ଦୁଇ ଦେଶ ପାଇଁ ବିଶ୍ବକପ୍‌ ଖେଳିଛନ୍ତି ୪

ଲଣ୍ଡନ୍‌: ବିଶ୍ବକପ୍‌ରେ ଖେଳିବା ପ୍ରତି ଖେଳାଳିଙ୍କ ପାଇଁ ସ୍ବପ୍ନ ଭଳି ହୋଇଥାଏ। ଅନ୍ତର୍ଜାତୀୟ ଖେଳାଳି ପାଇଁ ଏହି ବଡ଼ ମଇଦାନରେ ଖେଳିବା ମଧ୍ୟ ଏକ‌ ସମ୍ମାନ ଭଳି। ବିଶ୍ବକପ୍‌ର ୪୪ ବର୍ଷ ଇତିହାସରେ ଖେଳାଯାଇ ସାରିଥିବା ୧୧ ସଂସ୍କରଣ ଦେଖିଲେ ଭାରତୀୟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର (୬) ଏବଂ ପାକିସ୍ତାନ ତାରକା ଜାଭେଦ୍ ମିଆଁଦାଦ (୬) ସର୍ବାଧିକ ଥର ବିଶ୍ବକପ୍‌ରେ ଖେଳିବାର ସୁଯୋଗ ମଧ୍ୟ ପାଇଛନ୍ତି। କିନ୍ତୁ ଖୁବ୍ କ୍ବଚିତ୍ ରହିଛନ୍ତି ଯିଏ ଗୋଟିଏ ‌ଦେଶରୁ ନୁହେଁ ଦୁଇ ଦୁଇଟି ଦେଶ ପାଇଁ ବିଶ୍ବକପ୍‌ ଖେଳିବାର ଗୌରବ ଅର୍ଜନ କରିଛନ୍ତି। ଏହି ସଂଖ୍ୟା ୪ରେ ସୀମିତ ରହିଛି। ଏହି ବିରଳ ଖେଳାଳିଙ୍କୁ ଆସନ୍ତୁ ଚିହ୍ନିନେବା।

-କେପଲର୍ ୱେସେଲ୍ସ (ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା)
ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ କେପଲର୍ ୱେସେଲ୍ସ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକାରୁ ବିଶ୍ବକପ୍‌ ଖେଳିବାର ସୌଭାଗ୍ୟ ପାଇଥିଲେ। ଦକ୍ଷିଣ ଆଫ୍ରିକାର ବ୍ଲୋଏମ୍ଫଟନ୍‌ ଜନ୍ମିତ କେପଲର୍‌ ନିଜ ପ୍ରାରମ୍ଭିକ ଖେଳ ଜୀବନ ସେଠାରେ ବିତାଇଥିଲେ ମଧ୍ୟ ଅଷ୍ଟ୍ରେଲିଆ ସ୍ଥାନାନ୍ତର ପରେ କୁଇନ୍ସଲାଣ୍ଡ୍ ପାଇଁ ଖେଳି ୧୯୮୨ ମସିହାରେ ଜାତୀୟ ଦଳର ପ୍ରତିନିଧିତ୍ବ କରିଥିଲେ। ୧୯୮୩ ମସିହା କିମ୍ ହ୍ୟୁଗସଙ୍କ ଅଷ୍ଟ୍ରେଲିଆ ବିଶ୍ବକପ୍‌ ଦଳରେ ସେ ସାମିଲ ଥିଲେ। ୯ ବର୍ଷ ପରେ ଦକ୍ଷିଣ ଆଫ୍ରିକା ପାଇଁ ସେ ୧୯୯୨ ବିଶ୍ବକପ୍‌ରେ କେବଳ ଖେଳିନଥିଲେ, ନେତୃତ୍ବ ମଧ୍ୟ ନେଇଥିଲେ। ୧୯୯୫ ମସିହାରେ କେପଲର୍ ୱିଜଡେନ୍ କ୍ରିକେଟର୍ ବିବେଚିତ ହୋଇଥିଲେ।

- ଆଣ୍ଡରସନ୍ କମିନ୍ସ (ୱଷ୍ଟଇଣ୍ଡିଜ୍ ଓ କାନାଡ଼ା)
ବାର୍ବାଡସ୍ ଜନ୍ମିତ ଆଣ୍ଡରସନ୍ କମିନ୍ସ ୧୯୯୧ ମସିହାରେ ୱେଷ୍ଟଇଣ୍ଡିଜ୍ ଜାତୀୟ ଦଳରୁ ପଦାର୍ପଣ କରିବାର ଗୋଟିଏ ବର୍ଷ ପରେ ବିଶ୍ବକପ୍‌ (୧୯୯୨) ଖେଳିବାର ସୁଯୋଗ ପାଇଥିଲେ। ୧୫ ବର୍ଷ ବ୍ୟବଧାନ ପରେ କମିନ୍ସ କାନାଡ଼ା ପାଇଁ ବିଶ୍ବକପ୍‌ରେ ଖେଳିବାର ସୌଭାଗ୍ୟ ମଧ୍ୟ ପାଇଥିଲେ। ସେ ୨୦୦୭ ବିଶ୍ବକପ୍‌ରେ ଜନ୍ ଡାଭିସନ୍‌ଙ୍କ ନେତୃ୍ତ୍ବାଧୀନ ଦଳରେ ସାମିଲ ହୋଇଥିଲେ। ୪୦ ବର୍ଷ ବୟସରେ ଖେଳି ସେ ମଧ୍ୟ ଜାତୀୟ ଦଳର ବୟୋଜ୍ୟେଷ୍ଠ କୀର୍ତିମାନ କରିଥିଲେ।

