୧୦ ଦିନରେ ୪ ମ୍ୟାଚ୍

କଡ଼ା ପରୀକ୍ଷାରେ ଭାରତର ଧୈର୍ଯ୍ୟ ଓ ନମନୀୟତା

ମାଞ୍ଚେଷ୍ଟର: ଭାରତୀୟ କ୍ରିକେଟ୍ ଦଳ ଆସନ୍ତା ୧୦ ଦିନ ମଧ୍ୟରେ ଚଳିତ ବିଶ୍ବକପ୍‌ର ଅବଶିଷ୍ଟ ୪ ରାଉଣ୍ଡ ରବିନ୍‌ ପର୍ଯ୍ୟାୟ ମ୍ୟାଚ୍ ଖେଳିବ। ଗୁରୁବାର ୱେଷ୍ଟଇଣ୍ଡିଜ୍‌କୁ ଭେଟିବା ପରେ ୩୦ ତାରିଖରେ ଇଂଲଣ୍ଡ, ଜୁଲାଇ ୨ରେ ବାଂଲାଦେଶ ଏବଂ ଜୁଲାଇ ୬ରେ ଶ୍ରୀଲଙ୍କା ସହ ମୁକାବିଲା କରିବ। ଲଗାତାର ମ୍ୟାଚ୍ ଖେଳି ଭାରତୀୟ କ୍ରିକେଟ୍ ଦଳକୁ ଧୈର୍ଯ୍ୟ, ସହନଶୀଳତା ଓ ‌କୌଶଳର କଡ଼ା ପରୀକ୍ଷା ଦେବାକୁ ପଡ଼ିବ।
ଅନ୍ୟ ଦଳଗୁଡ଼ିକଠାରୁ ବିଳମ୍ବରେ ଅଭିଯାନ ଆରମ୍ଭ କରିଥିବା ଭାରତୀୟ କ୍ରିକେଟ୍ ଦଳ ଆଫଗାନିସ୍ତାନ ବିପକ୍ଷ ଉତ୍କଣ୍ଠାପୂର୍ଣ୍ଣ ମୁକାବିଲା ଛଡ଼ା ଅନ୍ୟ ଚାରିଟି ଯାକ ମ୍ୟାଚ୍‌ରେ ଚମତ୍କାର ପ୍ରଦର୍ଶନ କରିଥିଲା। ପେସାଦାର ଭଳି ଖେଳି ଏକପ୍ରକାର ଆଧିପତ୍ୟ ବିସ୍ତାର କରିଥିଲା। ହେଲେ ବିଶ୍ବକପ୍ ଦେଖାଇ ଦେଇଛି ଯେ ସେମିଫାଇନାଲ୍ ପଥରେ ଏକାଧିକ ପ୍ରତିବନ୍ଧକ ଏବଂ ଖାଲଖମା ଭରି ରହିଛି। ‌ଆୟୋଜକ ଇଂଲଣ୍ଡ ଅପେକ୍ଷାକୃତ ଦୁର୍ବଳ ଶ୍ରୀଲଙ୍କାଠାରୁ ହାରିବା ଏହାର ଜ୍ବଳନ୍ତ ଉଦାହରଣ। ସେହିଦୃଷ୍ଟିରୁ ଆସନ୍ତା ଚାରିଟି ମ୍ୟାଚ୍ ଭାରତ ପାଇଁ ନୂଆ ଆହ୍ବାନ ନେଇ ଆସିବ। ଭାରତକୁ ପ୍ରଥମେ ୱେଷ୍ଟଇଣ୍ଡିଜ୍ କଥା ବୁଝିବାକୁ ହେବ। ପାକିସ୍ତାନକୁ ହରାଇ ପ୍ରତିଶ୍ରୁତିଭରା ଆରମ୍ଭ କରିଥିବା ଇଣ୍ଡିଜ୍ ଅବଶ୍ୟ ବାଟ ହୁଡ଼ି ସାରିଛି। ବେପରୁଆ ଖେଳ ଖେଳି କେତେକ ଜିତିବା ମ୍ୟାଚ୍ ହାରିଛି। ତେବେ ଏହି ଦଳ ଯେ କୌଣସି ପ୍ରକାର ବିପର୍ଯ୍ୟୟ ସୃଷ୍ଟି କରିବାକୁ ପୂରା ସକ୍ଷମ। ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ ଭାରତର ଦୋଷ ଦୁର୍ବଳତାକୁ ପଦାରେ ପକାଇଥିଲା। ମଧ୍ୟକ୍ରମ ପୂରା ପାଳିରେ ସଂଘର୍ଷ କରିଥିଲା। ଇଣ୍ଡିଜ୍ ଭାରତୀୟ ମଧ୍ୟକ୍ରମକୁ ଆକ୍ରମଣ କରିବା ମସୁଧାରେ ଥିବ। ସାଉଥମ୍ପଟନ୍ ପିଚ୍‌ରେ ଆଫଗାନିସ୍ତାନ ବିପକ୍ଷରେ ଭାରତର ପର ପ୍ରତିଦ୍ବନ୍ଦ୍ବୀ ବାଂଲାଦେଶ ୨୬୨/୭ କରିଥିଲା। ଭାରତ କିନ୍ତୁ ସେହି ପିଚ୍‌ରେ ୨୨୪ ରନ୍‌ ଆଗକୁ ବଢ଼ି ପାରି ନଥିଲା। ଶିଖର ଧାୱନ ବାଦ୍ ପଡ଼ିବା ଭାରତୀୟ ବ୍ୟାଟିଂ ବାହିନୀର ସନ୍ତୁଳନକୁ ବିଗାଡ଼ି ‌େଦଇଛି। ଲୋକେଶ ରାହୁଲ ପାକିସ୍ତାନ ବିପକ୍ଷରେ ଭଲ ଖେଳିଥିଲେ ମଧ୍ୟ ଆଫଗାନିସ୍ତାନ ବିପକ୍ଷରେ ଯେଭଳି ଭାବେ ନିଜ ୱିକେଟ୍ ହରାଇଲେ ତାହା ଦଳୀୟ ପରିଚାଳକଙ୍କ ପାଇଁ ଚିନ୍ତାର କାରଣ ହୋଇଛି। କ୍ଷେତ୍ରରକ୍ଷଣ ଅବଶ୍ୟ ମଜବୁତ ରହିଛି। ଭୁବନେଶ୍ବର କୁମାରଙ୍କ ଅନୁପସ୍ଥିତିକୁ ମହମ୍ମଦ ସାମି ମଧ୍ୟ ସଫଳତାର ସହ ଭରଣା କରିଛନ୍ତି। ବର୍ମିଂହାମରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ମ୍ୟାଚ୍ ଚଳିତ ବିଶ୍ବକପ୍‌ର ଆଉ ଏକ ପ୍ରତୀକ୍ଷିତ ମ୍ୟାଚ୍। ଘରୋଇ ପରିବେଶରେ ଅଲରାଉଣ୍ଡର ଇଂଲଣ୍ଡ ଅନ୍ୟତମ ଦାବିଦାର ଭାରତକୁ ନିଶ୍ଚିତ ଭାବେ ହରାଇବାକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବ। ସେହିଠାରେ ଭାରତ ତା’ର ପରବର୍ତୀ ମ୍ୟାଚ୍‌ରେ ପଡ଼ୋଶୀ ବାଂଲାଦେଶର ସମ୍ମୁଖୀନ ହେବ। ବାଂଲାଦେଶ ଏବେ ଯେଭଳି ଖେଳ ଖେଳୁଛି, ଭାରତକୁ ଯେ ଏହି ଦଳ ବଡ଼ ଝଟ୍‌କା ଦେଇ ପାରିବନି, ତାହା କହିହେବନି। ଭାରତର ନବମ ତଥା ଶେଷ ମ୍ୟାଚ୍ ଅବଶ୍ୟ ଶ୍ରୀଲଙ୍କା ସହିତ ଅଛି। ଶ୍ରୀଲଙ୍କା ଆଉ ଆଗ ଭଳିଆ ଶକ୍ତିଶାଳୀ ନଥିବାରୁ ଏହି ମ୍ୟାଚ୍‌ରେ ହୁଏତ ଭାରତ ପସନ୍ଦର ଦଳ ଭାବେ ପଡ଼ିଆକୁ ଓହ୍ଲାଇବ। ଲିଡ୍ସରେ ହେବାକୁ ଥିବା ଏହି ଲଢ଼େଇ ମଧ୍ୟ ସେମିଫାଇନାଲ୍ ପ୍ରବେଶ ଦୃଷ୍ଟିରୁ ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ ରହିବ।

ସମ୍ବନ୍ଧିତ ଖବର