ଖ୍ରୀଷ୍ଟଚର୍ଚ୍ଚ ଟେଷ୍ଟ୍‌: ବିଜୟ ସହ ବର୍ଷ ଶେଷ କଲା ନ୍ୟୁଜିଲାଣ୍ଡ୍‌

ଗୋଟିଏ ବର୍ଷରେ କ୍ରମାଗତ ୪ ଶୃଙ୍ଖଳା ଜିତି ଇତିହାସ ରଚିଲା

ଖ୍ରୀଷ୍ଟଚର୍ଚ: ବକ୍ସିଂ ‌ଡେ’ ଟେଷ୍ଟ୍‌ରେ ଐତିହାସିକ ବିଜୟ ପାଇଲା ନ୍ୟୁଜିଲାଣ୍ଡ୍‌। ଏଠାରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ବିତୀୟ ତଥା ଶେଷ ଟେଷ୍ଟ୍‌କୁ ରବିବାର ପଞ୍ଚମ ଦିବସରେ ଘରୋଇ ଦଳ ୪୨୩ ରନ୍‌ର ବଡ଼ ବ୍ୟବଧାନରେ ଜିତିନେଲା। ଏଥି ସହିତ ୧-୦ରେ ଶୃଙ୍ଖଳା ଜିତି ଚଳିତ ୨୦୧୮ ବର୍ଷକୁ ସ୍ମରଣୀୟ ବିଦାୟ ଦେଲା। ଚଳିତ ବର୍ଷ ନ୍ୟୁଜିଲାଣ୍ଡ୍‌ର ଏହା କ୍ରମାଗତ ଚତୁର୍ଥ ଶୃଙ୍ଖଳା ବିଜୟ ଥିଲା। ଏହି ବର୍ଷ ୱେଷ୍ଟଇଣ୍ଡିଜ୍‌, ଇଂଲଣ୍ଡ୍‌ ଏବଂ ପାକିସ୍ତାନ ପରେ ଶ୍ରୀଲଙ୍କା ବିପକ୍ଷ ବିଜୟ ସହ ଗୋଟିଏ ବର୍ଷ ଲଗାତାର ୪ ଟେଷ୍ଟ୍‌ ଶୃଙ୍ଖଳା ଜିତିବାର ଇତିହାସ ରଚିଲା। ଏହା ପୂର୍ବରୁ ୨୦୦୫ରେ କ୍ରମା‌ଗତ ୩ (ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ୨ ଏବଂ ଭାରତ ବିପକ୍ଷରେ ଗୋଟିଏ) ଶୃଙ୍ଖଳା ବିଜୟ ପାଇବା ନ୍ୟୁଜିଲାଣ୍ଡ୍‌ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ ଥିଲା। ଆଉ ରବିବାର ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳା ବିଜୟ ସହ ନ୍ୟୁଜିଲାଣ୍ଡ୍‌ ମଧ୍ୟ ଆଇସିସି ଟେ‌ଷ୍ଟ୍‌ ଦଳଗତ ମାନ୍ୟତାରେ ତୃତୀୟ ସ୍ଥାନକୁ ଲମ୍ଫ ଦେଇଛି। ନ୍ୟୁଜିଲାଣ୍ଡ୍‌ ମାନ୍ୟତାରେ ଦକ୍ଷିଣ ଆଫ୍ରିକାକୁ ପଛକୁ ଠେଲିଦେଇଛି।