- ଇଅନ୍ ମୋର୍ଗାନ୍‌ (ଆୟର୍ଲାଣ୍ଡ୍‌ ଓ ଇଂଲଣ୍ଡ)
ବିସ୍ଫୋରକ ବ୍ୟାଟିଂ କରୁଥିବା ବାମହାତୀ ଇଅନ୍ ମୋର୍ଗାନ୍‌ ଚଳିତ ବିଶ୍ବକପ୍‌ରେ ଇଂଲଣ୍ଡକୁ ଦ୍ବିତୀୟ ଥର ନେତୃତ୍ବ ଦେଉଛନ୍ତି। ଆୟର୍ଲାଣ୍ଡ୍‌ର ଡବଲିନ୍‌ ଜନ୍ମିତ ମୋର୍ଗାନ୍‌ ନିଜ ପ୍ରଥମ ଦେଶ ପାଇଁ ମାତ୍ର ୧୬ ବର୍ଷ ବୟସରେ ପଦାର୍ପଣ କରିଥିଲେ। ୨୦ ବର୍ଷ ବୟସରେ ୨୦୦୭ ବିଶ୍ବକପ୍‌ ପଦାର୍ପଣ କରିଥିଲେ। ସେତେବେଳେ ମୋର୍ଗାନ୍ ଆଇରିସ୍ ଦଳର ସର୍ବକନିଷ୍ଠ ଖେଳାଳି ଥିଲେ। ଆୟର୍ଲାଣ୍ଡ୍‌କୁ ୨୦୧୧ ବିଶ୍ବକପ୍‌ ଯୋଗ୍ୟତା ଅର୍ଜନ କରାଇଥିଲେ ମଧ୍ୟ ଇଂଲଣ୍ଡ ପାଇଁ ଖେଳିଥିଲେ। ୩୨ ବର୍ଷୀୟ ମୋର୍ଗାନ୍‌ ୨୦୧୫ ଏବଂ ଚଳିତ ୨୦୧୯ ବିଶ୍ବକପ୍‌ରେ ଇଂଲଣ୍ଡ ଦଳର ନେତୃତ୍ବ ନେଉଛନ୍ତି। ଆୟର୍ଲାଣ୍ଡ୍ ପାଇଁ ଥରେ ଏବଂ ଇଂଲଣ୍ଡ ପାଇଁ ୩ ଥର ଖେଳିବାର ସୌଭାଗ୍ୟ ପାଇଛନ୍ତି।

- ଏଡ଼୍ ଜୟସ୍‌ (ଇଂଲଣ୍ଡ ଓ ଆୟର୍ଲାଣ୍ଡ୍‌)
ଇଂଲଣ୍ଡର ଲମ୍ବା କ୍ରିକେଟ୍ ଇତିହାସରେ ଅନ୍ୟ ଦେଶର ବହୁ ଖେଳାଳି ଏହି ଜାତୀୟ ଦଳର ପ୍ରତିନିଧିତ୍ବ କରୁଛନ୍ତି। କିନ୍ତୁ ଏଡ୍ ଜୟସ ଏକମାତ୍ର ଖେଳାଳି ଯିଏ ଅନ୍ୟ ଦେଶରୁ ବିଶ୍ବକପ୍‌ ଖେଳିବା ପରେ ନିଜ ମୂଳ ଦେଶକୁ ଫେରି ବିଶ୍ବକପ୍‌ ପ୍ରତିନିଧିତ୍ବ କରିବାର ଗୌରବ ରଖିଛନ୍ତି। ଏହି ଶୀର୍ଷକ୍ରମ ବ୍ୟାଟସମ୍ୟାନ୍‌ ୨୦୦୭ ୱେଷ୍ଟଇଣ୍ଡିଜ୍ ବିଶ୍ବକପ୍‌ରେ ଇଂଲଣ୍ଡ ପାଇଁ ଖେଳିଥିଲେ। ଆଇସିସିର ସ୍ବତନ୍ତ୍ର ଅନୁମୋଦନ ସହିତ ଜୋୟସ ୨୦୧୧ ବିଶ୍ବକପ୍‌ରେ ଆୟର୍ଲାଣ୍ଡ୍ ପାଇଁ ଖେଳିଥିଲେ। ୨୦୧୫ ମସିହାରେ ମଧ୍ୟ ସେ ଆୟର୍ଲାଣ୍ଡ୍ ଦଳ ପାଇଁ ଦ୍ବିତୀୟ ଥର ବିଶ୍ବକପ୍‌ ଖେଳିଥିଲେ।

ସମ୍ବନ୍ଧିତ ଖବର