ଅହମଦାବାଦ ଟେଷ୍ଟ : ୨ୟ ଦିନ ଖେଳ ଶେଷସୁଦ୍ଧା ଭାରତ ୨୯୪/୭, ଇଂଲଣ୍ଡଠାରୁ ୮୯ରନରେ ଆଗୁଆ

ଚମିକିଲେ ପନ୍ତ, ସୁନ୍ଦର

ଅହମଦାବାଦ : ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଇଂଲଣ୍ଡ ୪ର୍ଥ ଟେଷ୍ଟର ୨ୟ ଦିନ ଖେଳ ଶେଷସୁଦ୍ଧା ଭାରତ ନିଜର ପ୍ରଥମ ଇନିଂସରେ ୭ ଓ୍ବିକେଟ ହରାଇ ୨୯୪ ରନ ସଂଗ୍ରହ କରିଛି । ଫଳରେ ଭାରତ ଇଂଲଣ୍ଡଠାରୁ ୮୯ରନରେ ଆଗୁଆ ଅଛି ।

ଆଜି ଭାରତୀୟ ବ୍ୟାଟିଂର ମୁଖ୍ୟ ଆକର୍ଷଣ ଥିଲା ଋଷଭ ପନ୍ତଙ୍କ ଲଢୁଆ ଶତକ । ସେ ୧୧୭ଟି ବଲ ଖେଳି ୨ ଛକା, ୧୩ ଚୌକା ସହ ୧୦୧ ରନ କରି ଜେମ୍ସ ଆଣ୍ଡରସନଙ୍କ ବଲରେ ଆଉଟ ହୋଇଥିଲେ । ଅନ୍ୟପକ୍ଷରେ ଆଜିର ୨ୟ ଆକର୍ଷଣ ଥିଲା ଓ୍ବାସିଂଟନ ସୁନ୍ଦରଙ୍କ ଲଢୁଆ ବ୍ୟାଟିଂ । ସେ ୬୦ ରନ କରି ଅପରାଜିତ ଅଛନ୍ତି । ନିଜର ଏହି ୬୦ ରନରେ ସେ ୮ଟି ଚୌକା ମାରିଛନ୍ତି । ତେବେ ଆଜି ଓପନର ରୋହିତ ଶର୍ମା ୪୯ ରନ କରି ଆଉଟ ହୋଇଥିଲେ । ମାତ୍ର ଅଧିନାୟକ ବିରାଟ କୋହଲି ନିଜର ଖାତା ଖୋଲିବା ପୂର୍ବରୁ ବେନ ଷ୍ଟୋକ୍ସଙ୍କ ବଲରେ ଆଉଟ ହୋଇଥିଲେ । ଇଂଲଣ୍ଡ ପକ୍ଷରୁ ଆଣ୍ଡରସନ ୩ଟି ଓ୍ବିକେଟ ନେଇଥିବାବେଳେ ଷ୍ଟୋକ୍ସ ଓ ଜାକ ଲିଚ୍ ୨ଟି ଲେଖାଏଁ ଓ୍ବିକେଟ ପାଇଛନ୍ତି । ଗତକାଲି ମ୍ୟାଚର ପ୍ରଥମ ଦିନରେ ଇଂଲଣ୍ଡ ଦଳ ୨୦୫ରନରେ ଅଲଆଉଟ ହୋଇଯାଇଥିଲା ।

ସମ୍ବନ୍ଧିତ ଖବର