ଗୁରୁବାରଠାରୁ ଭାରତ-ଅଷ୍ଟ୍ରେଲିଆ ୪ର୍ଥ ଟେଷ୍ଟ, ପିଚକୁ ନେଇ ପୁଣି ଦ୍ବନ୍ଦ୍ବ

ଅହମ୍ମଦାବାଦ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିରିଜର ଚତୁର୍ଥ ଟେଷ୍ଟ ଆସନ୍ତା ମାର୍ଚ୍ଚ ୯ତାରିଖରୁ ଅହମ୍ମଦାବାଦରେ ଖେଳାଯିବ । ବର୍ତ୍ତମାନ ସୁଦ୍ଧା ଏହି ସିରିଜରେ ଭାରତୀୟ କ୍ରିକେଟ ଦଳ ୨-୧ରେ ଆଗୁଆ ରହିଛି। ଶେଷ ଟେଷ୍ଟ ମ୍ୟାଚ୍ ରେ ଭାରତକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଏଭଳି ପରିସ୍ଥିତିରେ ଭାରତୀୟ ଦଳ ସିରିଜର ଶେଷ ଟେଷ୍ଟ ମ୍ୟାଚ୍ ଜିତି ସିରିଜ୍ ଜିତିବାକୁ ଚାହିଁବ ଏବଂ ଏହା ସହିତ ବିଶ୍ବ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ୍ ରେ ପ୍ରବେଶ କରିବାକୁ ଚାହିଁବ। ଅଷ୍ଟ୍ରେଲିଆ ଦଳ ପୂର୍ବରୁ ହିଁ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ପହଞ୍ଚିସାରିଛି ।

ସେପଟେ ଟେଷ୍ଟ ସିରିଜ ସମୟରେ ପିଚ୍ କୁ ନେଇ ଅନେକ ହୋହଲ୍ଲା ହୋଇଛି। ଇନ୍ଦୋରରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍ ରେ ଅଷ୍ଟ୍ରେଲିଆ ବିଜୟୀ ହୋଇଥିବା ବେଳେ ଇନ୍ଦୋର ପିଚ୍ କୁ ଆଇସିସି ଖରାପ ରେଟିଂ ଦେଇଛି। ଏଭଳି ସ୍ଥିତିରେ ଚତୁର୍ଥ ଟେଷ୍ଟ ପାଇଁ ଶ୍ରେଷ୍ଠ ପିଚ୍ ପ୍ରସ୍ତୁତ କରିବାକୁ ଭାରତୀୟ ମ୍ୟାନେଜମେଣ୍ଟ ଚେଷ୍ଟା କରୁଛି । ସେପଟେ ଅହମ୍ମଦାବାଦ ପିଚ୍ ର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଥିବା ପିଚ୍ ର ଫଟୋ ଭାଇରାଲ  ହୋଇଛି, ଯେଉଁଥିରେ ଉଭୟ ପିଚରେ କଭର ଲଗାଯାଇଛି । ଶେଷରେ କେଉଁ ପିଚ୍ ରେ ଚତୁର୍ଥ ଟେଷ୍ଟ ମ୍ୟାଚ୍ ଖେଳାଯିବ ତାହାକୁ ନେଇ ପ୍ରଶଂସକ ଓ କ୍ରିକେଟ୍ ପଣ୍ଡିତମାନେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି । ଏ ସଂପର୍କରେ ବୋଧହୁଏ ଭାରତୀୟ ମ୍ୟାନେଜମେଣ୍ଟ ଏ ନେଇ ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇନାହିଁ ।  ଏହାବ୍ୟତୀତ ଅଷ୍ଟ୍ରେଲୀୟ ପ୍ରଶଂସକ ଏବଂ ବିଶେଷ କରି ଅଷ୍ଟ୍ରେଲୀୟ କ୍ରିକେଟ୍ ପଣ୍ଡିତମାନେ ସୋସିଆଲ ମିଡିଆରେ ପିଚ୍ କୁ ନେଇ ଲଗାତାର ନିଜର ପ୍ରତିକ୍ରିୟା ଦେଉଛନ୍ତି ।

ସମ୍ବନ୍ଧିତ ଖବର