ଭାରତୀୟ ଦଳରେ ୪ ଓଡ଼ିଆ

ମହିଳା ଏସିଆ କପ୍‌ ହକି

ନୂଆଦିଲ୍ଲୀ/ଭୁବନେଶ୍ୱର: ଅକ୍ଟୋବର ୨୮ରୁ ଜାପାନର କାକାମିଗାହରା ସିଟିରେ ଆରମ୍ଭ ହେବାକୁ ଯାଉଥିବା ନବମ ଏସିଆ କପ୍‌ ମହିଳା ହକି ପ୍ରତିଯୋଗିତା ଲାଗି ୧୮ ଜଣିଆ ଭାରତୀୟ ଦଳ ଘୋଷିତ ହୋଇଛି। ରାଣୀଙ୍କୁ ଦଳର ନେତୃତ୍ୱ ସୁଯୋଗ ମିଳିଥିବାବେଳେ ଗୋଲରକ୍ଷିକା ସବିତାଙ୍କୁ ଉପ ଅଧିନାୟିକା ନିଯୁକ୍ତ କରାଯାଇଛି। ଏହି ଦଳରେ ୪ ଜଣ ଓଡ଼ିଆ ଅଲିମ୍ପିଆନ୍‌ ଦୀପ ଗ୍ରେସ୍‌ ଏକ୍କା, ସୁନୀତା ଲାକ୍ରା, ନମିତା ଟପ୍ପୋ ଏବଂ ଲିଳିମା ମିଞ୍ଜ୍‌ ସ୍ଥାନ ପାଇଛନ୍ତି। ଗତ ୟୁରୋପ ଗସ୍ତରେ (ନେଦରଲାଣ୍ଡ୍‌ ଓ ବେଲ୍‌ଜିୟମ୍‌) ଖେଳିଥିବା ଭାରତୀୟ ଦଳରେ ମୋଟ ୫ଟି ପରିବର୍ତନ କରାଯାଇଛି। ଅଭିଜ୍ଞ ରକ୍ଷଣଭାଗ ଖେଳାଳି ସୁଶୀଳା ଚାନୁ ପୁଖରମ୍ବମ୍‌ ଦଳକୁ ଫେରିଥିବାବେଳେ ଅଗ୍ରଭାଗ ଖେଳାଳି ନଭନିତ୍‌ କଉର୍‌, ନଭଜୋତ କଉର୍‌, ସୋନିକାଙ୍କୁ ସାମିଲ କରାଯାଇଛି। ଗୋଲ୍‌ ରକ୍ଷଣ ଦାୟିତ୍ୱ ସବିତା ଓ ରଜନୀ ଏତିମାର୍ପୁଙ୍କ ଉପରେ ନ୍ୟସ୍ତ ରହିବ। ଦୀପ ଗ୍ରେସ୍‌ ଏକ୍କା, ସୁନୀତା ଲାକ୍ରା, ସୁମନ ଦେବୀ ଥୌଦମ୍‌, ଗୁରଜିତ୍‌ କଉର୍‌ ରକ୍ଷଣଭାଗ ସମ୍ଭାଳିବେ।

ମଧ୍ୟଭାଗରେ ନମିତା ଟପ୍ପୋ, ନିକି ପ୍ରଧାନ, ମୋନିକା, ଲିଳିମା ମିଞ୍ଜ୍‌ ଓ ନେହା ଗୋୟଲ ଦାୟିତ୍ୱ ତୁଲାଇବେ। ଅଗ୍ରଭାଗରେ ରାଣୀ, ବନ୍ଦନା କାଟାରିଆ ଓ ଲାଲରେମସିଆମି ଦଳର ଭାଗ୍ୟ ବିଧାତା ହେବେ। ନବନିଯୁକ୍ତ ମୁଖ୍ୟ ପ୍ରଶିକ୍ଷକ ହରେନ୍ଦ୍ର ସିଂହଙ୍କ ଅଧିନରେ ଭାରତୀୟ ଦଳର ଏହା ପ୍ରଥମ ପ୍ରତିଯୋଗିତା ହେବ। ଜାପାନରେ ଭଲ ପ୍ରଦର୍ଶନ କରି ୨୦୧୮ ବିଶ୍ୱକପ୍‌ ମହିଳା ହକି ଲାଗି ଯୋଗ୍ୟତା ଅର୍ଜନ କରିବା ଲକ୍ଷ୍ୟରେ ରହିବ ଭାରତ। ଆମ ନିକଟରେ ଯୁବ ଓ ଅଭିଜ୍ଞତା ସମ୍ପନ୍ନ ଖେଳାଳି ଥିବାରୁ ଦଳ ଏସିଆ କପ୍‌ରେ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ପ୍ରଶିକ୍ଷକ ହରେନ୍ଦ୍ର ସିଂହ। ନିଜ ଖେଳ ବଢ଼ାଇବା ଲାଗି ଆମେ ଉଚ୍ଚ ମାନ୍ୟତା ପ୍ରାପ୍ତ ଦଳ ସହିତ ଖେଳି ପ୍ରସ୍ତୁତ ହୋଇଛୁ। ଆମେ କିଛି ଭୁଲକୁ ନ ଦୋହରାଇଲେ ହେଲା। ଏସିଆ କପ୍‌ ସହିତ ଆସନ୍ତା ବର୍ଷର ବିଶ୍ୱକପ୍‌ ଯୋଗ୍ୟତା ଆମ ଲକ୍ଷ୍ୟ ବୋଲି କହିଥିଲେ ହରେନ୍ଦ୍ର ସିଂହ। ଦଳ ଉନ୍ନତ ପ୍ରଦର୍ଶନ କରିବ ବୋଲି ମଧ୍ୟ ଆତ୍ମବିଶ୍ୱାସର ସହ କହିଛନ୍ତି ଅଧିନାୟିକା ରାଣୀ। ସୂଚନାଯୋଗ୍ୟ, ଭାରତ ପୁଲ୍‌ ‘ଏ’ରେ ଚୀନ, ମାଲେସିଆ, ସିଙ୍ଗାପୁର ସହ ସ୍ଥାନ ପାଇଛି। ୨୮ ତାରିଖ ପୂର୍ବାହ୍‌ଣ ୧୧ଟାରେ ସିଙ୍ଗାପୁର ସହିତ ଖେଳି ଭାରତ ଅଭିଯାନ ଆରମ୍ଭ କରିବ।
ଭାରତୀୟ ଦଳ
ଗୋଲରକ୍ଷକ: ସବିତା, ରଜନୀ ଏତିମାର୍ପୁ। ରକ୍ଷଣଭାଗ: ଦୀପ୍‌ ଗ୍ରେସ୍‌ ଏକ୍କା, ସୁନୀତା ଲାକ୍ରା, ସୁଶୀଲା ଚାନୁ ପୁଖରାମ୍ବମ୍‌, ସୁମନ ଦେବୀ ଠୋକମ, ଗୁରଜିତ୍‌ କଉର୍‌। ମଧ୍ୟଭାଗ: ନିକ୍କୀ ପ୍ରଧାନ, ନମିତା ଟପ୍ପୋ, ମୋନିକା, ଲିଳିମା ମିଞ୍ଜ୍‌, ନେହା ଗୋୟଲ। ଅଗ୍ରଭାଗ: ରାଣୀ (ଅଧିନାୟିକା), ବନ୍ଦନା କାଟାରିଆ, ଲାଲରେମସିଆମି, ସୋନିକା, ନଭନୀତ୍‌ କଉର୍‌, ନଭଜୋତ କଉର୍‌।

ସମ୍ବନ୍ଧିତ ଖବର