ଚତୁର୍ଥ ଥର ଇଟାଲିଆନ୍‌ କପ୍‌ ଜିତିଲା ଜୁଭେଣ୍ଟସ୍‌

ରୋମ୍‌: ମାସିମିଲିଆନୋ ଆଲେଗ୍ରିଙ୍କ ଜୁଭେଣ୍ଟସ୍‌ ଦଳ କ୍ରମାଗତ ଚତୁର୍ଥ ଥର ପାଇଁ ଇଟାଲିଆନ୍‌ କପ୍‌ ବିଜେତା ହୋଇଛି। ବୁଧବାର ଷ୍ଟାଡିଓ ଅଲିମ୍ପିକୋରେ ଏସି ମିଲନ୍‌କୁ ୪-୦ରେ ପରାସ୍ତ କରି ଜୁଭେଣ୍ଟସ୍‌ ମୋଟ ତ୍ରୟୋଦଶ ଥର ପାଇଁ ଇଟାଲିଆନ୍‌ କପ୍‌ ଜିତିନେଇଛି। ମେହଦି ବେନାତିଆ ୫୬ ମିନିଟ୍‌ ଓ ଡଗ୍‌ଲାସ୍‌ କୋଷ୍ଟୋ ୬୫ ମିନିଟ୍‌ରେ ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲା ବେଳେ ଏସି ମିଲନ୍‌ ଗୋଲ୍‌ରକ୍ଷକ ଜିଉନ୍‌ଲୁଗି ଡୋନାରୁମ୍ମାଙ୍କ ଦୁଇଟି ଆତ୍ମଘାତୀ ଗୋଲ୍‌ ବଳରେ ଜୁଭେଣ୍ଟସ୍‌ ଏକପାଖିଆ ବିଜୟ ହାସଲ କରିନେଇଥିଲା। ଏଥି ସହିତ ଲଗାତାର ୪ ବର୍ଷ ଧରି ବିଜେତା ହେବାରେ ଜୁଭେଣ୍ଟସ୍‌ ମଧ୍ୟ ପ୍ରଥମ ଇଟାଲୀୟ ଦଳର ଗୌରବ ପାଇଛି। ଏହା ବ୍ୟତୀତ ଆଉ ଦୁଇଟି ମ୍ୟାଚ୍‌ ବାକି ଥିଲା ବେଳେ କ୍ରମାଗତ ସପ୍ତମ ଥର ପାଇଁ ସେରି ଏ ଟ୍ରଫି ଜିତିବାଠୁ ଜୁଭେଣ୍ଟସ୍‌ ମଧ୍ୟ ମାତ୍ର ଗୋଟିଏ ପଏଣ୍ଟ୍‌ ଦୂରରେ ରହିଛି। ଅନ୍ୟପକ୍ଷରେ ସେରି ଏରେ ଷଷ୍ଠରେ ରହିଥିବା ଏସି ମିଲନ୍‌ ଆଉ ଗୋଟିଏ ବିଜୟ ପାଇଲେ ୟୁରୋପା ଲିଗ୍‌ ଗ୍ରୁପ୍‌ ପର୍ଯ୍ୟାୟରେ ସ୍ଥାନ ସୁରକ୍ଷିତ କରିନେବ।

ସମ୍ବନ୍ଧିତ ଖବର