୪ ବଲ୍‌ରେ ୪ ୱିକେଟ୍: କ୍ୟାମ୍ଫର୍‌ ତୃତୀୟ

ଆଦୁଧାବି, ୧୮ା୧୦: ଚଳିତ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ସୋମବାର ନେଦରଲାଣ୍ଡ୍ସ ବିପକ୍ଷ ଏକ ପ୍ରଥମ ରାଉଣ୍ଡ୍‌ ମୁକାବିଲାରେ ଆୟର୍ଲାଣ୍ଡ୍‌ର କର୍ଟିସ୍‌ କ୍ୟାମ୍ଫର୍‌ ୪ ବଲ୍‌ରେ ୪ ୱିକେଟ୍ ନେଇ ବିରଳ କ୍ଲବ୍‌ରେ ସାମିଲ ହୋଇଛନ୍ତି। ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ ଇତିହାସରେ କ୍ୟାମ୍ପର୍‌ ତୃତୀୟ ବୋଲର ଭାବେ ଏହି ଗୌରବ ଅର୍ଜନ କରିଛନ୍ତି। ପୂର୍ବରୁ ଶ୍ରୀଲଙ୍କାର ଲସିଥ୍ ମାଲିଙ୍ଗା ଏବଂ ଆଫଗାନିସ୍ତାନର ରସିଦ୍ ଖାନ୍‌ ଏହି କ୍ଲବ୍‌ର ଦୁଇ ଜଣ ମାତ୍ର ସଦସ୍ୟ ଥିଲେ। ସୋମବାର ମ୍ୟାଚ୍‌ର ଦଶମ ଓଭରରେ ୨୨ ବର୍ଷୀୟ କ୍ୟାମ୍ଫର୍‌ ଦ୍ବିତୀୟ, ତୃତୀୟ, ଚତୁର୍ଥ ଓ ପଞ୍ଚମ ବଲ୍‌ରେ ଯଥାକ୍ରମେ କଲିନ୍‌ ଆକରମ୍ୟାନ୍‌, ରୢାନ୍‌ ଟେନ୍ ଡଶ୍ଚେଟ୍‌, ସ୍କଟ୍‌ ଏଡୱାର୍ଡସ ଓ ରୋଏଲଫ୍‌ ଭାନ୍ ଡେର୍ ମେରୱେଙ୍କୁ ଆଉଟ୍ କରିଥିଲେ। ଜୋହାନ୍ସବର୍ଗ ଜନ୍ମିତ କ୍ୟାମ୍ପ୍‌ର ଚଳିତ ବର୍ଷ ପ୍ରାରମ୍ଭିକରେ ଡବଲିନ୍‌ରେ ଜିମ୍ବାୱେ ବିପକ୍ଷରେ ପଦାର୍ପଣ କରିଥିଲେ। ସୋମବାର ମ୍ୟାଚ୍‌ ପୂର୍ବରୁ କ୍ୟାମ୍ପ୍‌ର‌ ଖେଳିଥିବା ୪ ମ୍ୟାଚ୍‌ରେ ତାଙ୍କ ଶ୍ରେଷ୍ଠ ବୋଲିଂ ଚିତ୍ର ଥିଲା ୩/୧୯। ସୋମବାର କିନ୍ତୁ ସେ ୪-୦-୨୬-୪ ଚିତ୍ର ପାଇ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। କ୍ୟାମ୍ଫର୍‌ କିନ୍ତୁ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଇତିହାସରେ ଦ୍ବିତୀୟ ବୋଲର୍ ଭାବେ ହ୍ୟାଟ୍ରିକ୍ ଅର୍ଜନ କରିଥିଲେ। ସେ ଡିଆର୍‌ଏସ୍‌ ସହାୟତାରେ ସ୍କଟ ଏଡୱାର୍ଡସଙ୍କୁ ଏଲବିଡବଲ୍ୟୁ କରି ନିଜ ହ୍ୟାଟ୍ରିକ୍ ପୂର୍ଣ୍ଣ କରିଥିଲେ। ପୂର୍ବରୁ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଏକମାତ୍ର ବୋଲର ଭାବେ ଅଷ୍ଟ୍ରେଲିଆର ବ୍ରେଟ୍ ଲି ୨୦୦୭ ପ୍ରଥମ ସଂସ୍କରଣରେ ବାଂଲାଦେଶ ବିପକ୍ଷରେ ହ୍ୟାଟ୍ରିକ୍ ନେଇଥିଲେ। ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ କିନ୍ତୁ ୪ ବଲ୍‌ରେ ୪ ୱିକେଟ୍ ନେବାର ପୂର୍ବ ଦୁଇ ଉଦାହରଣ ୨୦୧୯ ମସିହାରେ ଦେଖିବାକୁ ମିଳିଥିଲା। ସେହି ବର୍ଷ ଫେବ୍ରୁଆରିରେ ଡେରାଡୁନ୍‌ରେ ଆଫଗାନିସ୍ତାନ ସ୍ପିନର୍‌ ରସିଦ୍ ଖାନ୍‌ ଲଗାତାର ୪ ବଲ୍‌ରେ ଆୟର୍ଲାଣ୍ଡର କେଭିନ୍‌ ଓ’ବ୍ରାଏନ୍, ଜର୍ଜ ଡକ୍ରେଲ୍‌, ସେନ୍‌ ଗେଫଟେକ୍‌, ସିମି ସିଂହଙ୍କୁ ଆଉଟ୍ କରି ୫/୨୭ ବୋଲିଂ ଚିତ୍ର ପାଇଥିଲେ। ସେହିଭଳି ପାଲେକଲ୍‌ରେ ମାଲିଙ୍ଗା ନ୍ୟୁଜିଲାଣ୍ଡ୍‌ର କଲିନ୍ ମୁନରୋ, ହମିସ୍ ରଦରଫୋର୍ଡ, କଲିନ୍ ଡି ଗ୍ରାଣ୍ଢୋମ୍‌ ଏବଂ ରସ୍‌ ଟେଲରଙ୍କୁ ଆଉଟ୍ କରି ୫/୬ ବୋଲିଂ ଚିତ୍ର ପାଇଥିଲେ। ମୁନରୋଙ୍କ ପ୍ରଥମ ୱିକେଟ୍‌ ନେବା ବେଳେ ସେ ମଧ୍ୟ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ନିଜ ୧୦୦ତମ ୱିକେଟ୍‌ ପୂର୍ଣ୍ଣ କରିଥିଲେ।

ସମ୍ବନ୍ଧିତ ଖବର