ବ୍ୟାଙ୍କକ୍ : ଭାରତୀୟ ତାରକା ଲଙ୍ଗ ଜମ୍ପର ମୁରଲୀ ଶ୍ରୀଶଙ୍କର ଶନିବାର ପ୍ରଥମ ଭାରତୀୟ ଟ୍ରାକ୍ ଓ ଫିଲ୍ଡ ଆଥ୍ଲେଟ୍ ଭାବେ ୨୦୨୪ ପ୍ୟାରିସ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଏଠାରେ ଚାଲିଥିବା ଏସୀୟ ଦୌଡ଼କୁଦ ପ୍ରତିଯୋଗିତାରେ ସେ ଜୀବନର ଦ୍ବିତୀୟ ଶ୍ରେଷ୍ଠ ଜମ୍ପ ସହ ରୌପ୍ୟ ଜିତିଥିଲେ। ୨୪ ବର୍ଷୀୟ ଶ୍ରୀଶଙ୍କର ୮.୩୭ ମିଟର ଡେଇଁ ଦ୍ବିତୀୟ ସ୍ଥାନରେ ରହି ଏହି ପଦକ ଜିତିଥିଲେ। ଏଥିସହ ସେ ପ୍ୟାରିସ ଅଲିମ୍ପିକ୍ସ ମାର୍କ ୮.୨୭ ମିଟରକୁ ପାର୍ କରିଥିଲେ। ଏହି ଇଭେଣ୍ଟରେ ଚାଇନିଜ୍ ତାଇପେର ୟୁ ଟାଙ୍ଗ ଲିନ୍ (୮.୪୦ ମିଟର) ସ୍ବର୍ଣ୍ଣ ଏବଂ ଚୀନ୍ର ଝାନ ମିଙ୍ଗକୁନ (୮.୦୮ ମିଟର) କାଂସ୍ୟ ଜିତିଥିଲେ। ଏହା ଶ୍ରୀଶଙ୍କରଙ୍କ ଦ୍ବିତୀୟ ଅଲିମ୍ପିକ୍ସ ଯୋଗ୍ୟତା। ଗତ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରି ଶ୍ରୀଶଙ୍କର ଯୋଗ୍ୟତା ପର୍ଯ୍ୟାୟରୁ ବିଦାୟ ନେଇଥିଲେ।
/sambad/media/post_attachments/wp-content/uploads/2023/07/3-murali-sreeshankar-650x430.jpg)
ରାଜେଶ ରମେଶ, ଐଶ୍ବର୍ଯ୍ୟା କୈଳାସ ମିଶ୍ରା, ଅମୋଜ ଜାକବ ଓ ସୁଭା ଭେଙ୍କଟେସାନଙ୍କୁ ନେଇ ଗଠିତ ଭାରତୀୟ ୪ଗୁଣା ୪୦୦ ମିଟର ମିଶ୍ରିତ ରିଲେ ଦଳ ଚଳିତ ଏସୀୟ ଦୌଡ଼କୁଦରେ ଶନିବାର ଦେଶ ପାଇଁ ସ୍ବର୍ଣ୍ଣ ଜିତିଛନ୍ତି। ଏହି ଦଳ ୩:୧୪.୧୭ ସେକେଣ୍ଡରେ ରେସ୍ ଜିତି ପ୍ରଥମ ସ୍ଥାନରେ ରହିଥିଲେ। ଶ୍ରୀଲଙ୍କା (୩:୧୫.୪୧) ରୌପ୍ୟ ଓ ଜାପାନ (୩:୧୫.୭୧) କାଂସ୍ୟ ଜିତିଥିଲା। ସର୍ବେଶ କୁସାରେ ପୁରୁଷ ହାଇ ଜମ୍ପ୍ରେ ଏବଂ ସ୍ବପ୍ନା ବର୍ମାନ ହେପ୍ଟାଥଲନରେ ରୌପ୍ୟ ଜିତିଥିଲା ବେଳେ ପୁରୁଷ ୪୦୦ ମିଟର ବାଧାଦୌଡ଼ରେ ଟି ସନ୍ତୋଷ କୁମାର କାଂସ୍ୟ ପାଇଥିଲେ। ସର୍ବେଶ ୨.୨୬ ମିଟର ଡେଇଁ ଦ୍ବିତୀୟ ସ୍ଥାନରେ ରହିବା ସହ ଜୀବନର ପ୍ରଥମ ଅନ୍ତର୍ଜାତୀୟ ପଦକ କରାୟତ୍ତ କରିଥିଲୋ ବେଳେ ଦକ୍ଷିଣ କୋରିଆର ଉ ସାଙ୍ଗିଉକ (୨.୨୮ ମିଟର) ସ୍ବର୍ଣ୍ଣ ଏବଂ ଥାଇଲାଣ୍ଡର ତାୱାନ କାଓଡାମ (୮.