ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ପାଇଁ ଆଜିର ତାରିଖ ହେଉଛି ସର୍ବୋତ୍ତମ ମଧ୍ୟରେ ଗୋଟିଏ। ଠିକ୍‌ ୪୨ ବର୍ଷ ‌ତଳେ ଏହି ଦିନ (୨୫ ଜୁନ୍‌ ୧୯୮୩) ଭାରତ ପ୍ରଥମ ଥର ବିଶ୍ବକପ୍‌ ଜିତିବାର ଗୌରବ ପାଇଥିଲା। ଇଂଲଣ୍ଡର ଐତିହାସିକ ଲର୍ଡ୍ସ ପଡ଼ିଆରେ ଖେଳାଯାଇଥିବା ଏହି ବିଶ୍ବକପ୍‌ ଫାଇନାଲ୍‌ରେ କପିଳ ଦେବଙ୍କ ନେତୃତ୍ବାଧୀନ ଭାରତ ବିଶ୍ବ କ୍ରିକେଟ୍‌କୁ ନିଜ ଆଧିପତ୍ୟରେ ରଖିଥିବା ଦୁର୍ଦ୍ଧର୍ଷ ୱେଷ୍ଟଇଣ୍ଡିଜ୍‌କୁ ହରାଇ ଏହି ଟ୍ରଫି ଜିତିଥିଲା। ଲଗାତାର ଦୁଇ ଥର (୧୯୭୫, ୧୯୭୯)ବିଶ୍ବକପ୍‌ କରାୟତ କରିଥିବା ଓେଷ୍ଟ୍‌ଇଣ୍ଡିଜ୍‌ ଟ୍ରଫି ଦାବିଦାର ଥିଲା। ଫାଇନାଲ୍‌ରେ ଟସ୍‌ ଜିତି ଏହି ଦଳ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଆଣ୍ଡି ରର୍ବଟ୍ସ ୩, ମାଲକମ୍‌ ମାର୍ଶାଲ୍‌, ମାଇକେଲ୍‌ ହୋଲଡିଂ ଓଚଲାରି ଗୋମ୍ସ ୨ ଲେଖାଏଁ ୱିକେଟ୍‌ ନେବାରୁ ଭାରତ ମାତ୍ର ୧୮୩ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା।

Advertisment

ଜବାବରେ ଇଣ୍ଡିଜ୍‌ ଏକଦା ୫୭/୩ରୁ ସିଧାସଳଖ ୭୬/୬ରେ ପହଞ୍ଚିଯାଇଥିଲା। ଶେଷରେ ଏହି ଦଳ ୧୪୦ ରନ୍‌ରେ ଅଲ୍‌ଆଉଟ୍‌ ହୋଇ ୪୩ ରନ୍‌ରେ ପରାଜୟ ବରଣ କରିଥିଲା। ମାଇକେଲ୍‌ ହୋଲ୍‌ଡିଂଙ୍କ ୱିକେଟ୍‌ ନେଇ ମହିନ୍ଦର ଅମରନାଥ ମୁଣ୍ଡି ମାରିଥିଲେ। ‌ଅଲ୍‌ରାଉଣ୍ଡର ପ୍ରଦର୍ଶନ ପାଇଁ ଅମରନାଥ (୨୬ ରନ୍‌, ୩ ୱିକେଟ୍‌) ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ‌କପିଳ ଦେବ ଲର୍ଡ କ୍ରିକେଟ୍‌ ପଡ଼ିଆ ବାଲକୋନିରେ ଟ୍ରଫି ଉଠାଇବା ଫଟୋ ଏବେ ବି ଭାରତୀୟ ପ୍ରଶଂସକଙ୍କ ମନରୁ ଲିଭିନି। ୧୯୭୫ରୁ ବିଶ୍ବକପ୍‌ ଆରମ୍ଭ ହେବାଠୁ ଭାରତ ପ୍ରତିଥର ଭାଗ ନେଇଛି। ୧୯୮୩ ପରେ ଭାତର ଦ୍ବିତୀୟ ଥର ଲାଗି ୨୮ ବର୍ଷ ପରେ ୨୦୧୧ରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ବିଜେତା ହେବାର ଗୌରବ ଅର୍ଜନ କରିଥିଲା। ୨୦୨୩ରେ ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଭାରତ ଉପବିଜେତା ହୋଇଥିଲା। ସର୍ବାଧିକ ଥର ଅଷ୍ଟ୍ରେଲିଆ ୬ ଥର (୧୯୮୭, ୧୯୯୯, ୨୦୦୩, ୨୦୦୭,୨୦୧୫, ୨୦୨୩) ବିଜେତା ହୋଇଛି।