମ୍ବନ୍ଧିତ ଖବର