୨୬ ମିଟର) କାଂସ୍ୟ ଜିତିଥିଲେ। ହେପ୍ଟାଥଲନରେ ସ୍ବପ୍ନା ୫୮୪୦ ପଏଣ୍ଟ ସହ ଏହି ପଦକ ଜିତିଥିଲେ। ଉଜବେକିସ୍ତାନର କାତେରିନା ଭୋରୋନିନା (୬୦୯୮) ଓ ଜାପାନର ୟୁକି ୟାମାସାକି (୫୬୯୬) ଯଥାକ୍ରମେ ସ୍ବର୍ଣ୍ଣ ଓ କାଂସ୍ୟ ଜିତିଥିଲେ। ୪୦୦ ମିଟର ବାଧାଦୌଡ଼ରେ ସନ୍ତୋଷ କୁମାର (୪୯.୦୯ ସେକେଣ୍ଡ) ନିଜର ବ୍ୟକ୍ତିଗତ ଶ୍ରେଷ୍ଠ ସହ ତୃତୀୟ ସ୍ଥାନରେ ରହିଥିଲେ। ତାଙ୍କ ଆଗରେ କତାରର ମହମ୍ମଦ ହେମିଦା ବାସିମ (୪୮.୬୪) ଓ ଜାପାନର ୟାସାକୁ କୋଦାମା (୪୮.୯୬) ରହି ସ୍ବର୍ଣ୍ଣ ଓ ରୌପ୍ୟ ଜିତିଥିଲେ। ଶନିବାର ଭାରତକୁ ମୋଟ ୫ ପଦକ (୧ ସ୍ବର୍ଣ୍ଣ,୩ ରୌପ୍ୟ, ୧ କାଂସ୍ୟ) ପଦକ ମିଳିଛି। ଏଥିସହ ଏହି ପ୍ରତିଯୋଗିତାର ଭାରତର ପଦକ ସଂଖ୍ୟା ୧୪ (୬ ସ୍ବର୍ଣ୍ଣ, ୪ ରୌପ୍ୟ, ୪ କାଂସ୍ୟ) ପହଞ୍ଚିଛି। ଏବେ ଜାପାନ ୨୯, ଚୀନ୍ ୧୭ ପଛକୁ ଭାରତ ପଦକ ତାଲିକାରେ ତୃତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଓଡ଼ିଶାରେ ପ୍ରଶିକ୍ଷଣ ନେଉଥିବା ଜ୍ୟୋତି ୟାରାଜୀ ୨୦୦ ମିଟର ଫାଇନାଲ୍ରେ ପହଞ୍ଚି ପଦକ ଆଶାକୁ ଉଜ୍ଜୀବିତ ରଖିଛନ୍ତି। ୮୦୦ ମିଟର ପୁରଷ ଫାଇନାଲ୍ରେ କିଶନ କୁମାର, ମହମ୍ମଦ ଅଫ୍ସାଲ ପି ଏବଂ ମହିଳାରେ ଚନ୍ଦା, ଲାଭିକ୍ଷା ଶର୍ମା ମଧ୍ୟ ଫାଇନାଲ୍ରେ ପହଞ୍ଚିଛନ୍ତି।
ଭାରତର ପଦକ ବିଜେତା
ସ୍ବର୍ଣ୍ଣ: ଜ୍ୟୋତି ୟାରାଜୀ (୧୦୦ ମିଟର୍ ମହିଳା ବାଧାଦୌଡ଼), ଅବଦୁଲା ଅବୁବାକର (ପୁରୁଷ ଟ୍ରିପଲ୍ ଜମ୍ପ୍), ପାରୁଲ ଚୌଧୁରୀ (ମହିଳା ୩୦୦ ମିଟର୍ ଷ୍ଟିପଲ୍ଚେଜ୍), ଅଜୟ କୁମାର ସରୋଜ (ପୁରୁଷ ୧୫୦୦ ମିଟର୍), ତଜିନ୍ଦରପାଲ୍ ସିଂହ ତୁର୍ (ପୁରୁଷ ସଟ୍ପୁଟ୍), ୪୦୦ ମିଟର୍ ମିଶ୍ରିତ ରିଲେ ଦଳ (ଅମୋଜ ଜାକବ, ଐଶ୍ବର୍ଯ୍ୟା ମିଶ୍ରା, ରାଜେଶ ରମେଶ, ଶୁଭ ଭେନ୍ କାଟେସାନ)। ରୌପ୍ୟ: ଶାଇଲି ସିଂହ (ମହିଳା ଲଙ୍ଗଜମ୍ପ୍), ମୁରଲୀ ଶ୍ରୀଶଙ୍କର (ପୁରୁଷ ଲଙ୍ଗଜମ୍ପ୍), ସର୍ବେଶ ଅନିଲ କୁଶାରେ (ପୁରୁଷ ହାଇଜମ୍ପ୍), ସ୍ବପ୍ନା ବର୍ମନ (ମହିଳା ହେପ୍ଟାଥଲନ)। କାଂସ୍ୟ: ଅଭିଷେକ ପାଲ୍ (ପୁରୁଷ ୧୦,୦୦୦ ମିଟର୍), ଐଶ୍ବର୍ଯ୍ୟା କୈଳାଶ ମିଶ୍ର (ମହିଳା ୪୦୦ ମିଟର୍), ତେଜସ୍ବିନ ଶଙ୍କର (ପୁରୁଷ ଡେକାଥଲନ୍), ତାମିଲରାସନ୍ ସନ୍ତୋଷ କୁମାର (ପୁରୁଷ ୪୦୦ ମିଟର୍ ବାଧାଦୌଡ଼)।