୪୫ ମ୍ୟାଚ୍‌ର ମୁଖ୍ୟାଂଶ, ଟସ୍ ଜିତ, ପ୍ରଥମେ ବ୍ୟାଟିଂ କର, ମ୍ୟାଚ୍ ଜିତ

ଲଣ୍ଡନ: ପାଞ୍ଚ ସପ୍ତାହ, ୪୫ ମ୍ୟାଚ୍ ଏବଂ ଅନେକଗୁଡ଼ିଏ ବର୍ଷା ବିଭ୍ରାଟ ପରେ ଚଳିତ ବିଶ୍ବକପ୍ ଶେଷରେ ସେମିଫାଇନାଲ ପର୍ଯ୍ୟାୟରେ ପହଞ୍ଚିଛି। ଭାରତ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ସହ ନ୍ୟୁଜିଲାଣ୍ଡ ପାଖରେ ଜୁଲାଇ ୧୪ରେ ବିଶ୍ବକପ୍ ତୋଳି ଧରିବାର ସୁଯୋଗ ରହିଛି। ଚଳିତ ବିଶ୍ବକପ୍‌ର ଲିଗ୍ ପର୍ଯ୍ୟାୟ ଶେଷ ପରେ ଗୋଟିଏ ପରିସଂଖ୍ୟାନ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଉଥିବା ଅଧିକାଂଶ ଦଳ ହିଁ ବିଜୟୀ ହୋଇଛନ୍ତି। ଏଣୁ ସେମିଫାଇନାଲ୍ ଏବଂ ଫାଇନାଲ୍ ଲଢ଼େଇ ଆରମ୍ଭ ହେବାର ଅଧଘଣ୍ଟା ପୂର୍ବରୁ ଯିଏ ଟସ୍ ଜିତିବ ସିଏ ମ୍ୟାଚ୍ ଜିତିବ ବୋଲି କେହି କେହି କହିବା ଆରମ୍ଭ କରି ଦେଇଛନ୍ତି। ଦ୍ବିତୀୟାର୍ଧରେ ବ୍ୟାଟିଂ କରିବା‌ କଷ୍ଟକର ହେଉଥିବାରୁ ଆୟୋଜକ ଇଂଲଣ୍ଡ ମଧ୍ୟ ଲିଗ୍ ପର୍ଯ୍ୟାୟରେ ପ୍ରଥମେ ବ୍ୟାଟିଂ କରିବାକୁ ପସନ୍ଦ କରି ଆସୁଛି। ସେମିଫାଇନାଲ ଟିକେଟ ଲାଗି ଇଂଲଣ୍ଡ ପାଇଁ ତା’ର ଶେଷ ଦୁଇ ମ୍ୟାଚ୍ ଜିତିବା ଏକାନ୍ତ ଅପରିହାର୍ଯ୍ୟ ଥିଲା। ଭାରତ ଓ ନ୍ୟୁଜିଲାଣ୍ଡ ବିପକ୍ଷ ଏହି ଦୁଇ ମ୍ୟାଚ୍‌କୁ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ହିଁ ଜିତିଥିଲା। ସେଥିପାଇଁ ଗୁରୁବାର ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲ୍ ମ୍ୟାଚ୍‌ରେ ଟସ୍ ଜିତିଲେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ ନେବାର ସମ୍ଭାବନା ଅଧିକ। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟ ଏହି ଧାରାରେ ସାମିଲ ହୋଇ ପାରନ୍ତି।

