୪ର୍ଥ ଟେଷ୍ଟ: ଭାରତକୁ ୨ୟ ଝଟକା, ଧାଓ୍ଵନ୍‌ ୨୩ ରନ୍‌ରେ ଆଉଟ୍‌, କ୍ରିଜରେ କୋହଲି-ପୂଜାରା

ସାଉଥମ୍ପଟନ୍‌: ଭାରତ ଓ ଇଂଲଣ୍ଡ ମଧ୍ୟରେ ସାଉଥମ୍ପଟନରେ ୫ ଟେଷ୍ଟ ମ୍ୟାଚର ୪ର୍ଥ ମୁକାବିଲା ଶୁକ୍ରବାର ୨ୟ ଦିନରେ ଜାରି ରହିଛି। ରିପୋର୍ଟ ଲେଖାଯିବା ବେଳକୁ ଭାରତ ୨ଟି ଓ୍ଵିକେଟ୍‌ ହରାଇ ୧୦୦ ରନ୍‌ ସଂଗ୍ରହ କରିଛି। ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି(୨୫) ଓ ଚେତେଶ୍ୱର ପୂଜାରା(୨୮) କ୍ରିଜ୍‌ରେ ଅଛନ୍ତି। ଟସ୍‌ ଜିଣି ଇଂଲଣ୍ଡ ପ୍ରଥମ ଇନିଂସରେ ପ୍ରଥମ ଦିନ ହିଁ ସମସ୍ତ ଓ୍ଵିକେଟ୍‌ ହରାଇ ୨୪୬ ରନ୍‌ ସଂଗ୍ରହ କରିଥିଲା। ଏହା ପରେ ଟିମ୍‌ ଇଣ୍ଡିଆ ବ୍ୟାଟିଂ କରିଥିଲା।

ଇଂଲଣ୍ଡର ପ୍ରଥମ ଶିକାର ହୋଇଥିଲେ ଲୋକେଶ ରାହୁଲ(୧୯)। ସେ ଷ୍ଟୁଆର୍ଟ ବ୍ରୋଡଙ୍କ ଦ୍ୱାରା ଏଲ୍‌ବିଡବ୍ଲୁ ଶିକାର ହୋଇଥିଲେ। ଲୋକେଶ ୨୪ଟି ବଲ ଖେଳି ୨ଟି ଚୌକା ମାରିଥିଲେ। ସେହିଭଳି ସାଥୀ ଖେଳାଳି ଶିଖର ଧାଓ୍ଵନ ୫୩ଟି ବଲ ଖେଳି ୨୩ ରନ୍‌ ଯୋଡ଼ିଛନ୍ତି। ୩ଟି ଚୌକା ସହାୟତାରେ ଏହି ସ୍କୋର କରିବା ପରେ ଷ୍ଟୁଆର୍ଟ ବ୍ରୋଡଙ୍କ ବଲ ଜୋସ୍‌ ବଟଲରଙ୍କୁ କ୍ୟାଚ୍‌ ଦେଇଥିଲେ। ଭାରତ ପ୍ରଥମ ଓ୍ଵିକେଟ୍‌ ୩୭ ରନ୍‌ରେ ଓ ୫୦ ରନ୍‌ରେ ପୂଜାରାଙ୍କୁ ହରାଇ ଥିଲା।

ପୂର୍ବ ସୂଚନା ଅନୁସାରେ ଭାରତ ବିନା ପରିବର୍ତନରେ ଏହି ଟେଷ୍ଟ୍‍କୁ ଖେଳୁଛି। ଇଂଲଣ୍ଡ କିନ୍ତୁ ଓଲି ପୋପ୍‌ ଏବଂ କ୍ରିସ୍‌ ଓ୍ଵକ୍‌ସଙ୍କ ବଦଳରେ ସାମ୍‌ କରନ୍‌ ଏବଂ ମୋଇନ୍‌ ଅଲୀଙ୍କୁ ନେଇଛି। ଫଳରେ ଇଂଲଣ୍ଡ ଦୁଇ ଜଣିଆ ସ୍ପିନ୍‌ ଆକ୍ରମଣରେ ବିଶ୍ୱାସ ରଖିଛି। ଟସ୍‌ ଜିତିବା ପରେ ଜୋ ରୁଟ୍‌ କିନ୍ତୁ ଟ୍ରେଣ୍ଟ୍‌ବି୍ରଜ୍‌ ଭୁଲ୍‌ ଭଳି ଆଉ ପ୍ରଥମେ କ୍ଷେତ୍ରରକ୍ଷଣ କରିନଥିଲେ। ତଥାପି ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଦଳକୁ ଭାରତୀୟ ଦ୍ରୁତ ବୋଲର ଅସ୍ତବ୍ୟସ୍ତ କରି ଦେଇଥିଲେ। ବିଶେଷ କରି ଯଶପ୍ରୀତ୍‌ ବୁମରା, ଈଶାନ୍ତ ଶର୍ମା, ମହମ୍ମଦ ସାମି, ହାର୍ଦିକ ପାଣ୍ଡ୍ୟାଙ୍କ ନିରଂତର ପ୍ରଭାବ କାରଣରୁ ଇଂଲଣ୍ଡ ୧୮ ଓଭର ବେଳକୁ ୩୬ ରନ୍‌ରେ ୪ ଓ୍ଵିକେଟ୍‌ ହରାଇ ଦେଇଥିଲା। ଜେନିଙ୍ଗ୍‌ସ ଏବଂ ବେୟାରଷ୍ଟୋଙ୍କ ଓ୍ଵିକେଟ୍‌ ନେଇ ବୁମରା ପ୍ରାରମ୍ଭିକ ଝଟ୍‌କା ଦେଇଥିଲେ। ମଝିରେ ଈଶାନ୍ତ ଅଧିନାୟକ ଜୋ ରୁଟ୍‌ଙ୍କ ଓ୍ଵିକେଟ୍‌ ବାହାର କରିବା ଏବଂ କୁକ୍‌ଙ୍କୁ ପାଣ୍ଡ୍ୟା କୋହଲିଙ୍କୁ ସ୍ଲିପ୍‌ କ୍ୟାଚ୍‌ ଧରିବାର ସୁଯୋଗ ଦେବା ଭାରତର ଆତ୍ମବିଶ୍ୱାସକୁ ଉପରକୁ ନେଇଥିଲା। ଏହି ସମୟରେ ବେନ୍‌ ଷ୍ଟୋକ୍ସ ଏବଂ ଜୋସ୍‌ ବଟଲର୍‌ ଭଲ ଭାଗୀଦାରି କରିଥିଲେ ମଧ୍ୟ ମହମ୍ମଦ ସାମି ତାଙ୍କ ଦ୍ୱିତୀୟ ସ୍ପେଲ୍‌ରେ ଉଭୟଙ୍କୁ ଆଉଟ୍‌ କରି ଦେଇଥିଲେ। ଫଳରେ ଇଂଲଣ୍ଡ ୮୬/୬ରେ ସଂଘର୍ଷ କରିଥିଲା।

ସମ୍ବନ୍ଧିତ ଖବର