ଚେନ୍ନାଇ : ଚଳିତ ୪୪ତମ ଚେସ୍ ଅଲିମ୍ପିଆଡ୍ରେ ଭାରତ ପୁଣି ଥରେ କମାଲ କରିଛି। ରବିବାର ତୃତୀୟ ରାଉଣ୍ଡରେ ବି ଭାରତର ୬ (୩ ଓପନ୍ ଓ ୩ ମହିଳା) ଯାକ ଦଳ ବିଜୟୀ ହୋଇଛନ୍ତି। ଓପନ୍ ବର୍ଗରେ ଭାରତର ବି’ ଦଳ ୪-୦ରେ ସ୍ବିଜରଲାଣ୍ଡକୁ ମୂଳପୋଛ କରିଥିଲା। ଯୁବ ତାରକା ଆର୍ ପ୍ରଜ୍ଞାନନ୍ଦ ଅଭିଜ୍ଞ ୟାନିକ ପେଲେଟିଅରଙ୍କୁ ମାତ୍ ଦେବା ବଡ଼ ଘଟଣା ଥିଲା। ସେହିପରି ଡି ଗୁକେଶ, ନହାଲ ସରିନ ଓ ରୌନକ ସାଧୱାନୀ ଯଥାକ୍ରମେ ନିକୋ ଜର୍ଜିଆଡିସ୍, ସେବାସ୍ତିଆନ୍ ବୋଗନର ଓ ଫାବିଆନ୍ ବାଏଞ୍ଜିଗରଙ୍କୁ ହରାଇଥିଲେ। ଭାରତ ଏ’ ଦଳ ୩-୧ରେ ଗ୍ରିସ୍କୁ ହରାଇଥିଲା। ପି ହରିକୃଷ୍ଣ ଓ ଅର୍ଜୁନ ଇରିଗାଇସି ଯଥାକ୍ରମେ ଦିମିତ୍ରିଓସ ମାଷ୍ଟ୍ରୋଭାସିଲିସ ଓ ଅଥାନାସିଅସ ମାଷ୍ଟ୍ରୋଭାସିଲିସଙ୍କୁ ପରାସ୍ତ କରିଥିଲା ବେଳେ ଭିଦିତ ଗୁଜରାଟୀ ଓ କେ ଶଶିକିରନ ଯଥାକ୍ରମେ ନିକୋଲସ ଥିଓଡୋରୋସ ଓ ଇଭିଜିନିଅସ ଲୋନିଡିସ୍ଙ୍କ ସହ ପଏଣ୍ଟ ବାଣ୍ଟିଥିଲେ। ସେହିପରି ସି’ ଦଳ ୩-୧ରେ ଆଇସ୍ଲାଣ୍ଡକୁ ପରାସ୍ତ କରିଥିଲା। ଏସ୍ପି ସେଥୁରମନ ଓ ଅଭିଜିତ ଗୁପ୍ତା ଯଥାକ୍ରମେ ହେନେସ ଷ୍ଟେଫାନସନ ଓ ଗୁଡମୁଣ୍ଡୁର ଜାର୍ତାନସନଙ୍କୁ ହରାଇଥିଲା ବେଳେ ଜୋରଭାର ଗ୍ରେଟାରସନ ଓ ହେଲ୍ଗି ଗ୍ରେଟାରସନ୍ଙ୍କ ବିପକ୍ଷ ମ୍ୟାଚ୍କୁ ସୂର୍ଯ୍ୟ ଶେଖର ଗାଙ୍ଗୁଲି ଓ ଅଭିମନ୍ୟୁ ପୁରାନିକ ଅମୀମାଂସିତ ରଖିଥିଲେ।
ମହିଳା ଏ’ ଦଳ ୩-୧ରେ ଇଂଲଣ୍ଡକୁ ହରାଇଥିଲା। ଆର୍ ବୈଶାଳି ଓ ଭକ୍ତି କୁଲକର୍ଣ୍ଣି ଯଥାକ୍ରମେ କାତର୍ଜିନାତୋମ ଓ ଅକ୍ଷୟ କାଲାଇୟାଲାନ୍ଙ୍କୁ ପରାସ୍ତ କରିଥିଲେ। ହେଲେ ଡି ହାରିକା ଓ ତାନିଆ ସଚଦେବ ଯଥାକ୍ରମେ ଜୋଭାଙ୍କା ହୋସ୍କା ଓ ଲାନ୍ ୟାଓଙ୍କ ବିପକ୍ଷରେ ଅମୀମାଂସିତ ରଖିଥିଲେ। ବି’ ଦଳ ମଧ୍ୟ ୩-୧ରେ ଇଣ୍ଡୋନେସିଆକୁ ପରାସ୍ତ କରିଥିଲା। ବନ୍ତିକା ଅଗ୍ରୱାଲ ଓ ସୌମ୍ୟା ସ୍ବାମୀନାଥନ ଯଥାକ୍ରମେ ଇରିନ ସୁକନ୍ଦର ଓ ଫରିହା ମାରିରୋଙ୍କୁ ମାତ୍ ଦେଇଥିଲେ। ତେବେ ଓଡ଼ିଆ ଝିଅ ପଦ୍ମିନୀ ରାଉତ ଓ ମାରି ଆନ୍ ଗୋମ୍ସ ନିଜ ନିଜ ମ୍ୟାଚ୍ ଅମୀମାଂସିତ ରଖିଥିଲେ। ସି’ ଦଳ ଅଷ୍ଟ୍ରିଆ ବିପକ୍ଷରେ କଡ଼ା ସଂଘର୍ଷ କରି ୨.୫-୧.୫ରେ ଜିତିଥଲା। ପିଭି ନନ୍ଧିଧା ଚିଅରା ପୋଲଟରାଉରଙ୍କୁ ହରାଇଥିଲେ। କାଥରିନା ନିଉର୍କଲାଙ୍କ ବିପକ୍ଷ ମ୍ୟାଚ୍କୁ ଈଶା କାରାଭେଦ ଅମୀମାଂସିତ ରଖିଥିଲେ। ହେଲେ ବର୍ଷିନ ସାହିତି ନିକୋଲା ମେୟରହୁବରଙ୍କଠୁ ହାରି ଯିବାରୁ ସ୍ଥିତି ସମାନ ହୋଇଥିଲା। ତେବେ ବି ପ୍ରତ୍ୟୁଷା ଶେଷ ମ୍ୟାଚ୍ରେ ଏଲିସାବେଥ ହାପଲାଙ୍କୁ ହରାଇ ଭାରତକୁ ବିଜୟ ଭେଟି ଦେଇଥିଲେ।