ମୁମ୍ବାଇ: ଆଇପିଏଲ୍ (ଇଣ୍ଡିଆନ୍ ପ୍ରିମିୟର ଲିଗ୍)ର ଚଳିତ ଚତୁର୍ଦ୍ଦଶ ସଂସ୍କରଣରେ ମୋଟ ୮ ଫ୍ରାଞ୍ଚାଇଜ୍ ମଧ୍ୟରୁ ୪ ଜଣ ୱିକେଟ୍ରକ୍ଷକ ନିଜ ନିଜ ଦଳର ନେତୃତ୍ବ ନେଉଛନ୍ତି। ସେମାନଙ୍କ ମଧ୍ୟରେ ଚେନ୍ନାଇ ସୁପର କିଙ୍ଗ୍ସର ମହେନ୍ଦ୍ର ସିଂହ ଧୋନିଙ୍କ ବ୍ୟତୀତ ଅନ୍ୟ ତିନି ଜଣ ହେଲେ କେଏଲ୍ ରାହୁଲ (ପଞ୍ଜାବ କିଙ୍ଗ୍ସ), ସଞ୍ଜୁ ସାମ୍ସନ୍ (ରାଜସ୍ଥାନ ରୟାଲ୍ସ) ଏବଂ ଋଷଭ ପନ୍ତ୍ (ଦିଲ୍ଲୀ କ୍ୟାପିଟାଲ୍ସ)। ୨୦୦୮ ଆଇପିଏଲ୍ ପ୍ରଥମ ସଂସ୍କରଣରୁ ଧୋନି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ)ର ନେତୃତ୍ବ ନେଇ ଆସୁଥିଲା ବେଳେ ଦଳ ୩ ଥର ବିଜେତା ଓ ୫ ଥର ଉପବିଜେତା ହୋଇଛି। ରାହୁଲ୍ ଗତ ସଂସ୍କରଣରୁ ନେତୃତ୍ବ ଭାର ପାଇଥିଲା ବେଳେ ଉଭୟ ସାମ୍ସନ୍ ଓ ପନ୍ତ୍ ଚଳିତ ସଂସ୍କରଣରେ ଦଳର ମଙ୍ଗ ଧରିଛନ୍ତି। ଧୋନି ସିଏସ୍କେ ପାଇଁ ୧୮୯ ମ୍ୟାଚ୍ରେ ନେତୃତ୍ବ ନେଇଥିଲା ବେଳେ ଦଳ ୧୧୦ ବିଜୟ ପାଇଛି। ୭୮ ମ୍ୟାଚ୍ ହାରିଥିଲା ବେଳେ ଗୋଟିଏ ବିନା ଫଳାଫଳରେ ଶେଷ ହୋଇଛି। ସେହିପରି ରାହୁଲ ୨୦୨୦ରେ ପ୍ରଥମ ଥର ନେତୃତ୍ବ ଭାର ଗ୍ରହଣ କରିଥିଲା ବେଳେ ୧୪ ମ୍ୟାଚ୍ରୁ ୫ ବିଜୟ ପାଇଥିଲେ। ଦଳ ୭ ପରାଜୟ ବରଣ କରିଥିଲା ବେଳେ ୨ ମ୍ୟାଚ୍ ଟାଇ ରହିଥିଲା।
ଅନ୍ୟପକ୍ଷରେ ସାମ୍ସନ୍ ଓ ପନ୍ତ୍ ଚଳିତ ବର୍ଷ ପ୍ରଥମ ଥର ନେତୃତ୍ବ ନେଉଥିଲା ବେଳେ ପନ୍ତ୍ ଦିଲ୍ଲୀ କ୍ୟାପଟାଲ୍ସକୁ ପ୍ରଥମ ମ୍ୟାଚ୍ରେ ବିଜୟୀ କରାଇଛନ୍ତି। ସଂଯୋଗବଶତଃ ସେ ଏଥର ସବୁଠୁ ସଫଳ ୱିକେଟ୍ରକ୍ଷକ-ଅଧିନାୟକ ଧୋନିଙ୍କୁ ହିଁ ପରାସ୍ତ କରିଛନ୍ତି। ତଥାପି ବିଶ୍ବର ସର୍ବବୃହତ୍ ଟି-୨୦ ଲିଗ୍ ଭାବେ ପରିଗଣିତ ଆଇପିଏଲ୍ରେ ୱିକେଟ୍ରକ୍ଷକ-ଅଧିନାୟକଙ୍କ ଆବଶ୍ୟକତା ପଛରେ କିଂବଦନ୍ତି ଧୋନି ହିଁ ପ୍ରେରଣାର ଉତ୍ସ ବୋଲି ରାଜସ୍ଥାନ ରୟାଲ୍ସର ଇଂଲିସ୍ ତାରକା ଜୋସ୍ ବଟଲର୍ ବିଶ୍ବାସ ପ୍ରକଟ କରିଛନ୍ତି। ୱିକେଟ୍ରକ୍ଷକମାନଙ୍କୁ ଦଳର ନେତୃତ୍ବ ଦେବାର ଧାରା ପାଇଁ ସବୁ ଶ୍ରେୟ ଧୋନିଙ୍କୁ ହିଁ ମିଳିବା ଉଚିତ ବୋଲି ବଟଲର୍ କହିଛନ୍ତି। ତେଣୁ ମୁଁ ନିଶ୍ଚିତ ଯେ ଧୋନି ହିଁ ୱିକେଟ୍ରକ୍ଷକମାନେ ନେତୃତ୍ବ ନେଇପାରିବେ ବୋଲି ଧାରଣା ସୃଷ୍ଟି କରିଛନ୍ତି। ସେ ନିସନ୍ଦେହରେ ଜଣେ ଚମତ୍କାର ଅଧିନାୟକ ଏବଂ ସଂଖ୍ୟାଧିକ ଖେଳାଳି ତାଙ୍କ ପଦାଙ୍କ ଅନୁସରଣ କରିବାକୁ ଚାହାନ୍ତି ବୋଲି ଏକ ସ୍ବତନ୍ତ୍ର ସାକ୍ଷାତକାରରେ କହିଛନ୍ତି ବଟଲର୍।