ବକ୍ସିଂ ଡେ ଟେଷ୍ଟ୍‌ର ଚତୁର୍ଥ ଦିବସରେ ଦିଲ୍‌ରୁୱାନ୍‌ ପେରେରା (୨୨*) ଓ ସୁରଙ୍ଗା‌ ଲାକ୍‌ମଲ୍‌ (୧୬*)ଙ୍କ ଲଢୁଆ ପାଳି ହିଁ ମ୍ୟାଚ୍‌କୁ ପଞ୍ଚମ ତଥା ଶେଷ ଦିନକୁ ଟାଣିନେଇଥିଲା। ଭ୍ରମଣକାରୀ ଦଳ ୨୩୧/୬ରେ ରହିଥିଲା। ତେବେ ରବିବାର ଶେଷ ଦିନ ଶ୍ରୀଲଙ୍କାର ଅବଶିଷ୍ଟ ୪ ୱିକେଟ୍‌ ଦଖଲ କରିବା ପାଇଁ ନ୍ୟୁଜିଲାଣ୍ଡ୍‌ ବୋଲରଙ୍କୁ ମାତ୍ର ୧୪ ବଲ୍‌ ବୋଲିଂ କରିବାକୁ ପଡ଼ିଥିଲା। ଏଥିରେ ମାତ୍ର ୫ ରନ୍‌ ସଂଗ୍ରହ ହୋଇଥିଲା ବେଳେ ସିଂହଳୀ ଦଳର ଦ୍ବିତୀୟ ପାଳି ଶେଷ ହୋଇଯାଇଥିଲା। ଆହତ ଆଞ୍ଜେଲୋ ମାଥ୍ୟୁସ୍‌ ଆଉ ବ୍ୟାଟିଂ ପାଇଁ କ୍ରିଜ୍‌କୁ ଆସିପାରିନଥିଲେ। ଶେଷ ୩ ୱିକେଟ୍‌ ମଧ୍ୟରୁ ବୋଲ୍‌ଟ ୨ ଓ ୱାଗ୍‌ନର ଗୋଟିଏ ଦଖଲ କରିଥିଲେ। ଆହତ ମାଥ୍ୟୁସ୍‌ ନ୍ୟୁଜିଲାଣ୍ଡ୍‌ ଦିନିକିଆ ଶୃଙ୍ଖଳାରୁ ବାଦ୍‌ ପଡ଼ିଥିଲା ବେଳେ ଏବେ ଶ୍ରୀଲଙ୍କାର ଆଗାମୀ ଅଷ୍ଟ୍ରେଲିଆ ଗସ୍ତ କରିବା ମଧ୍ୟ ତାଙ୍କ ପାଇଁ ଅନିଶ୍ଚିତତା ଦେଖାଦେଇଛି।

ସଂକ୍ଷିପ୍ତ ସ୍କୋର୍‌: ନ୍ୟୁଜିଲାଣ୍ଡ୍‌ ପ୍ରଥମ ପାଳି: ୧୭୮ (ଟିମ୍‌ ସାଉଦି-୬୮, ବିଜେ ୱାଟ୍‌ଲିଙ୍ଗ୍‌-୪୬, ସୁରଙ୍ଗା ଲାକମଲ୍‌-୫/୫୪, ଲାହିରୁ କୁମାରା-୩/୪୯)। ଶ୍ରୀଲଙ୍କା ପ୍ରଥମ ପାଳି: ୧୦୪ (ଆଞ୍ଜେଲୋ ମାଥ୍ୟୁସ୍‌ ୩୩*, ଟ୍ରେଣ୍ଟ୍‌ ବୋଲ୍‌ଟ-୬/୩୦, ଟିମ୍‌ ସାଉଦି-୩/୩୫)। ନ୍ୟୁଜିଲାଣ୍ଡ୍‌ ଦ୍ବିତୀୟ ପାଳି: ୫୮୫/୪ରେ ଘୋଷଣା (ଟମ୍‌ ଲାଥାମ୍‌-୧୭୬, ହେନ୍‌ରି ନିକୋଲ୍‌ସ-୧୬୨*, ଲାହିରୁ କୁମାରା-୨/୧୩୪)। ଶ୍ରୀଲଙ୍କା ଦ୍ବିତୀୟ ପାଳି: ୨୩୬ (ଦୀନେଶ ଚାନ୍ଦିମଲ୍‌-୫୬, କୁସାଲ ମେଣ୍ଡିସ୍‌-୬୭, ନିଲ୍‌ ୱାଗ୍‌ନର-୪/୪୮, ଟ୍ରେଣ୍ଟ୍‌ ବୋଲ୍‌ଟ-୩/୭୭, ଟିମ୍‌ ସାଉଦି-୨/୬୧)।

ସମ୍ବନ୍ଧିତ ଖବର