ନେଟ୍ ରନ୍ ରେଟ୍ ପ୍ରଭାବ
ନେଟ୍ ରନ୍ ରେଟ୍ ମଧ୍ୟ ଚଳିତ ବିଶ୍ବକପ୍‌ର ଅନ୍ୟତମ ଆଲୋଚିତ ଦିଗ। ସେମିଫାଇନାଲ୍‌ର ଚତୁର୍ଥ ଦଳ ବାଛିବା ଲାଗି ନେଟ୍ ରନ୍ ରେଟ୍‌କୁ ଟାଇ ବ୍ରେକର ଭାବେ ନିଆଯିବା ପାକିସ୍ତାନ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ନ୍ୟୁଜିଲାଣ୍ଡର ନେଟ୍ ରନ୍ ରେଟ୍ ୦.୧୭୫ ଥିଲା ବେଳେ -୦.୪୩ ନେଟ୍ ରନ୍ ରେଟ୍ ପାଇଁ ପାକିସ୍ତାନ ପଞ୍ଚମ ସ୍ଥାନରେ ରହି ବିଦାୟ ନେଇଥିଲା। ସମାନ ସଂଖ୍ୟକ ବିଜୟ ଏବଂ ପଏଣ୍ଟ ଥିଲେ ଆଗକୁ ଏହି ନେଟ୍ ରନ୍ ରେଟ୍ ନିୟମରେ ଅଦଳ ବଦଳ କରିବାକୁ ପାକିସ୍ତାନର ମୁଖ୍ୟ ପ୍ରଶିକ୍ଷକ ମିକି ଆର୍ଥର ଆଇସିସିକୁ ଆହ୍ବାନ କରି ସାରିଛନ୍ତି।

ଭୁଲ ପ୍ରମାଣିତ ହେଲା ୫୦୦ ରନ୍ ଆକଳନ
ଏଥରର ବିଶ୍ବକପ୍ ହାଇସ୍କୋରିଂ ହେବ ବୋଲି ଅନେକ ଆକଳନ କରିଥିଲେ। ଏପରିକି ବିଶ୍ବକପ୍‌ର ଗୋଟିଏ ପାଳିରେ ପ୍ରଥମ ଥର ପାଇଁ ୫୦୦ରୁ ଅଧିକ ରନ୍ ହେବ ବୋଲି ପୂର୍ବାନୁମାନ ଥିଲା। ହେଲେ ଏହି ସବୁ ଅଙ୍କକଷା ଶେଷରେ ଭୁଲ ପ୍ରମାଣିତ ହୋଇଥିଲା। ବିଶ୍ବକପ୍‌ରେ ଏ ପର୍ଯ୍ୟନ୍ତ ଗୋଟିଏ ହେଲେ ବି ଦଳ ୪୦୦ ରନ୍ ଛୁଇଁ ନାହାନ୍ତି। ଆଫଗାନିସ୍ତାନ ବିପକ୍ଷରେ ଇଂଲଣ୍ଡ କରିଥିବା ୩୯୭/୬ ଚଳିତ ବିଶ୍ବକପ୍‌ର ସର୍ବବୃହତ୍ ଦଳଗତ ସ୍କୋର ହୋଇ ରହିଛି। ଅବଶ୍ୟ ଗତ ବିଶ୍ବକପ୍‌ଗୁଡ଼ିକ ଅପେକ୍ଷା ଚଳିତ ଥର ହାରାହାରି ଭାବେ ଅଧିକ ରନ୍ ହୋଇଛି। ଅନେକ କୀର୍ତ୍ତିମାନ ଭଙ୍ଗିଛି। ନୂଆ କୀର୍ତ୍ତିମାନ ଗଢା ବି ହୋଇଛି। ରୋହିତ ଶର୍ମା ପ୍ରଥମ ଖେଳାଳି ଭା‌ବେ ଗୋଟିଏ ବିଶ୍ବକପ୍‌ରେ ପାଞ୍ଚଟି ଶତକ ଅର୍ଜନ କରିଛନ୍ତି। ବାଂଲାଦେଶର ସକିବ-ଉଲ୍-ହାସନ ଗୋଟିଏ ବିଶ୍ବକପରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୭ ଅଧର୍ଶତକର ସମକକ୍ଷ ହୋଇଛନ୍ତି। ତିନି ଜଣ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା (୬୪୭), ଡେଭିଡ୍ ୱାର୍ନର (୬୦୬) ଓ ସକିବ (୬୩୮) ୬୦୦ରୁ ଅଧିକ ରନ୍ କରି ସାରିଛନ୍ତି। ମହମ୍ମଦ ସାମି ୩୨ ବର୍ଷ ପରେ ଭାରତ ପାଇଁ ଦ୍ବିତୀୟ ହ୍ୟାଟ୍ରିକ୍ ହାସଲ କରିଛନ୍ତି। ମିଚେଲ ଷ୍ଟାର୍କ ନିଜ ଦେଶର ମହାନ ବୋଲର ଗ୍ଲେନ୍ ମ୍ୟାକଗ୍ରାଙ୍କ ଗୋଟିଏ ବିଶ୍ବକପ୍‌ରେ ୨୬ ୱିକେଟ୍ ନେବାର କୀର୍ତ୍ତିମାନ ସମକକ୍ଷ ହୋଇଛନ୍ତି।

