ଭୁବନେଶ୍ବର: ଭାରତୀୟ କ୍ରିକେଟ୍‌ର ଟର୍ଣ୍ଣିଂ ପଏଣ୍ଟ ଭାବେ ପ୍ରଥମ ଥର ବିଶ୍ବକପ୍‌ ବିଜୟର ୪୦ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରିବାକୁ ସମଗ୍ର ଦେଶ ପ୍ରସ୍ତୁତ। ରବିବାର (୨୫ ଜୁନ୍‌ ୨୦୨୩) ଏହି ସ୍ମରଣୀୟ ମୁହୂର୍ତକୁ ମନେ ପକାଇବାକୁ ମଧ୍ୟ କ୍ରିକେଟ୍ ଦୁନିଆ ବିଭିନ୍ନ ଭାବେ ଚଳଚଞ୍ଚଳ। ଠିକ୍ ୪୦ ବର୍ଷ ତଳେ (୨୫ ଜୁନ୍‌ ୧୯୮୩)ରେ ଐତିହାସିକ ଲର୍ଡସ ଗ୍ରାଉଣ୍ଡ୍‌ରେ ଦୁଇ ଥର ବିଜେତା ୱେଷ୍ଟଇଣ୍ଡିଜ୍‌କୁ ୪୩ ରନ୍‌ରେ ହରା‌ଇ ପ୍ରୁଡେନସିଆଲ୍ ବିଶ୍ବକପ୍‌ ଜିତିଥିଲା ଭାରତ।

Advertisment

ଇଂଲଣ୍ଡ ଗସ୍ତ କରିବା ପୂର୍ବରୁ କପିଳ ଦେବଙ୍କ ଦଳକୁ କେହି ବି ଦାବିଦାର ଭାବେ ଉପସ୍ଥାପନ କରିନଥିଲେ। ପୂର୍ବ ଦୁଇ ସଂସ୍କରଣରେ ଭାରତ ବିଜୟର ଖାତା ଖୋଲି ନପାରି ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେଇଥିବା ବେଳେ ସେଥର କପିଳ ଡେଭିଲ୍ସ ଅସମ୍ଭବକୁ ସମ୍ଭବ କରି ଦେଖାଇଥିଲେ। ଦଳଗତ ପ୍ରଦର୍ଶନ କରି ୱେଷ୍ଟଇଣ୍ଡିଜ୍‌କୁ ଦୁଇ ଥର ହରାଇବା ସହ ବିଶ୍ବ ବିଜେତା ‌ହୋଇଥିଲା। ଏହି ବିଜୟ ପରଠାରୁ ଭାରତୀୟ କ୍ରିକେଟ୍‌ରେ ବୈପ୍ଳବିକ ପରିବର୍ତନ ଘଟିଥିଲା। ଏକ ସାଧାରଣ ଖେଳ ଦେଶବାସୀଙ୍କ ଭିତରେ ଏତେ ଲୋକପ୍ରିୟ ହୋଇଯାଇଥିଲା ସେ ଏବେ ଭାରତରେ କ୍ରିକେଟ୍‌ ଧର୍ମରେ ପରିଣତ ହୋଇଛି। କ୍ରିକେଟ୍ ଖେଳାଳି ଈଶ୍ବରଙ୍କ ଭଳି ଆବିର୍ଭାବ ହେଉଛନ୍ତି। ବିଶ୍ବକପ୍‌ ବିଜୟର ୪୦ ବର୍ଷ ପୂର୍ତ୍ତି ପାଳନ କରୁଥିବା ବେଳେ ‘ସମ୍ବାଦ’ ପକ୍ଷରୁ ସ୍ବତନ୍ତ୍ର ଉପସ୍ଥାପନ।