ଏଠାରେ ସୂଚନାଯୋଗ୍ୟ, ବଟଲର୍ ନିଜେ ଜଣେ ୱିକେଟ୍ରକ୍ଷକ। ତେଣୁ ୱିକେଟ୍ରକ୍ଷକମାନେ ହିଁ ନେତୃତ୍ବର ଫାଇଦାକୁ ଖୁବ୍ ଉପଭୋଗ କରିଥା’ନ୍ତି। ମୋ ମତରେ କ୍ରିକେଟ୍ରେ ୱିକେଟ୍ରକ୍ଷକଙ୍କ ଦୁରଦୃଷ୍ଟି ଅତି ଚମତ୍କାର। ୱିକେଟ୍ କିପରି ବ୍ୟବହାର କରୁଛି ଏବଂ ବୋଲରଙ୍କୁ କିପରି ବୋଲିଂ କରିବା ଉଚିତ ତାହା ୱିକେଟ୍ରକ୍ଷକ ଅଧିକ ଜାଣିଥା’ନ୍ତି। ସେହି ଦୃଷ୍ଟିରୁ ସଞ୍ଜୁ ସାମ୍ସନ୍ ଅଧିନାୟକ ଭାବେ ଭଲ ପ୍ରଦର୍ଶନ କରିବାର ଆଶା ରହିଥିବା କହିଛନ୍ତି ବଟଲର୍। ତାଙ୍କ ଦଳ ରାଜସ୍ଥାନ ପାଇଁ ଇଂଲିସ୍ ଅଲ୍ରାଉଣ୍ଡର ବେନ୍ ଷ୍ଟୋକ୍ସ ଅତି ଉପାଦେୟ ହେବେ ବୋଲି ସେ କହିଛନ୍ତି। ଚଳିତ ଋତୁରେ ଆମ ଦଳରେ ଏକାଧିକ ଅଲ୍ରାଉଣ୍ଡର (ଷ୍ଟୋକ୍ସ, କ୍ରିସ୍ ମୋରିସ୍)ଙ୍କ ସହିତ ଜଣେ ନୂଆ ଅଧିନାୟକଙ୍କୁ ନେଇ ଯଥେଷ୍ଟ ବିବିଧତା ରହିଛି। ସାମ୍ସନ୍ ଜଣେ ଅତି ଚମତ୍କାର ଖେଳାଳି। ଏହି ଫ୍ରାଞ୍ଚାଇଜ୍ ସହ ତାଙ୍କର ଲମ୍ବା ସମୟ ସଂପୃକ୍ତି ରହିଛି। ସେ ଜଣେ ନମ୍ର ସ୍ବଭାବର ବ୍ୟକ୍ତି ଏବଂ ମଜାଳିଆ ମଧ୍ୟ।
ସେ ଦଳକୁ ଆଗେଇ ନେଇପାରିବେ ବୋଲି ମୁଁ ନିଶ୍ଚିତ। ତାଙ୍କ ନେତୃତ୍ବରେ ଯଥେଷ୍ଟ ପାସନ୍ ରହିବ। ପୁଣି ଦଳର କ୍ରିକେଟ୍ ନିର୍ଦ୍ଦେଶକ କୁମାର ସାଙ୍ଗାକାରାଙ୍କ ଭଳି କିଂବଦନ୍ତିଙ୍କ ଉପସ୍ଥିତି ରାଜସ୍ଥାନ ରୟାଲ୍ସ ପାଇଁ ଫାଇଦା ଆଣିଦେବ ବୋଲି ବଟଲର୍ କହିଛନ୍ତି। ଏଠାରେ ସୂଚନାଯୋଗ୍ୟ, ବଟଲର୍ ନିକଟରେ ଭାରତ ଗସ୍ତ କରିଥିବା ଇଂଲଣ୍ଡ ଦଳର ଶେଷ ଦୁଇଟି ଦିନିକିଆ ମ୍ୟାଚ୍ରେ ନେତୃତ୍ବ ନେଇଥିଲେ। ଏହା ତାଙ୍କ ପାଇଁ ବହୁମୂଲ୍ୟ ଅଭିଜ୍ଞତା ଥିଲା। ଭାରତରେ ଭାରତ ବିପକ୍ଷରେ ଖେଳିବା ସର୍ବଦା ଇଂଲଣ୍ଡ ଦଳ ପାଇଁ ବଡ଼ ଆହ୍ବାନ ଥାଏ। ଏହାର ଅର୍ଥ ହେଲା ଶ୍ରେଷ୍ଠ ଦଳ ବିପକ୍ଷରେ ଖେଳିବା ଏବଂ ପରିବେଶକୁ ବ୍ୟବହାର କରିବାର ଆହ୍ବାନ। ରାଜସ୍ଥାନ ରୟାଲ୍ସ ଆସନ୍ତାକାଲି (ସୋମବାର) ପଞ୍ଜାବ କିଙ୍ଗ୍ସ ସହ ଖେଳି ଚଳିତ ଆଇପିଏଲ୍ରେ ଅଭିଯାନ ଆରମ୍ଭ କରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/z54bh54h56fs46h5fs456hfshsffhfh.jpg)