ଦକ୍ଷିଣ ଆଫ୍ରିକା ପୁଣି ଫ୍ଲପ୍
ଦକ୍ଷିଣ ଆଫ୍ରିକା ଚଳିତ ଦ୍ବାଦଶ ବିଶ୍ବକପ୍‌ର ଅନ୍ୟତମ ଦାବିଦାର ଭାବେ ଅଭିଯାନ ଆରମ୍ଭ କରିଥିଲା। ହେଲେ ଦୁର୍ବଳ ପ୍ରଦର୍ଶନ କରି ଲିଗ୍ ପର୍ଯ୍ୟାୟରୁ ବିଦାୟ ନେଇଥିଲା। ସେହିଭଳି ୱେଷ୍ଟଇଣ୍ଡିଜ୍ ମଧ୍ୟ ନିରାଶ କରିଥିଲା। ଆଫଗାନିସ୍ତାନ ଗୋଟିଏ ହେଲେ ବି ମ୍ୟାଚ୍ ଜିତି ନଥିଲା ବେଳେ ଏହି ‌ଦେଶର ତାରକା ସ୍ପିନର ରସିଦ ଖାନ୍ ପୂରା ଫ୍ଲପ୍ ରହିଥିଲେ। ରସିଦ ୯ ମ୍ୟାଚ୍ ଖେଳି ମାତ୍ର ୬ ୱିକେଟ୍ ପାଇଥିଲେ। ସେହିଭଳି କେବଳ ୧୦୫ ରନ୍ କରିଥିଲେ। ଦକ୍ଷିଣ ଆଫ୍ରିକାର ହାସିମ ଆମଲା ମଧ୍ୟ ଆଶାଜନକ ପ୍ରଦର୍ଶନ କରି ପାରି ନଥିଲେ।

ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଉପରେ ନଜର
ଚାରିଟି ଦଳ ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ବିଶ୍ବକପ୍‌ର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଏମାନଙ୍କ ମଧ୍ୟରୁ ଭାରତ, ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଭିତରୁ ଜଣେ ବିଜେତା ହେବ ବୋଲି କ୍ରିକେଟ୍ ପଣ୍ଡିତମାନେ ଭବିଷ୍ୟବାଣୀ କରିଛନ୍ତି। ନ୍ୟୁଜିଲାଣ୍ଡ ପ୍ରଥମେ ପ୍ରଥମେ ବହୁତ ଭଲ କରିଥିଲେ ମଧ୍ୟ ଶେଷ ତିନିଟି ମୁକାବିଲାରେ ନିରାଶ କରିଛି। ଏହି ଦଳ ଶେଷ ଆଡ଼କୁ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ‌ସେମିଫାଇନାଲ୍ ମଙ୍ଗଳବାର ଏବଂ ଅଷ୍ଟ୍ରେଲିଆ-ଇଂଲଣ୍ଡ ଦ୍ବିତୀୟ ସେମିଫାଇନାଲ୍ ଗୁରୁବାର ଖେଳାଯିବ। ମେଗା ଫାଇନାଲ୍ ୧୪ ତାରିଖରେ ଐତିହାସିକ ଲର୍ଡସ ପଡ଼ିଆରେ ଆୟୋଜିତ ହେବ।

ସମ୍ବନ୍ଧିତ ଖବର