ଶ୍ରୀନଗର: ଧାରା ୩୭୦ ଉଚ୍ଛେଦ ଘୋଷଣା ପରଠାରୁ ଲଗାତାର ୧୪ ଦିନ ହେଲା କଶ୍ମୀର ଉପତ୍ୟକାରେ ଅଶାନ୍ତି ଲାଗି ରହିଛି। ଏଥିପାଇଁ ଆଜି ସୁଦ୍ଧା ଶ୍ରୀନଗରର ଅନେକ ସ୍ଥାନରେ କଟକଣା ବଳବତ୍ତର ରହିଛି। ଏପରିକି ଶନିବାର ଶ୍ରୀନଗରର କେତେକ ସ୍ଥାନରେ ହିଂସା ଉପୁଜିବାରୁ ପୂର୍ବରୁ ଲଗାଯାଇଥିବା କଟକଣାକୁ କଡ଼ାକଡ଼ି କରି ଦିଆଯାଇଛି। ତେବେ ସାଉଦି ଆରବରୁ ପ୍ରଥମ ବ୍ୟାଚ ହଜ୍ ଯାତ୍ରୀ କଶ୍ମୀରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପ୍ରାୟ ୩୦୦ ଯାତ୍ରୀଙ୍କୁ ନେଇ ଏକ ବିମାନ ଆଜି ସକାଳେ ଶ୍ରୀନଗର ବିମାନ ବନ୍ଦରରେ ଅବତରଣ କରିଥିଲା। ଯାତ୍ରୀମାନଙ୍କୁ ସେମାନଙ୍କ ଘରେ ପହଞ୍ଚାଇବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଶନିବାର ଶ୍ରୀନଗର ଏବଂ କଶ୍ମୀରର କେତେକ ଅଞ୍ଚଳରେ କଟକଣା କୋହଳ କରାଯାଇଥିଲା। ଏହାପରେ ପରିସ୍ଥିତି ଅଶାନ୍ତ ହେବାରୁ ପୁଣି ଅନେକ ସ୍ଥାନରେ କଟକଣା ଲାଗୁ କରାଯାଇଛି ବୋଲି ଅଧିକାରୀଙ୍କ ସୂତ୍ରରୁ ସୂଚନା ମିଳିଛି। ପାଖାପାଖି ୧ ଡଜନ ସ୍ଥାନରେ ଲୋକମାନେ ପ୍ରତିବାଦ କରିଥିଲେ। ପୁଲିସ କାର୍ଯ୍ୟାନୁଷ୍ଠାନରେ ଅନେକ ପ୍ରତିବାଦକାରୀ ଆହତ ହୋଇଛନ୍ତି। ସରକାରୀ ପ୍ରବକ୍ତା ରୋହିତ କନସଲ ଗତକାଲି କହିଥିଲେ କଶ୍ମୀର ଉପତ୍ୟକାର ୩୫ଟି ଥାନା ଅଞ୍ଚଳରେ କଟକଣା କୋହଳ କରି ଦିଆଯାଇଥିଲା। କିନ୍ତୁ ଅନେକ ସ୍ଥାନରେ ସାନି ହିଂସା ଦେଖାଦେବାରୁ କଟକଣାକୁ ପୁଣି ଲାଗୁ କରି ଦିଆଯାଇଛି। ୧୭ ତାରିଖ ସଂଧ୍ୟାରେ ୬ଟି ସ୍ଥାନରେ ହିଂସାକାଣ୍ଡ ଘଟିଥିଲା।
୪ ହଜାରରୁ ଅଧିକ ଗିରଫ ହେଲେଣି
ଶ୍ରୀନଗର: ଜାମ୍ମୁ କଶ୍ମୀରରୁ ଗତ ୫ ତାରିଖରେ ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ ସେଠାରେ ଅଶାନ୍ତି ଲାଗି ରହିଛି। ଏପର୍ଯ୍ୟନ୍ତ ପ୍ରାୟ ୪ ହଜାର ଲୋକ ଗିରଫ ହେଲେଣି। ଅସ୍ଥିରତା ସୃଷ୍ଟି ଆଶଙ୍କାରେ ହଜାର ହଜାର ଲୋକଙ୍କୁ ଅଟକ ରଖାଯାଇଥିବା ଏକ ସୂତ୍ରରୁ ଜଣାଯାଇଛି। ଜନସାଧାରଣ ସୁରକ୍ଷା ଆଇନ (ପିଏସ୍ଏ) ଅଧୀନରେ ଅତିକମ୍ରେ ୪ ହଜାର ଲୋକଙ୍କୁ ଗିରଫ କରାଯାଇଛି ବୋଲି ଜଣେ ମାଜିଷ୍ଟ୍ରେଟ୍ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଏହି ବିବାଦୀୟ ଆଇନ ପିଏସ୍ଏ ଅଧୀନରେ ଜଣେ ବ୍ୟକ୍ତିଙ୍କୁ କୌଣସି ବିନା ଅଭିଯୋଗ କିମ୍ବା ବିଚାରରେ ୨ ବର୍ଷ ପର୍ଯ୍ୟନ୍ତ ବନ୍ଦୀ ରଖାଯାଇପାରିବ।
ରାଜ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ଥିବାରୁ ତାଙ୍କୁ ପ୍ରଦାନ କରାଯାଇଥିବା ସାଟେଲାଇଟ୍ ଫୋନ ମାଧ୍ୟମରେ ତାଙ୍କ ସହଯୋଗୀମାନଙ୍କଠାରୁ ଗିରଫ ଏବଂ ଅଟକ ବ୍ୟକ୍ତିଙ୍କ ସଂଖ୍ୟା ସେ ସଂଗ୍ରହ କରୁଛନ୍ତି ବୋଲି ମାଜିଷ୍ଟ୍ରେଟ୍ ଜଣକ କହିଛନ୍ତି। ଅଟକ ଥିବା ବ୍ୟକ୍ତିମାନଙ୍କୁ ପ୍ରଥମେ ଶ୍ରୀନଗରର କେନ୍ଦ୍ରୀୟ ଜେଲକୁ ନିଆଯାଇଥିଲା। ସେଠାରୁ ସେମାନଙ୍କୁ ସାମରିକ ବିମାନରେ ଜମ୍ମୁ କଶ୍ମୀରର ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଶ୍ରୀନଗରରେ ଏକାଧିକ ସ୍ଥାନରେ ଲୋକମାନେ ଶନିବାର ପ୍ରତିବାଦ କରିଥିଲେ। ପୁଲିସ ସହ ସେମାନେ ମୁହାଁମୁହିଁ ହେବାବେଳେ ୮ ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ଏହାପରେ କର୍ତ୍ତୃପକ୍ଷ ବାଧ୍ୟହୋଇ ପୁଣି କଟକଣା ଲାଗୁ କରିଦେଇଛନ୍ତି।