ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବୁଧବାର ଖେଳାଯାଇଥିବା ବିଶ୍ବକପ୍‌ ସେମିଫାଇନାଲ୍‌କୁ ଓଟିଟି ପ୍ଲାଟଫର୍ମ ଡିଜନି+ହଟ୍‌ଷ୍ଟାର୍‌ରେ ୫.୩ କୋଟି ଦର୍ଶକ ଦେଖିଛନ୍ତି। ଏହି ମ୍ୟାଚ୍‌ରେ ବିରାଟ କୋହଲି ଭାରତୀୟ କିଂବଦନ୍ତି ସଚିନ ତେନ୍ଦୁଲକରଙ୍କ ଆନ୍ତର୍ଜାତିକ ଦିନିକିଆ ଶତକ କୀର୍ତ୍ତିମାନକୁ ପଛରେ ପକାଇବା ସହ ଭାରତ ଚଳିତ ବିଶ୍ବକପ୍‌ରେ ଲଗାତାର ଦଶମ ବିଜୟ ପାଇଥିଲା। ଏଭଳି କୀର୍ତ୍ତିମାନଭରା ମ୍ୟାଚ୍‌କୁ ବହୁସଂଖ୍ୟା‌େର ଦର୍ଶକ ମୋବାଇଲ୍‌ ଆପ୍ଲିକେସନ୍‌ ମାଧ୍ୟମରେ ମଧ୍ୟ ଉପଭୋଗ କରିଛନ୍ତି। ଯାହାଦ୍ବାରା ଡିଜ୍‌ନି+ହଟ୍‌ଷ୍ଟାର ଏହି ମ୍ୟାଚ୍‌ ମାଧ୍ୟମରେ ପୁଣି ଥରେ ମ୍ୟାଚ୍‌ ସିଧାପ୍ରସାରଣ କ୍ଷେତ୍ରରେ ଦର୍ଶକଙ୍କ ସଂଖ୍ୟାକୁ ନେଇ ନିଜ ପୂର୍ବ ରେକର୍ଡ ଭାଙ୍ଗିଛି ବୋଲି ସଂସ୍ଥାର ମୁଖ୍ୟ ସାଜିତ ଶିବାନନ୍ଦନ କହିଛନ୍ତି।

Advertisment

ବୁଧବାର ଏହି ମ୍ୟାଚ୍‌କୁ ମୋବାଇଲ୍‌ ମାଧ୍ୟମରେ ୫.୩ କୋଟି ଦର୍ଶକ ଦେଖିଥିଲେ। ଯାହାକି ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡର ମିଳିତ ଜନସଂଖ୍ୟାଠୁ ଦେଢ଼ ଗୁଣା ଅଧିକ। କେବଳ ବୈଷୟିକ ସହାୟତା ପାଇଁ ଏହା ସମ୍ଭବ ‌ହୋଇନାହିଁ; ବରଂ ଦର୍ଶକଙ୍କର ଆମପ୍ରତି ରହିଥିବା ସମର୍ଥନ ପାଇଁ ‌ଏହି ସଂସ୍ଥା ଗୋଟିକ ପରେ ଗୋଟିଏ ମାଇଲଖୁଣ୍ଟ ସ୍ଥାପନ କରିଚାଲିଥିବା ଶିବାନନ୍ଦନ କହିଛନ୍ତି। ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ ସହିତ ଡିଜ୍‌ନି+ହଟ୍‌ଷ୍ଟାର୍‌ ‘ମ୍ୟାକ୍ସ‌ଭିଓ’ ନାମରେ ନୂଆ ଅଭିଜ୍ଞତା ପ୍ରଚଳନ କରିଥିଲା। ଯାହାଦ୍ବାରା ଦର୍ଶକମାନେ ମୋବାଇଲ୍‌ର ଭର୍ଟିକାଲ୍‌ ସ୍ଥିତିରେ ବି ମ୍ୟାଚ୍‌କୁ ଦେଖିପାରିବେ। ଏସିଆ କପ୍‌ ଓ ଚଳିତ ବିଶ୍ବକପ୍‌ରେ ସଫଳତା ଜାରି ରହିଥିବାରୁ ଆଗକୁ ପ୍ରୋ କବାଡ଼ି ଲିଗ୍‌ ମଧ୍ୟ ଦର୍ଶକମାନେ ମାଗଣାରେ ଏହି ଆପ୍ଲିକେସନ୍‌ରେ ସିଧାପ୍ରସାରଣ ଦେଖିପାରି‌ବେ ବୋଲି କୁହାଯାଇଛି।